ପଶ୍ଚିମବଙ୍ଗରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଏପର୍ଯ୍ୟନ୍ତ ପ୍ରଚାରକୁ ଆସିଲେନି ରାହୁଲ, ପ୍ରିୟଙ୍କା ଅଥବା ସୋନିଆ, ଜାଣନ୍ତୁ କାହିଁକି ?
1/04/2021 at 6:13 PM

କୋଲକାତା ୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ୮ଟି ପର୍ଯ୍ୟାୟରେ ହେଉଥିବା ନିର୍ବାଚନ ଲାଗି ବିଜେପି କେନ୍ଦ୍ରୀୟ ନେତାମାନେ ବାରମ୍ବାର ରାଜ୍ୟ ଗସ୍ତ କରୁଛନ୍ତି। ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଦେଖା ଦର୍ଶନ ନାହିଁ। ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ପଡୋଶୀ ଆସାମରେ ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ଯାଇଥିବା ବେଳେ ରାହୁଲଙ୍କ ପୁଣି କେରଳ ଗସ୍ତ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି।

ରାଜ୍ୟ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀଙ୍କୁ ଏ ନେଇ ଗଣମାଧ୍ୟମ ମଧ୍ୟ ପ୍ରଶ୍ନ କଲେଣି। ହେଲେ ଯେବେ ବେଙ୍ଗଲ ଲାଗି କେନ୍ଦ୍ରୀୟ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିରିକୃତ ହେବ ସେବେ ଏ ନେଇ ଜଣାଇ ଦିଆଯିବ ବୋଲି ଚୌଧୁରୀ କହିଛନ୍ତି। ତେବେ କଂଗ୍ରେସ କେନ୍ଦ୍ରୀୟ ନେତୃବର୍ଗ ଜାଣିଶୁଣି ବେଙ୍ଗଲ ନିର୍ବାଚନ ପ୍ରଚାର ମୈଦାନକୁ ଏପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିଛନ୍ତି ବୋଲି ରାଜ୍ୟ ଦଳର ବରିଷ୍ଠ ନେତାମାନେ କହିଛନ୍ତି।

ରାଜ୍ୟରେ କଂଗ୍ରେସ ବାମପନ୍ଥୀ ଦଳଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ସେହି ଅନୁସାରେ ପାର୍ଟି ପ୍ରାର୍ଥୀ ସ୍ଥିରିକୃତ କରିଥିବା ବେଳେ ବିଜୟ ଲକ୍ଷ ନେଇ ପ୍ରଚାର ଅଭିଯାନ ଚଳାଯାଇଥିବା କଂଗ୍ରେସ ନେତାମାନେ କହିଛନ୍ତି। ସେମାନଙ୍କ ଅନୁସାରେ କେରଳ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହେବା ପରେ କେନ୍ଦ୍ରୀୟ ନେତା ବେଙ୍ଗଲ ମୁହାଁଇବେ। ସେତେବେଳେକୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ବିଜେପି ଓ ତୃଣମୂଳ ସେମାନଙ୍କ ପ୍ରାଚରର ଏକ ନିଶ୍ଚିତ ପର୍ଯ୍ୟାୟରେ ପହଞ୍ଚି ସାରିଥିବେ।

ଠିକ୍ ସମୟରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋର ଧିରବା ସହ ପ୍ରତିଟି ଭୋଟର ନିକଟରେ ଦଳର କେନ୍ଦ୍ରୀୟ ନେତା ପହଞ୍ଚିବେ ବୋଲି ନେତା କହିଛନ୍ତି। କେରଳରେ ଏପ୍ରିଲ ୬ ତାରିଖରେ ଭୋଟ ଗ୍ରହଣ ହେବ। ଏହା ପରେ ବେଙ୍ଗଲ ନିର୍ବାଚନ ଉପରେ କେନ୍ଦ୍ରୀୟ ନେତୃତ୍ୱର ଧ୍ୟାନ କେନ୍ଦ୍ରିତ ହେବ। ଏଠାରେ ବାମପନ୍ଥୀ ସହ ମେଣ୍ଟ ରହିଛି। ସହଯୋଗୀ ଦଳ ନିଜର ପ୍ରଚାର ବେଶ ସୁରୁଖୁରୁରେ ଚଳାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଓ ରାଜ୍ୟ ନେତୃତ୍ୱ ମଧ୍ୟ ବେଶ ପ୍ରଚାର କରୁଥିବା ସେମାନେ କହିଛନ୍ତି।