Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସପ୍ତଦଶ ଲୋକସଭାର ୨୭ ମାସ ପରେ ବି ପୂରଣ ହେଉନି ଉପବାଚସ୍ପତି ପଦ, ଜାଣନ୍ତୁ ଅଭୂତପୂର୍ବ ବିଳମ୍ବର କାରଣ କ’ଣ?

7/10/2021 at 8:04 PM

ନୂଆଦିଲ୍ଲୀ ୭।୧୦: ସପ୍ତଦଶ (୧୭ତମ) ଲୋକସଭା ଗଠନକୁ ଇତିମଧ୍ୟରେ ଅଢେଇବର୍ଷ ପୁରିଗଲାଣି। ହେଲେ ଏପର୍ଯ୍ୟନ୍ତ ଉପବାଚସ୍ପତି ପଦଟି ପୂରଣ ହୋଇପାରିନି। ୧୭ ଜୁନ ୨୦୧୯ରେ ସଂସଦର ପ୍ରଥମ ବୈଠକ ହୋଇଥିଲା। ଇତିମଧ୍ୟରୁ ଅଢେଇ ବର୍ଷରୁ ଅଧିକକାଳ ବିତିଯାଇଥିଲେ ବି ସଂସଦର ଉପବାଚସ୍ପତି ପଦବୀ ପୂରଣ କରାନଯିବା ଏବେ ସରକାରଙ୍କ ମନଭାବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଏହା ପୂର୍ବ ଲୋକସଭାମାନଙ୍କରେ ବାଚସ୍ପତି ନିର୍ବାଚନ ସହ ହେଉ ଅଥବା ପରବର୍ତ୍ତି ଅଧିବେଶନରେ  ପୂରଣ କରିଦିଆଯାଉଥିଲା।  ହେଲେ ସପ୍ତଦଶ ଲୋକସଭା ଏଥିରେ ବ୍ୟତିକ୍ରମ ହେବାକୁ ଯାଉଛି। ଏହି ବିଳମ୍ବକୁ ଏବେ ଅଭୂତପୂର୍ବ ବୋଲି ମଧ୍ୟ କୁହାଗଲାଣି। ସଂସଦରେ ଉପବାଚସ୍ପତିଙ୍କର ସେହି ଦାୟିତ୍ୱ ଯାହା ବାଚସ୍ପତିଙ୍କର। ଗୃହରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ପୀଠାସୀନ ହୁଅନ୍ତି।

୧୯୫୬ ମସିହାରେ ତତ୍କାଳୀନ ବାଚସ୍ପତି ଜି.ଭି.ମାବଲଙ୍କରଙ୍କ ଅକସ୍ମାତ ପରଲୋକରେ ଉପବାଚସ୍ପତି ଏମ.ଏ.ଆୟଙ୍ଗର ପରବର୍ତ୍ତି ସଂସଦୀୟ କାର୍ଯ୍ୟଭାର ସମ୍ଭାଳିଥିଲେ। ସେହିପରି ୨୦୦୨ ମସିହାରେ ଜି.ଏମ.ସି. ବାଲୟୋଗୀଙ୍କ ଦୁର୍ଘଟଣା ମୃତ୍ୟୁରେ ଉପବାଚସ୍ପତି ପି.ଏମ.ସଇଦ ବାଚସ୍ପତିଙ୍କ ଦାୟିତ୍ୱ ସମ୍ଭାଳିଥିଲେ। ଆତଙ୍କବାଦ ନିରୋଧ ବିଧେୟକ ୨୦୦୨ ସଂସଦର ଯୁଗ୍ମ ଅଧିବେଶନରେ ୨୬ ମାର୍ଚ୍ଚ ୨୦୦୨ରେ ଗୃହୀତ ହୋଇଥିଲା। ଠିକ ସେତିକି ବେଳେ ବାଲୟୋଗୀଙ୍କ ପରଲୋକ ହୋଇଥିଲା। କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ବିରୋଧୀ ଦଳର ସଇଦ୍ ଯୁଗ୍ମ ଅଧିବେଶନରେ ଉପବାଚସ୍ପତି ଦାୟିତ୍ୱ ତୁଲାଉଥିଲେ। ଏଣୁ ସରକାର ତାଙ୍କୁ ତୁରନ୍ତ ତାଙ୍କୁ ବାଚସ୍ପତି ନିଯୁକ୍ତ କରିଥିଲେ।

ଏଥିରୁ ଲୋକସଭା ଉପାଧ୍ୟକ୍ଷ ପଦ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଜଣାପଡେ। ଏବେ ଏଠାରେ ପ୍ରଶ୍ନ ଉଠୁଛି ଉପାଧ୍ୟକ୍ଷ ପଦବୀ ପୂରଣର ଦାୟିତ୍ୱ କାହାର। ଏ ନେଇ ଥିବା ଲୋକସଭା ପ୍ରକ୍ରିୟା ତଥା କାର୍ଯ୍ୟ ସଞ୍ଚଳନ ନିୟମ ଅନୁସାରେ ବାଚସ୍ପତିଙ୍କ ନିର୍ବାଚନ ତାରିଖ ରାଷ୍ଟ୍ରପତି ନିର୍ଦ୍ଧାରିତ କରନ୍ତି। ଉପବାଚସ୍ପତିଙ୍କୁ ବାଚସ୍ପତି ନିଯୁକ୍ତ କରନ୍ତି। ତେବେ ସୁସ୍ଥାପିତ ସଂସଦୀୟ ପରମ୍ପରା ଅନୁସାରେ ଉପବାଚସ୍ପତି ନିର୍ବାଚନ ଲାଗି ସଂସଦୀୟ ବ୍ୟାପାରମନ୍ତ୍ରୀ ଉପବାଚସ୍ପତିଙ୍କ ନିର୍ବାଚନ ପ୍ରକ୍ରିୟା ଆୟୋଜନ କରିଥାନ୍ତି।

ସଂସଦୀୟ ପରମ୍ପରା ଅନୁସାରେ ଏହି ପଦବୀଟି ବିରୋଧୀ ଦଳଙ୍କୁ ଦିଆଯାଇଥାଏ। ସଂସଦୀୟ ଇତିହାସରୁ ଜଣାପଡେ ଏହି ପଦବୀ କେତେ ଗୁରୁତ୍ୱପୂର୍ଣ୍ଣ। ଏବେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଣୁ କିଛି ନେତା ବିବସ ହୋଇ ପ୍ରସଙ୍ଗରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ହୁଏତ ସରକାର କମ ଶାସକ ଓ ଅଧିକ ଶାସନର ତର୍କ ରଖିପାରନ୍ତି। ହେଲେ ସଂସଦୀୟ ପଦପଦବୀ ନିମନ୍ତେ ବିନା ସମ୍ବିଧାନ ସଂଶୋଧନରେ ସରକାରଙ୍କ ତର୍କ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଉଛି।   

   Related Posts