କେଉଁଠି ରହିବ କୋକୋ ? ଚାପ ପରେ ନନ୍ଦନକାନନରେ ଛାଡିନି ବନ ବିଭାଗ, ପାଳିତା ମା'କୁ ଫେରାଇ ଦେବାକୁ ଦାବି

Published By : Prameya-News7 Bureau | January 20, 2022 IST

କଟକ,୨୦/୦୧: ଶୁଆ ‘କୋକୋ’କୁ ନେଇ ଚର୍ଚ୍ଚା ଥମୁନି । କୋକୋକୁ ବନ ବିଭାଗ ପକ୍ଷରୁ ଜବତ କରାଯିବା ପରେ ଏହି ଘଟଣା ଏବେ ସାଧାରଣରେ ଅଧିକ ରୋଚକ ବିଷୟ ହୋଇଛି । ଆଇନର ଆଳ ଦେଖାଇ ଜଙ୍ଗଲ ବିଭାଗ ‘କୋକୋ’କୁ ଜବତ କରିଥିଲାବେଳେ ସେ ଏବେ ଜଙ୍ଗଲରେ ବଞ୍ଚିପାରିବ କି’ ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ପରିବେଶବିତ୍‌ ତଥା ପ୍ରାଣୀବିଜ୍ଞାନମାନେ ମଧ୍ୟ କୋକୋକୁ ତା’ର ପାଳନକର୍ତ୍ତା ତଥା ପାଳିତ ମା’ଙ୍କ ପାଖକୁ ଫେରାଇ ଦେବାକୁ ଯୁକ୍ତି ରଖିଛନ୍ତି ।

ଅପରପକ୍ଷରେ ବିଭିନ୍ନ ଆଡୁ ଚାପ ବଢ଼ିବା ପରେ ବନ ବିଭାଗ ‘କୋକୋ’କୁ ନନ୍ଦନକାନନରେ ଛାଡିବାକୁ ନେଇ ଚିନ୍ତାରେ ପଡ଼ି ଯାଇଛି । ଫଳରେ ବୁଧବାର ‘କୋକୋ’ ନନ୍ଦନକାନନରେ ଛଡାଯାଇନପାରି କଟକ ରେଞ୍ଜ ଅଫିସ୍‌ରେ ପଞ୍ଜୁରି ଭିତରେ କଏଦୀ ହୋଇ ପଡ଼ିରହିଛି । ‘କୋକୋ’ କ’ଣ ପୁଣି ତା’ ପାଳିତ ମା’ ତଥା ପ୍ରଫେସର ସୁସ୍ମିତା ବେହେରାଙ୍କ କୋଳକୁ ଫେରିଆସିବ? ଆଇନର ବିଜୟ ହେବ ନା’ ଭାବାବେଗର ବା ସମ୍ପର୍କର । ମଣିଷ ଆଉ ପକ୍ଷୀ ମଧ୍ୟରେ ଗଢି ଉଠିଥିବା ବାତ୍ସଲ୍ୟ ମମତାର ବିଜୟ ହେବ? ଏ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

କେଉଁ ପ୍ରାଣୀ ବିରଳ ବା କେଉଁ ପ୍ରାଣୀ ବିପଦରେ ରହିଛନ୍ତି ତାହାକୁ ନେଇ ବନ ବିଭାଗ ପକ୍ଷରୁ ସେମାନଙ୍କୁ ବିଭାଗୀକରଣ କରାଯାଇଛି । ବନ୍ୟ ପ୍ରାଣୀ ସୁରକ୍ଷା ଆଇନ-୧୯୭୨ରେ ଏହି ଆଇନ ରହିଛି । ଯେଉଁ ପ୍ରାଣୀ ତଥା ପକ୍ଷୀମାନେ କ୍ରମଶଃ ପୃଥିବୀ ପୃଷ୍ଠରୁ ହଜି ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ୬ଟି ପର୍ଯ୍ୟାୟ ବା ସିଡୁଲ୍‌ରେ ବିଭକ୍ତିକରଣ କରାଯାଇଛି । ଏହି ୬ଟି ପର୍ଯ୍ୟାୟ ଭିତରୁ ଶୁଆ ଚତୁର୍ଥ ପର୍ଯ୍ୟାୟ ଶ୍ରେଣୀଭୁକ୍ତ । ଚତୁର୍ଥ ପର୍ଯ୍ୟାୟରେ ଯେଉଁ ପକ୍ଷୀ ବା ପଶୁ ରହିଛନ୍ତି ସେମାନଙ୍କର ଶିକାର, ସେମାନଙ୍କୁ ମାରିବା, ସେମାନଙ୍କୁ ବ୍ୟବସାୟ କରିବା, ସେମାନଙ୍କୁ ପାଳିବା ବା ପୋଷିବା ଆଦି ଆଇନ ଦୃଷ୍ଟିରେ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଏହି ଆଇନର ଧାରା ୫୧ରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତି ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । ଯେହେତୁ ଶୁଆ ଏହି ପର୍ଯ୍ୟାୟଭୁକ୍ତ ତେଣୁ ତାକୁ ପାଳିବା ଦଣ୍ଡନୀୟ ଅପରାଧ ବୋଲି ବନ ବିଭାଗ କହିଛି । ସେହି ଆଧାରରେ ବନ ବିଭାଗ ଶୁଆକୁ ଜବତ କରିଛି ।

