ବିଜେପୁର ଉପ ନିର୍ବାଚନ ପାଇଁ ଦିଲ୍ଲୀପ ପଣ୍ଡା କଂଗ୍ରେସ ପ୍ରାର୍ଥୀ ହେବାପରେ ବିଜେଡି ବିଜେପି କାହାକୁ ପ୍ରାର୍ଥୀ କରିବେ ଜାଣନ୍ତୁ…

Published By : Prameya-News7 Bureau | September 26, 2019 IST

ବରଗଡ ୨୬|୯: ଗଲା ୫ବର୍ଷରେ ଚତୁର୍ଥ ଥର ପାଇଁ ଭୋଟ୍‌ ଦେବାକୁ ଯାଉଛନ୍ତି ବିଜେପୁରବାସୀ ।  ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ଗତ ଦୁଇଟି ନିର୍ବାଚନରେ ଏଠାରୁ ବାଜିମାତ୍‌ କରିଥିବା ବିଜେଡି ତୃତୀୟ ଥର ପାଇଁ ଚଳାଇଛି କସରତ । ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ବିଜେପୁର ପାଇଁ ସେମାନଙ୍କ ପ୍ରାର୍ଥୀ ଫାଇନାଲ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରକ୍ରିୟା ସବୁଠୁ ଆଗୁଆ କଂଗ୍ରେସ ଗତକାଲି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବରଗଡ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି ।  ତେବେ ବିଜେଡି ଓ ବିଜେପିର କିଏ ହୋଇପାରନ୍ତି ପ୍ରାର୍ଥୀ ଆଉ ଏଥର ବିଜେପୁର ଭୋଟ୍‌ରେ କ’ଣ ରହିବ ମୁଖ୍ୟ ପ୍ରସଙ୍ଗ ଚାଲନ୍ତୁ ଜାଣିବା ।

ପୁଣି ଆରମ୍ଭ ହୋଇଯାଇଛି ବିଜେପୁର କସରତ । ଗଲା ୫ବର୍ଷରେ ଚତୁର୍ଥ ଥର ପାଇଁ ଭୋଟ୍‌ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିଜେପୁରବାସୀ । ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଗତ ଦୁଇଟି ନିର୍ବାଚନରେ ଏଠାରୁ ବାଜିମାତ୍‌ କରିଥିବା ବିଜେଡି ତୃତୀୟ ଥର ପାଇଁ ଚଳାଇଛି କସରତ ।

ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ନବୀନ ନିବାସରେ ଘନ ଘନ ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଚାଲିଛି ଆଲୋଚନା । ଦଳୀୟ ସୁପ୍ରିମୋଙ୍କ ହାତରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ । ଏଠାରୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରମୁଖ ଦାବିଦାର ଥିବା ବେଳେ ବରଗଡ଼ର ପୂର୍ବତନ ବିଜେଡି ସାଂସଦ ପ୍ରଭାସ ସିଂ ମଧ୍ୟ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି । ସେହିଭଳି ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିଜେଡି ନେତାଙ୍କ କହିବା କଥା ପ୍ରାର୍ଥୀ ଯିଏ ବି ହୁଅନ୍ତୁ ନା କାହିଁକି ବିଜେପୁରରେ ବିଜେଡିର ବିଜୟ ନିଶ୍ଚିତ ।

ସେପଟେ ପ୍ରଥମ ଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଏବଂ ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ସମସ୍ତ ଲୋକସଭା ଆସନରେ ବାଜିମାତ୍‌ କରିଥିବା ବିଜେପି ଏଥର ବିଜେପୁର ଆସନକୁ ନେଇ ଖୁବ୍‌ ଆଶାବାଦୀ ହୋଇପଡ଼ିଛି । ତେବେ ଦଳରୁ ଏକାଧିକ ଆଶାୟୀ ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଗଲା ନିର୍ବାଚନରେ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆଙ୍କ ସହ ପଦମପୁରରୁ ନିର୍ବାଚନ ହାରିଥିବା ପ୍ରଦୀପ ପୁରୋହିତ୍‌ଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ତେବେ ଠିକ୍‌ ସମୟରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି କହିବା ସହ ଏଥର ବିଜେପି ନିଶ୍ଚିତ ବିଜେପୁର ବାସୀଙ୍କ ସମର୍ଥନ ହାତେଇବ ବୋଲି କହୁଛନ୍ତି ଦଳୀୟ ନେତା ।

ସେହିଭଳି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ହାତରୁ ଖସିଯାଇଥିବା ବିଜେପୁର ଆସନକୁ ପୁଣି ଥରେ ଫେରିପାଇବାକୁ ଆଶା ବାନ୍ଧିଛି କଂଗ୍ରେସ । ଦଳୀୟ ପ୍ରାର୍ଥୀ ଭାବେ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଛି ଏଆଇସିସି । ତେବେ ବିଜେପୁରବାସୀ ଏଥର ପୁଣି କଂଗ୍ରେସ ସପକ୍ଷରେ ନିଷ୍ପତ୍ତି ଦେବେ ବୋଲି ଆଶା କରୁଛନ୍ତି ଦଳୀୟ ନେତା ।ତେବେ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଦଳର କିଛି ବରିଷ୍ଠ ନେତା ଏବେ ଅସନ୍ତୁଷ୍ଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ବିଜେପୁରରେ କୃଷି, ଜଳସେଚନ, ବେକାରୀ, ଦାଦନ, ପିଇବା ପାଣି, ରାସ୍ତାଘାଟ, ସ୍ବାସ୍ଥ୍ୟସେବା ଭଳି ଅନେକ ନିର୍ବାଚନୀ ପ୍ରସଙ୍ଗ ରହିଛି । ତେବେ ନିର୍ବାଚନରେ ଏସବୁ ପ୍ରସଙ୍ଗକୁ କିଏ କେମିତି ହ୍ୟାଣ୍ଡେଲ କରୁଛନ୍ତି ଆଉ କେମିତି ଭୋଟରଙ୍କ ସମର୍ଥନ ହାତେଇବାକୁ ଯୋଜନା କରିଛନ୍ତି ତାହା ଆଗକୁ ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.