ଦୂର୍ଗାପୂଜା ନେଇ କୋଲକାତା ହାଇକୋର୍ଟଙ୍କ ବଡ଼ ନିଷ୍ପତି, ମଣ୍ଡପରେ ଲାଗିବ No Entry ବୋର୍ଡ

Published By : Prameya-News7 Bureau | October 19, 2020 IST

କୋଲାକାତା ୧୯।୧୦: କରୋନା ଭାଇରସ ମହାମାରୀ ସଂକ୍ରମଣ କାଳରେ ଦୁର୍ଗାପୂଜା ଆୟୋଜନ ଲାଗି ରାଜ୍ୟ ସରକାରଙ୍କ ଅନୁମତିକୁ ନେଇ କୋଲକାତା ହାଇକୋର୍ଟ ସୋମବାର ଐତିହାସିକ ରାୟ ଦେଇଛନ୍ତି। ଏଥିରେ ଉଚ୍ଚନ୍ୟାୟାଳୟ ପୂଜା ବୁଲାବୁଲି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ବାନାର୍ଜୀଙ୍କ ପୀଠ ଏହି ରାୟ ଦେଇଛନ୍ତି।

କୋର୍ଟ ରାୟରେ ଦୁର୍ଗାପୂଜା ମଣ୍ଡପକୁ କୌଣସି ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ କଡ଼ା କଟକଣା ଜାରି କରିଛନ୍ତି। ଏଣୁ ରାଜ୍ୟରେ ଦୁର୍ଗାପୂଜା ଆୟୋଜନ କରୁଥିବା ପୂଜା କମିଟିମାନେ ପେଣ୍ଡାଲ ବାହାରେ ‘ନୋ ଏଣ୍ଟ୍ରି’ ବୋର୍ଡ ଲଗାଇବେ। ସେହିପରି ସମସ୍ତ ପୂଜା ପେଣ୍ଡାଲକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ। ମୋଟ ଉପରେ ହାଇକୋର୍ଟଙ୍କ ଏହି ରାୟ ପରେ ପଶ୍ଚିମବଙ୍ଗରେ ଚଳିତବର୍ଷ ଦୁର୍ଗାପୂଜା ଦର୍ଶକ ଶୂନ୍ୟ ହେବ ବୋଲି କୁହାଯାଉଛି। 

ଛୋଟ ପୂଜା ପେଣ୍ଡାଲ ହୋଇଥିଲେ ଲୋକଙ୍କୁ ମଣ୍ଡପଠାରୁ ୫ ମିଟର ଦୂରରେ ରଖିବାକୁ କୁହାଯାଇଛି। ସେହିପରି ବଡ଼ ଦୁର୍ଗାପୂଜା ମଣ୍ଡପରେ ୧୦ ମିଟର ଦୂରରେ ଲୋକେ ରହିବା ନିଶ୍ଚିତ କରିବା ଲାଗି କୋର୍ଟ କହିଛନ୍ତି। ଏହି ଖାଲି ଅଞ୍ଚଳକୁ କେହି ପ୍ରବେଶ କରିପାରିବେ ନାହିଁ। ଅନ୍ୟପକ୍ଷରେ ପୂଜା ପେଣ୍ଡାଲ ଆଖପାଖ ଅଞ୍ଚଳକୁ ନୋ ଏଣ୍ଟ୍ରି ବୋର୍ଡ ଲଗାଇ ଲୋକଙ୍କ ଲାଗି ବାରିକେଡ କରିବାକୁ କୁହାଯାଇଛି। ଅପରପକ୍ଷେ ମହାମାରୀ ନିୟନ୍ତ୍ରଣ ଲାଗି ଏହି ସମୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି।

ସେହିପରି ପୂଜା ହେଉଥିବା ଅଞ୍ଚଳମାନଙ୍କୁ ବଫର ଜୋନ ଭାବେ ଚିହ୍ନଟ କରି କୌଣସି ମଣ୍ଡପକୁ ଯେପରି ଦର୍ଶକ ପ୍ରବେଶ ନ କରନ୍ତି ସେଥିପ୍ରତି କଡ଼ାବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟଯେ କରୋନା ଭାଇରସ ମହାମାରୀରେ ରାଜ୍ୟ ସରକାର ଦୁର୍ଗାପୂଜା ଅନୁମତି ଦେଇଛନ୍ତି। ଏହାକୁ ହାଇକୋର୍ଟ ପ୍ରଥମରୁ ବାରଣ କରିଆସୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.