ହାରିବା ପରେ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ କୋହଲି, କହିଲେ…

Published By : Prameya-News7 Bureau | March 02, 2020 IST

ଖ୍ରୀଷ୍ଟଚର୍ଚ୍ଚ ୦୨|୦୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୦ରେ ପରାସ୍ତ ହେବା ପରେ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ନିଜର ଅସନ୍ତୋଷ ଝାଡିଛନ୍ତି। ତାଙ୍କର ଆକ୍ରମଣାତ୍ମକ ମନୋଭାବକୁ ନେଇ ଏକ ପ୍ରଶ୍ନରେ କୋହଲି ସାମ୍ବାଦିକଙ୍କୁ ଓଲଟା ପ୍ରଶ୍ମ କରିଛନ୍ତି।

ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ଟେଷ୍ଟରେ ୭ ଓ୍ୱିକେଟରେ ପରାସ୍ତ ହୋଇଥିଲା। ଏହାସହ ସିରିଜକୁ ମଧ୍ୟ ନ୍ୟୁଜିଲାଣ୍ଡ ୨-୦ରେ କ୍ଲିନ୍ ସୁଇପ୍ କରିଥିଲା। ଏହାପରେ ଅଧିନାୟକ ବିରାଟ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ତବେ ଦଳର ପରାଜୟ ସମ୍ବନ୍ଧରେ ପଚରା ଯାଇଥିବା କିଛି ପ୍ରଶ୍ନରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗିଯାଇଥିଲେ।

ଜଣେ ସାମ୍ବାଦିକ କୋହଲିଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଉଚିତ ଥିଲା କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ ସାମ୍ବାଦିକଙ୍କୁ ଅଧିକ ତଥ୍ୟ ସହ ଆସିବା ଦରକାର ଥିଲା ବୋଲି ରାଗିକରି କହିଥିଲେ।
ସାମ୍ବାଦିକ ଜଣଙ୍କ କୋହଲିଙ୍କୁ ପଚାରିଥିଲେ ଯେ, ପଡିଆର ଆପଣଙ୍କ ବ୍ୟବହାର ଆକ୍ରମଣାତ୍ମକ ଥିଲା। ଓ୍ୱିଲିମସନ ଲାଥମ ଆଉଟ ହେବା ପରେ ଆପଣ ଦର୍ଶକଙ୍କୁ ମଧ୍ୟ କିଛି କହିଥିଲେ। ପଡିଆରେ ଆପଣ ଭଲ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ ସାମ୍ବାଦିକ ତାଙ୍କୁ ପରାମର୍ଶ ଦେଇଥିଲେ।

ଏହାର ଉତ୍ତରରେ କୋହଲି କହିଥିଲେ, ଆପଣ କଣ ଭାବୁଛନ୍ତି। ପ୍ରକୃତ କଥା ଜାଣିବାର ଆବଶ୍ୟକତା ରହିଛି। ଆପଣ ଏକ ଭଲ ପ୍ରଶ୍ନ ସହ ଏଠାକୁ ଆସନ୍ତୁ। ଅସମ୍ପୂର୍ଣ୍ଣ ତଥ୍ୟ ଧରି ଏଠାକୁ ଆସିବା ଠିକ ନୁହେଁ। ଯଦି ଆପଣ ବିବାଦ ସୃଷ୍ଟି କରିବାକୁ ଚାହାଁନ୍ତି ତେବେ ଏହା ଉପଯୁକ୍ତ ସ୍ଥାନ ନୁହେଁ ବୋଲି କୋହଲି ସାମ୍ବାଦିକଙ୍କୁ କହିଥିଲେ। ସୂଚନାଯୋଗ୍ୟ, ଟେଷ୍ଟର ଦ୍ୱିତୀୟ ଦିନରେ ଟମ ଲାଥନ ଓ କେନ୍ ଓ୍ୱିଲମସନ ଆଉଟ ହେବା ପରେ କୋହଲି ଆକ୍ରମଣାତ୍ମକ ଭାବେ ଖୁସି ମନାଇବା ସହ ଦର୍ଶକଙ୍କ ଉଦ୍ଦେଶ୍ୟରେ କିଛି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.