କିନ୍ତୁ ବନ ବିଭାଗର ଏଭଳି କାର୍ଯ୍ୟକୁ ନେଇ ବିିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏ ନେଇ ଓଡ଼ିଶା ପରିବେଶ ସମିତି ସମ୍ପାଦକ ତଥା ପ୍ରାଣୀ ବିଜ୍ଞାନୀ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଶୁଆଟି କେଉଁ ପରିସ୍ଥିତିରେ ପ୍ରଫେସର ସୁସ୍ମିତାଙ୍କ ଘରକୁ ଆସିଲା ତାହା ବିଚାର କରାଯିବାର ଆବଶ୍ୟକତା ରହିଛି । ସେ ଉକ୍ତ ଶୁଆକୁ କେଉଁଠୁ କିଣି ଆଣିନଥିଲେ କିମ୍ବା ଧରି ଆଣିନଥିଲେ । ଶୁଆକୁ ଆହତ ଅବସ୍ଥାରେ ସେ ଉଦ୍ଧାର କରିଥିଲେ । ସେ ଶୁଆକୁ ଆଉ ଏକ ନୂଆ ଜୀବନ ଦେଇଥିଲେ । ତେଣୁ ଶୁଆଟି ତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ବଞ୍ଚିରହିଛି । ଏଠି ଜଙ୍ଗଲ ବିଭାଗ ଶୁଆକୁ ଜବତ କରିବା ପୂର୍ବରୁ ଅନେକ କଥା ଚିନ୍ତା କରିବାର ଥିଲା । ଶୁଆଟି ଗୋଟିଏ ବର୍ଷ ଧରି ସେମାନଙ୍କ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି । ଏଭଳି ଏକ ପାଳିତ ଶୁଆ ପ୍ରାୟତଃ ବାହାରେ ଅନ୍ୟ ପକ୍ଷୀମାନଙ୍କ ସହ ଆଉ ମିଶି ରହିପାରିବ ନାହିଁ । କାରଣ ସେମାନେ ଶିକାର କରି ଖାଇବା ଭୁଲି ଯାଇଥାନ୍ତି । ତାକୁ ଯଦି ଏଭଳି ସ୍ଥିତିରେ ଜଙ୍ଗଲରେ ଛାଡି ଦିଆଯାଏ ତାହେଲେ ତା’ର ଜୀବନ ନିର୍ବାହ କରିବା କଷ୍ଟକର ହୋଇପଡ଼ିବ । ତା’ର ବଞ୍ଚିବା ଉପରେ ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ । ଯେଉଁ ଶୁଆର ଜୀବନ ବଞ୍ଚାଇବାକୁ ତଥା ତାକୁ ଆଉ ଏକ ଭଲ ଜୀବନ ଦେବାକୁ ଜଙ୍ଗଲ ବିଭାଗ ଉଦ୍ୟମ କରୁଛି ତାହା ପରୋକ୍ଷରେ ‘କୋକୋ’ ପାଇଁ କାହିଁକି ଅଭିଶାପ ପାଲଟିନଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି । ତେଣୁ ଏଠି ‘କୋକୋ’କୁ ଜଙ୍ଗଲରେ ଛାଡିବା ଅପେକ୍ଷା ପୁଣି ଥରେ ତା’ର ମା’ ସୁସ୍ମିତାଙ୍କ କୋଳକୁ ଫେରାଇ ଦେବାକୁ ଜଙ୍ଗଲ ବିଭାଗ ବିଚାର କରୁ ବୋଲି ସେ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.