ନୂଆଦିଲ୍ଲୀ ୨୯।୧: ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଚାଷୀ ଅସନ୍ତୋଷ ଉପୁଜିବାଠାରୁ ଏ ପର୍ଯ୍ୟନ୍ତ ସରକାର ଏହାକୁ ‘ଅଢେଇ ପ୍ରଦେଶ’ ଆନ୍ଦୋଳନ କହି ଗୁରୁତ୍ୱହୀନ କରି ଆସୁଛନ୍ତି । ତେବେ ୨୬ ଜାନୁୟାରୀ କାଣ୍ଡ ପରେ ଆନ୍ଦୋଳନର ଗୁରୁତ୍ୱ ଉଭୟ ସରକାର ଓ ଚାଷୀଙ୍କ ଲାଗି ବଢିଯାଇଛି। ତେବେ ଜାଣନ୍ତୁ କାହିଁ ଏପର୍ୟ୍ୟନ୍ତ ଜାତୀୟ ଆକାର ଧାରଣ କରିନି ଆନ୍ଦୋଳନ।
{"id":400706,"sizeSlug":"large","linkDestination":"none"}ଜାତୀୟ ଆନ୍ଦୋଳନରୁ କମ୍ ନୁହେଁ
ଆନ୍ଦୋଳନର ଏପରି ଅବସ୍ଥାକୁ ନେଇ ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି (ଏଆଇକେଏସସିସି)ର ବରିଷ୍ଠ ସଦସ୍ୟ ଅବିକ ସାହା ଯାହା କୁହନ୍ତି ‘ଏହା ସରକାରଙ୍କ ଭାଷାରେ ଅଢେଇ ପ୍ରଦେଶ ଆନ୍ଦୋଳନ ହୋଇପାରେ, ହେଲେ ଏହା ଜାତୀୟ ଆନ୍ଦୋଳନଠାରୁ କମ୍ ନୁହେଁ ‘। ଏହାକୁ ଏପରି ଭାବି ଅବଜ୍ଞା କରିବା ମୁର୍ଖତା ଛଡା ଅନ୍ୟ କିଛି ନୁହେଁ ବୋଲି ଶାହ କହିଛନ୍ତି।
କୋଭିଡ ପାଲଟିଲା ବାଧକ
ଶାହଙ୍କ ଅନୁସାରେ ଯେତେବେଳେ ଆନ୍ଦୋଳନ ଦାନା ବାନ୍ଧିଲା ସେତେବେଳେ ଦେଶରେ କୋଭିଡ କାରଣରୁ ସ୍ୱଭାବିକ ଟ୍ରେନଚଳାଚଳ ହେଉ ନଥିଲା। ଏଣୁ ଅନେକ କୃଷକ ସଙ୍ଗଠନର ପଦାଧିକାରୀଙ୍କ ମଧ୍ୟରେ ମୁହାଁ ମୁହିଁ ବୈଠକ ହୋଇପାରିନଥିଲା। ଏହା ମାନେ ନୁହେଁ ଯେ ଆନ୍ଦୋଳନ ସବୁ ରାଜ୍ୟକୁ ପହଞ୍ଚିନଥିଲା । ଆନ୍ଦୋଳନରେ ସବୁ ରାଜ୍ୟରୁ କିଛି କିଛି କୃଷକ ନେତା କିପରି ହେଉ ଦିଲ୍ଲୀ ପହଞ୍ଚିବା ଲାଗି କୁହାଯାଇଥିଲା। ଏଥିରେ ଅନେକ ସଙ୍ଗଠନ ରାଜି ମଧ୍ୟ ଥିଲେ। ହେଲେ କରୋନା ଯୋଗୁ ଗମନା ଗମନରେ ଅସୁବିଧା ଏଥିରେ ବାଧକ ପାଲଟିଥିଲା। ଯାହା ଏବେବି ବାଧାକ ହୋଇ ରହିଛି।
ଏମଏସପି ସମ୍ପର୍କରେ କୃଷକ ଅନଭିଜ୍ଞ
ଦେଶରେ ଚାଷୀଙ୍କ ସ୍ୱାର୍ଥ ଲାଗି ସରକାର ଅନେକ ବର୍ଷରୁ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ଘୋଷଣା କରୁଛନ୍ତି। ତେବେ ଦେଶର ଚାଷୀ ଏମଏସପି କଣ ଜାଣନ୍ତିନି ବୋଲି ଅବିକ ଶାହ କହିଛନ୍ତି। ନିଜେ ସରକାର ମଧ୍ୟ କହୁଛନ୍ତି ମାତ୍ର ୬ ପ୍ରତିଶତ ଚାଷୀ ଏମଏସପିର ସୁଯୋଗ ନେଉଛନ୍ତି। ଏଣୁ ବାକି ଚାଷୀ ସରକାର ତାଙ୍କ ପାଇଁ କଣ ବିଚାର କରୁଛନ୍ତି ତା ବି ଜାଣନ୍ତି ନାହିଁ। ଏଣୁ ଆନ୍ଦୋଳନ ସହ ସବୁ ଚାଷୀ ସମ୍ପୃକ୍ତ ହୋଇ ପାରିନାହାନ୍ତି।
କୃଷକ ମାନସିକତା
