କାହିଁକି ଗୁରୁତ୍ବପୂର୍ଣ୍ଣ କରତାରପୁର କରିଡ଼ର ଏବଂ ଭାରତୀୟ ଶିଖ୍ ସଂପ୍ରଦାୟ ତଥା ବିଶ୍ବ ଶିଖ୍ ସଂପ୍ରଦାୟ ସହ ଏହି ଗୁରୁଦ୍ବାରର କ’ଣ ରହିଛି ସମ୍ପର୍କ ଜାଣନ୍ତୁ…
8/11/2019 at 10:31 AM

ନୂଆଦିଲ୍ଲୀ ୮।୧୧: କାହିଁକି ଗୁରୁତ୍ବପୂର୍ଣ୍ଣ କରତାରପୁର କରିଡ଼ର ? ଭାରତୀୟ ଶିଖ୍ ସଂପ୍ରଦାୟ ତଥା ବିଶ୍ବ ଶିଖ୍ ସଂପ୍ରଦାୟ ସହ ଏହି ଗୁରୁଦ୍ବାରର କ’ଣ ରହିଛି ସମ୍ପର୍କ ? ଦେଶ ବିଭାଜନ ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଭାରତ-ପାକିସ୍ତାନ ମୁହାଁମହିଁ ହେଉଥିଲେ ମଧ୍ୟ ଏହି କରିଡର ପାଇଁ କାହିଁକି କୋହଳ ମନୋଭାବ ପୋଷଣ କରିଛନ୍ତି ଭାରତ ସରକାର । କରତାରପୁର କରିଡ଼ରର ଇତିହାସ ଓ ଗୁରୁତ୍ବକୁ ନେଇ ପଢନ୍ତୁ ଏହି ରିପୋର୍ଟ ।

ଡେରା ବାବା ନାନକ ସାହେବ । ଯାହାର ନାଁ ଶୁଣିଲେ ଆପେ ଆପେ ମଥା ନଇଁ ଯାଏ, ପାଟିରୁ ବାହାରି ପଡେ ୱାହେ ଗୁରୁଜୀ କା ଖାଲସା ୱାହେ ଗୁରୁଜୀ କି ଫତେ । ସ୍ବାଧୀନତାର ୭୩ ବର୍ଷ ପରେ ସତ ହେବାକୁ ଯାଉଛି ଭାରତୀୟ ଶିଖ୍ଙ୍କ ସ୍ବପ୍ନ । ଡେରା ବାବା ନାନକ ସାହେବକୁ ଆଖି ପୁରାଇ ଦେଖିବା ପାଇଁ ଆତୁର ହୋଇ ରହିଥିବା ଲକ୍ଷ ଲକ୍ଷ ଶିଖ୍ ଙ୍କ ସ୍ବପ୍ନ ।କିନ୍ତୁ କାହିଁକି ? କଣ ଗୁରୁତ୍ବ ବହନ କରୁଛି କରତାରପୁର ଗୁରୁଦ୍ବାର ? ଏଠି ଏମିତି କ’ଣ ରହିଛି ଯାହା ଅନ୍ୟ ଗୁରୁଦ୍ବାରରେ ନାହିଁ ?

କରତାରପୁର ସାହେବ, ଯାହା ପ୍ରତି ଶିଖଙ୍କ ପାଇଁ ମହାନ ପୀଠ । ଜୀବଦଶା ମଧ୍ୟରେ ଥରଟିଏ ଦର୍ଶନ କରିବା ପାଇଁ ଚାହିଁ ସବୁ ଶିଖ୍ । କାରଣ ଏହି ଗୁରୁଦ୍ବାର ହେଉଛି ବିଶ୍ବର ପ୍ରଥମ ଗୁରୁଦ୍ବାର, ଯାହାକୁ ପ୍ରତିଷ୍ଠା କରିଥିଲେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ।୧୫୨୨ ମସିହାରେ ପାକିସ୍ତାନର ନାରୁୱା ଜିଲ୍ଲାକୁ ଆସିଥିଲେ ନାନକ । ଜୀବନର ଶେଷ ସମୟ ଏଇଠି ବିତାଇଥିଲେ ।

ଏଇଠି ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନାନକ ସମାଧି ନେବା ପରେ ତାଙ୍କ ଶରୀର ବିଲିନ ହୋଇଯାଇଥିଲା । କିଛି ଫୁଲ ମାତ୍ର ବଞ୍ଚିଥିଲା । ଯାହାକୁ ଶିଖ ମାନେ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିବା ବେଳେ ମୁସଲିମ୍ ମାନେ ସମାଧି ଦେଇଥିଲା । ଯାହାର ପ୍ରମାଣ ସ୍ବରୂପ ଆଜି ମଧ୍ୟ ଡେରାବାବା ନାନକ ସାହେବ ବାହାରେ ଶୋଭା ପାଉଛି ନାନକଙ୍କ ମଜାର । ଆଉ ଭିତରେ ଶୋଭା ପାଉଛି ସମାଧି । କରତାରପୁରରେ ନାନକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଗୁରୁଦ୍ବାର ରାବି ନଦୀ ବନ୍ୟାରେ ଧୋଇ ଯାଇଛି । ପରବର୍ତ୍ତି ସମୟରେ ପଞ୍ଜାବ କେଶରୀ ରାଜା ରଣଜିତ୍ ସିଂହ ଏହାକୁ ପୁନଃନିର୍ମାଣ କରିଥିଲେ ।

