କମଳନାଥ ଯାହାକୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଲେ ତାଙ୍କୁ ମୋଦି ସିବିଆଇ ନିର୍ଦ୍ଦେଶକ ଦାୟିତ୍ବ ଦେଲେ, ଜାଣନ୍ତୁ କାରଣ କ'ଣ

Published By : Prameya-News7 Bureau | February 03, 2019 IST

ଭୋପାଲ ୩|୨: ଫେବୃଆରୀ ୨ ତାରିଖରେ ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଋଷି ଶୁକ୍ଳଙ୍କୁ ୪ ଦିନ ତଳେ ମଧ୍ୟ ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ପଦରୁ ମୁଖ୍ୟମନ୍ତ୍ରୀ କମଳନାଥ ବାହାର କରି ମଧ୍ୟପ୍ରଦେଶ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଥିଲେ । ସୂଚନାଯୋଗ୍ୟ ଯେ, ପୋଲିସ ମହାନିର୍ଦ୍ଦେକ ପଦବୀ ଠାରୁ ହାଉସିଂ କର୍ପୋରେସନ ଅଧ୍ୟକ୍ଷ ପଦବୀ ନ୍ୟୁନ ବୋଲି ବିଚାର କରାଯାଏ । ତେବେ ବଦଳିର ୪ ଦିନ ପରେ ଶୁକ୍ଳାଙ୍କୁ ମୋଦି ସରକାର ବଡ ଉପହାର ପ୍ରଦାନ କରି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିଛନ୍ତି ।

{"id":81279}


ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିବା ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାଣ ୨୦୧୬ ମସିହା ଜୁଲାଇ ମାସରେ ଶୁକ୍ଳାଙ୍କୁ ପୋଲିସ ମହା ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିଥିଲେ । ଶୁକ୍ଳା ଶିବରାଜ ଚୌହାଣଙ୍କ କୋଟରୀରେ ଥିବା ଅଧିକାରୀଙ୍କ ମଧ୍ୟରେ ରହିଥିଲେ । ଶୁକ୍ଳାଙ୍କୁ ସିବିଆଇ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯିବା ପରେ ଶୁକ୍ଳାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଜଣେ ନିଷ୍ଠାବାନ ପୋଲିସ ଅଧିକାରୀ ବୋଲି ଶିବରାଜ ଟୁଇଟରେ ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ଠିକ ମଧ୍ୟପ୍ରଦେଶ ନିର୍ବାଚନ ସମୟରେ ଶାରୀରିକ ଅସୁସ୍ଥତା ଦର୍ଶାଇ ଶୁକ୍ଳା ପ୍ରାୟ ଦେଢ ମାସ ଧରି ଛୁଟିରେ ରହିଥିଲେ ।

{"id":81280,"width":579,"height":324}


କମଳନାଥ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ହୁଏତ ଛୁଟିରେ ଯିବା ପାଇଁ ବାଧ୍ୟ କରାଯିବ ବୋଲି ଆଲୋଚନା ହେଉଥିଲା । ତେବେ କମଳନାଥ ତୁରନ୍ତ ସେଭଳି କୌଣସି ପଦକ୍ଷେପ ନେଇନଥିଲେ । ନିକଟରେ ମଧ୍ୟ ପ୍ରଦେଶରେ ଲଗାତର ୩ ଜଣ ବିଜେପି ନେତାଙ୍କ ହତ୍ୟା ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା କ୍ଷେତ୍ରରେ ଶୁକ୍ଳା ବିଫଳ ହୋଇଥିବା ଆଧାରରେ ତାଙ୍କୁ ପୋଲିସ ହାଉସିଂ ବୋର୍ଡକୁ ବଦଳି କରାଯାଇଥିଲା ।


ଋଷି ଶୁକ୍ଳା ମୂଳତଃ ମଧ୍ୟ ପ୍ରଦେଶର ଗୁଆଲିଅର ବାସିନ୍ଦା । ଆଇପିଏସରେ ଭର୍ତ୍ତି ହେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ରାୟପୁରରେ ହୋଇଥିଲା । ଏହାପରେ ସେ ଦମୋହ, ମନ୍ଦସୋର ଏବଂ ଶିବପୁରରେ ଏସପି ଭାବେ କାମ କରିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ରାଜ୍ୟ ଗୁଇନ୍ଦା ବିଭାଗର ଏଡିଜି ଭାବେ କାମ କରିଥିଲେ । ୨୦୧୬ ମସିହା ଜୁଲାଇ ମାସରେ ସେ ପୋଲିସ ମହାନିର୍ଦ୍ଦେଶକ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.