ଲକଡାଉନକୁ ଖାତିର ନକରି ମସଜିଦରେ ନମାଜ ପାଠ କଲେ ଶହ ଶହ ବ୍ୟକ୍ତି, ବଢିଲା କରୋନା ସଂକ୍ରମଣ ଭୟ
11/04/2020 at 12:20 PM

କୋଲକାତା, ୧୧|୦୪: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଭାଇରସକୁ ରୋକିବା ପାଇଁ ସାମାଜିକ ଦୂରତା ହିଁ ସବୁଠାରୁ ଭଲ ଉପାୟ । ଏହି ଲକଡାଉନରେ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ତେବେ ଶୁକ୍ରବାର ଲକଡାଉନ ଭାଙ୍ଗି ବିନା କୌଣସି ସାମାଜିକ ଦୂରତାରେ ପଶ୍ଚିମବଙ୍ଗର ଏକ ମସଜିଦରେ ନମାଜ ପାଠ କରିଛନ୍ତି ।

ଏହି ଘଟଣା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଗୋପୀପୁର ମସଜୀଦରେ ଦେଖିବାକୁ ମିଳିଛି । ଶହ ଶହ ଲୋକ ଏହି ମସଜିଦରେ ନମାଜ ପଢିବା ପାଇଁ ପହଁଚିଥିଲେ । ସେମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ । ଏପରିକି ନମାଜ ପାଠ ବେଳେ ସେମାନଙ୍କ ମଧ୍ୟରେ ଦୂରତା ମଧ୍ୟ ନଥିଲା । ତେବେ ପୋଲିସ ସେଠାରେ ପହଁଚିବା ପରେ ମସଜିଦ ଖାଲି ହୋଇଥିଲା । ଜଣେ ଅଧିକାରୀ ଏହି ସୂଚନା ପାଇବା ପରେ ମସଜୀଦର ଇମାମଙ୍କୁ ତାଗିଦ କରିଥିଲେ । ଏହାସହ ଆଇନର ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ।
ମୁର୍ଶିଦାବାଦ ମସଜିଦ ଖାଲି ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମୟରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଅନେକ ପୋଲିସକୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୧୧୬ଜଣ କରୋନା ସଂକ୍ରମିତ ରହିଛନ୍ତି । ଏହାପୂର୍ବରୁ ଦିଲ୍ଲୀର ତବଲୀଗୀ ଜମାତରେ ଯୋଗଦେି ଅନେକ ସଦସ୍ୟ ସଂକ୍ରମିତ ହୋଇଥିଲେ । ଏହାପରେ ଦେଶରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଥିଲା ।

କୋଲକାତା ପୋଲିସ ମଧ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଉପରେ କଡା ନଜର ରଖିଛି । କେହି ଯେପରି ଲକଡାଉନକୁ ଉଲଙ୍ଘନ କରି ଏଠାରେ ଭୀଡ ନଲଗାନ୍ତୁ ପୋଲିସ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛି ।