କେଉଁ ବୋଲର ନେବେ ବୁମରାଙ୍କ ସ୍ଥାନ , କାହାକୁ ମିଳିବ ସୁଯୋଗ, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ୍ ଇଲେଭେନ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ ୦୩।୦୩: ଗତ ଦୁଇଟି ମ୍ୟାଚ୍‌ରେ ସ୍ପିନ ଉପଯୋଗୀ ପିଚ୍‌ରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ମାତ୍ ଦେଇ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ସିରିଜ୍‌ର ଅନ୍ତିମ ମୁକାବିଲା ଆସନ୍ତାକାଲିଠୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେବ। ଅନ୍ତିମ ଟେଷ୍ଟରେ ପୁଣି ଥରେ ସ୍ପିନ ଅନୁକୂଳ ପିଚ୍‌ରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ଭାରତ ପଡିଆକୁ ଓହ୍ଲାଇବ। ଏହି ମୁକାବିଲାକୁ ଭାରତ ଅନ୍ତନ୍ତଃ ଡ୍ର ରଖି ପାରିଲେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପ୍ରବେଶ କରି ପାରିବ।

ଭାରତୀୟ ଦଳ ଅନ୍ତିମ ମ୍ୟାଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ। ଫିଟ୍ ହୋଇ ଦଳକୁ ଫେରିଥିବା ଉମେଶ ଯାଦବ ଚୂଡାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି। ଏହା ଦେଖିବା ବାକି ରହିଲା ଯେ, ଇଶାନ୍ତ ଶର୍ମାଙ୍କ ଯୋଡିଦାର ବୋଲର ମହମ୍ମଦ ସିରାଜ ହେବେ ନା ଉମେଶ ଯାଦବ। ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଘରୋଇ ମାଟିରେ ଉମେଶଙ୍କ ଦମଦାର ରେକର୍ଡ ରହିଛି ଏବଂ ଚୂଡାନ୍ତ ଏକାଦଶରେ ସାମିଲ ହେବା ନେଇ ପ୍ରବଳ ଦାବିଦାର ଅଛନ୍ତି।

ବ୍ୟାଟିଂରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ଖୁବ୍ କମ ରହିଛି। ଓପନିଂରେ ରୋହିତ ଶର୍ମା ଓ ଶୁବମାନ ଗିଲ୍ ରହିଥିବା ବେଳେ ମଧ୍ୟ କ୍ରମ ବ୍ୟାଟିଂ ଭାର ସମ୍ଭାଳିବେ ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ। ଅଲରାଉଣ୍ଡର ସହ ସ୍ପିନ ବିଭାଗ ସମ୍ଭାଳିବେ ଭାବେ ରବିଚନ୍ଦ୍ରନ ଅଶ୍ଵିନ ଓ ଅକ୍ଷର ପଟେଲ। ତାଙ୍କୁ ସହଯୋଗ କରିବେ ଓ୍ଵାଶିଂଟନ ସୁନ୍ଦର।

ଭାରତର ସମ୍ଭାବିତ ଏକାଦଶ

ଶୁବମାନ ଗିଲ୍, ରୋହିତ ଶର୍ମା, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ସିରାଜ, ଉମେଶ ଯାଦବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.