ଏକା ଲଢିଲେ ରାହୁଲ ତ୍ରିପାଠୀ, ଚେନ୍ନାଇକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | October 07, 2020 IST

ଆବୁଧାବି ୦୭।୧୦: ରାହୁଲ ତ୍ରିପାଠୀଙ୍କ ଦାୟିତ୍ଵପୂର୍ଣ୍ଣ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ୨୧ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୧୬୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ରାହୁଲ ତ୍ରିପାଠୀଙ୍କ ୫୧ ବଲରୁ ୮୧ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ କୋଲକାତା ୧୬୭ ରନରେ ଅଲଆଉଟ୍ ହୋଇଛି। ବାକି ସମସ୍ତ ବ୍ୟାଟସମ୍ୟାନ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ଚେନ୍ନାଇ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍ ଜିତି ୫ ବର୍ଷ ଓ ୬୯ ମ୍ୟାଚ୍‌ ପରେ ପ୍ରଥମ ଥର ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟର୍ଡକୁ ଦୁଇ ଓପନର ରାହୁଲ ତ୍ରିପାଠୀ ଓ ଶୁଭମାନ ଗିଲ ୪.୨ ଓଭରରେ ୩୭ ରନ ଯୋଡିଥିଲେ। ଗିଲ୍ ୧୧ ରନ କରି ପାଭିଲିୟନ ଫେରିଥିଲେ। ନୀତିଶ ରାଣା ମଧ୍ୟ କିଛି ଖାସ୍ କରିନପାରି ମାତ୍ର ୯ ରନ କରି କର୍ଣ୍ଣ ଶର୍ମାଙ୍କ ଶିକାର ହୋଇଥିଲେ। ଚତୁର୍ଥରେ ବ୍ୟାଟିଂ କରିବାକୁ ଆସି ସୁନିଲ ନାରିନେ ୯ ବଲରୁ ୧ ଚୌକା ଓ ୧ ଛକା ସହ ୧୭ ରନ କରି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ଦଳର ଇନିଂସ ସମ୍ଭାଳିଥିବା ରାହୁଲ ତ୍ରିପାଠୀ ଆଇପିଏଲରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ। ଫର୍ମରେ ଥିବା ଇଅନ ମୋର୍ଗାନ ୧୦ ବଲ୍‌ରୁ ୭ ରନ କରି ଆଉଟ୍ ହେବା କୋଲକାତାକୁ ଚତୁର୍ଥ ଝଟକା ଲାଗିଥିଲା। ଆନ୍ଦ୍ରେ ରସେଲ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ ସହ ବିଦାୟ ନେଇଥିଲେ। ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ୍ କରି ଓ୍ଵେନ ବ୍ରାଭୋ ଚେନ୍ନାଇକୁ ବଡ ସଫଳତା ଦେଇଥିଲେ। ରାହୁଲ ତ୍ରିପାଠୀ ୫୧ ବଲରୁ ୮ ଚୌକା ଓ ୩ ଛକା ସହ ସର୍ବାଧିକ ୮୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଅଧିନାୟକ କାର୍ତ୍ତିକ ମଧ୍ୟ କିଛି ଖାସ୍ କରିନପାରି ବ୍ୟକ୍ତିଗତ ୧୨ ରନରେ ପାଭିଲିୟନ ଫେରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୧୬୭ ରନ କରି ଆଉଟ୍ ହୋଇଛି। ଶେଷ ଓଭରରେ  କୋଲକାତା ୩ଟି ଓ୍ଵିକେଟ୍ ହରାଇଥିଲା। ଏହି ଓଭରରେ ଡ୍ଵେନ ବ୍ରାଭୋ ୨ଟି ଓ୍ଵିକେଟ୍ ନେଇଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା।

ଚେନ୍ନାଇ ତରଫରୁ ଡ୍ଵେନ ବ୍ରାଭୋ ସର୍ବାଧିକ ୩ ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା ୨୫ ରନ ଦେଇ ୨ଟି, ସାମ କରନ ୨୬ ରନ ଦେଇ ୨ଟି ଓ ଶାର୍ଦ୍ଦୁଳ ଠାକୁର ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.