୧୯୪୭ । ଦେଶ ବିଭାଜନ ପରେ ଦେଶବାସୀ ବହୁତ କିଛି ହରାଇଛନ୍ତି । କିଏ ସମ୍ପର୍କୀୟଙ୍କୁ ହରାଇଛି ତ ଆଉ କିଏ ସମ୍ପତ୍ତି । କିନ୍ତୁ ଶିଖ୍ ମାନେ ତାଙ୍କର ଅସଲ ସମ୍ପତ୍ତିକୁ ହରାଇଛନ୍ତି । ଗୁରୁନାନକଙ୍କ ଜନ୍ମଭୂମି ଓ କର୍ମ ଭୂମିକୁ ହରାଇଛନ୍ତି । ସେବେଠାରୁ ଶିଖ୍ ଙ୍କ ପାଇଁ ଏହି ଗୁରୁଦ୍ବାରରେ ପାଦ ପକାଇବା ପାଲଟି ଯାଇଥିଲା ସ୍ବପ୍ନ । କେବେ ଭାରତ-ପାକ୍ ସମ୍ପର୍କ ତ ଆଉ କେବେ ପ୍ରବେଶ ଅନୁମତି ଶିଖ୍ ମାନଙ୍କ ପାଇଁ ପାଲଟିଥିଲା ପ୍ରତିବନ୍ଧକ । ଆର୍ଥିକ ସ୍ବଚ୍ଛଳ ଶିଖ୍ ମାନେ ପାକିସ୍ତାନ ଯାଇ ଲାହୋର ଠାରୁ ୧୨୦ କିଲୋମିଟର ଦୂରରେ ଥିବା ଗୁରୁଦ୍ବାର ଦର୍ଶନ କରୁଥିଲେ । ଅନ୍ୟ ମାନଙ୍କ ପାଇଁ ଦୂରବିକ୍ଷଣ ଯନ୍ତ୍ର ହିଁ ଏକ ମାତ୍ର ମାଧ୍ୟମ । ଯାହା ମାଧ୍ୟମରେ ୪ କିଲୋମିଟର ଦୂରରୁ ଗୁରୁଦ୍ବାରକୁ ଦେଖି ଆତ୍ମସନ୍ତୋଷ ଲାଭ କରୁଥିଲେ ଶିଖ୍ ଭାଇଭଉଣୀ ।

ସ୍ବାଧୀନତାର ୭୩ ବର୍ଷ ଭିତରେ କରତାରପୁରକୁ ଯିବା ଆସିବା ସୁବିଧା ପାଇଁ ଭାରତୀୟ ଶିଖ୍ ଅନେକ ଦାବି କରିଛନ୍ତି । ଦାବି କରିଛନ୍ତି କରିଡର ପ୍ରତିଷ୍ଠା ପାଇଁ । ଶେଷରେ ଗତ ବର୍ଷ କରତାରପୁର କରିଡରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ୨୬ ନଭେମ୍ବର ୨୦୧୮ରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଭାରତର ସରକାର । ତାହାର ଦୁଇ ଦିନ ପରେ ଶିଳାନ୍ୟାସ କରିଥିଲେ ପାକ୍ ସରକାର ।

ଏହା ପୂର୍ବରୁ ଯେ କରତାରପୁର କରିଡର ପାଇଁ ଉଦ୍ୟମ ହୋଇନଥିଲା ତାହା ନୁହେଁ । ୧୯୯୮ରେ ପ୍ରଥମେ ପ୍ରୟାସ କରିଥିଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୧୯୯୯ରେ ଦିଲ୍ଲୀରୁ ଲାହୋରକୁ ଗଡ଼ିଥିଲା ଶାନ୍ତି ମୈତ୍ରୀ ଓ ସମ୍ପର୍କର ସେତୁ ସଦା ଏ ସରହଦ ବସ୍ । ଶାନ୍ତି ପାଇଁ ହାତ ମିଳାଇଥିଲେ ବାଜପେୟୀ ଓ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫ । କିନ୍ତୁ ପ୍ରତିବନ୍ଧ ସାଜିଥିଲା କାର୍ଗିଲ ଯୁଦ୍ଧ । ଯେଉଁଠି ଅଟକି ଯାଇଥିଲା ଦୁଇ ଦେଶର ମିତ୍ରତାର ଗାଡ଼ି । ବାଜପେୟୀଙ୍କ କରତାରପୁର ସ୍ବପ୍ନକୁ କିନ୍ତୁ ପୂରଣ କରିଛନ୍ତି ମୋଦି । ଆସନ୍ତା ୯ ତାରିଖରେ ଖୋଲାହେବ କରତାରପୁର କରିଡର । ପୂରଣ ହେବ ଶିଖ୍ ଙ୍କ ବର୍ଷ ବର୍ଷର ସ୍ବପ୍ନ ।