କୃଷକ ଆନ୍ଦୋଳନ ବ୍ୟାପକ ନ ହେବାରେ ଅନ୍ୟ ଯେଉଁ କାରଣଟି ହେଉଛି ତାହା ହେଉଛି ଚାଷୀ ମାନସିକତା। କେତେବେଳେ ପ୍ରକୃତି ତ କେତେବେଳେ ବନ୍ୟଜନ୍ତୁ ତ କେବେ ସରକାର ବିରୋଧରେ ଲଢି ଲଢି ଚାଷୀ ହାରିଗଲାଣି। ଏଣୁ ଚାଷୀ ସହ ଅନ୍ୟାୟ କୋଉ ନୂଆ କଥା କି ବୋଲି ସେମାନେ ଭାବୁଛନ୍ତି। ଏଣୁ ସେ ଯେଉଁ ଭାଗ୍ୟ ନେଇ ଜନ୍ମ ହୋଇଛି ତା ସହ ମରିବ ବୋଲି ନିଶ୍ଚିତ କରିସାରିଛି। ଏଥିରୁ ସହଜରେ ବୁଝି ହେଉଥିବ ବର୍ଷବର୍ଷ ଧରି ସଂଘର୍ଷ କରିବା ପରେ ଯଦି ତାକୁ କିଛି ନ ମିଳିଲା ଆଗକୁ କଣ ମିଳିବ ଭାବି ଅନେକ ଚାଷୀ ଚୁପ ରହିଯାଇଛନ୍ତି।
ବିଧାନସଭା ନିର୍ବାଚନ
କୃଷକ ଆନ୍ଦୋଳନ ବ୍ୟାପକ ରୂପ ନେଇ ନପାରିବାର ଅନ୍ୟ ଯାହା କାରଣ ରହିଛି ତାହା ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ। କିଛି ସମୟ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ବିଧାନସଭା ନିର୍ବାଚନ। ଏଣୁ ସେହି ସବୁ ରାଜ୍ୟର ଚାଷୀ ଚାହୁଁଥିଲେ ବି ଦିଲ୍ଲୀ ଆସି ଆନ୍ଦୋଳନରେ ସାମିଲ ହୋଇ ପାରିନାହାନ୍ତି।
ସମୟ ଅଭାବ
କୌଣସି ଆନ୍ଦୋଳନ ଅଚାନକ ଜାତୀୟ ରୂପ ନେଇପାରେନି। ଏଥିଲାଗି ସମୟ ଦରକାର। କରୋନା ଭାଇରସ ମହାମାରୀ ଲାଗି ସରକାର ଜାରି କରିଥିବା ଲକଡାଉନ ଲୋକଙ୍କୁ ଦୀର୍ଘ ମାସ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା। ଏପରିକି ଚାଷୀ ବିଲକୁ ହଳ ମଧ୍ୟ ନେଇ ପାରିନଥିଲେ। ଲକଡାଉନରେ ଲୋକଙ୍କ ଆୟ ପ୍ରାୟ ନଥିଲା। ଗମନା ଗମନ ସୁବିଧା ପ୍ରତ୍ୟାହୃତ ଥିବା ଯୋଗୁ ଲୋକେ ଏପର୍ଯ୍ୟନ୍ତ ଦେଶରେ ଗତାଗତ ହୋଇ ପାରୁନାହାନ୍ତି। ଏଥିରେ ଦିଲ୍ଲୀ ପାଖାପାଖି ହୋଇଥିବା ଯୋଗୁ ପଞ୍ଜାବ, ହରିୟାଣା, ସୀମାବର୍ତ୍ତି ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଉତ୍ତରା ଖଣ୍ଡର ଚାଷୀ ଆନ୍ଦୋଳନର ନେତୃତ୍ୱ ନେବାକୁ ବାଧ୍ୟ ହୋଇଛନ୍ତି।
ବେଙ୍ଗାଲୁରୁ କୃଷ ଆନ୍ଦୋଳନକୁ ଗୁରୁତ୍ୱ ଦେଇନି ଗଣମାଧ୍ୟମ
କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ପ୍ରଦେଶରେ ମଧ୍ୟ କଳା କୃଷି ଆଇନକୁ ନେଇ ଲୋକେ ଆନ୍ଦୋଳନ କରୁଛନ୍ତି। ହେଲେ ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହୁଥିବାରୁ ଅନ୍ୟ ସ୍ଥାନମାନଙ୍କରେ ହେଉଥିବା କୃଷକ ଆନ୍ଦୋଳନର ଖବର ଠିକ ଭାବେ ପରିବେଷିତ ହେଉନି। ୨୬ ଜାନୁୟାରୀରେ ଦିଲ୍ଲୀ ଟ୍ରାକ୍ଟ ପରେଡ ସମାନ୍ତରାଳରେ ବେଙ୍ଗାଲୁରରେ ଚାଷୀ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ଦିଲ୍ଲୀ କାଣ୍ଡରେ ବେଙ୍ଗାଲୁରୁ ଆନ୍ଦୋଳନ ଘୋଡେଇ ହୋଇଯାଇଥିଲା ବୋଲି ଶାହ କହିଛନ୍ତି। ଏଣୁ କୃଷକ ଆନ୍ଦୋଳନକୁ ଜାତୀୟ ଆନ୍ଦୋଳନ ଭାବି ସରକାର କାର୍ଯ୍ୟ କରନ୍ତୁ ବୋଲି ଶାହ ସତର୍କ କରାଇଛନ୍ତି।