କେନ୍ଦ୍ରାପଡା ବିଧାନସଭା ଆସନରେ ବିଜେଡିରୁ କିଏ ପାଇବ ଟିକେଟ୍ ? ଏବେର ବିଧାୟକ, ପୂର୍ବତନ ବିଧାୟିକା ନା ଏହି ତୃତୀୟ ନେତା

Published By : Prameya-News7 Bureau | February 18, 2019 IST

କେନ୍ଦ୍ରାପଡା ୧୮|୨: ନିର୍ବାଚନକୁ ନଜରରେ ରଖି ଆଶାୟୀ ପ୍ରାର୍ଥୀଙ୍କ ଆକ୍ଟିଭିଟି ତେଜ୍‌ ହେବାରେ ଲାଗିଛି । ଦଳୀୟ ଟିକେଟ୍‌ ପାଇଁ ଯିଏ ଯେଝା ଷ୍ଟାଇଲରେ ମାତିଛନ୍ତି । ଯେହେତୁ ଏବେ ବିଭିନ୍ନ ରାଜନୈତିକ ଦଳ ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ତେଣୁ ଟିକେଟ୍‌ ରେସ୍‌ରେ ମଧ୍ୟ ଯୁବ ନେତା ନିଜର ଦାବେଦାରୀ ଦେଖାଇବା ଚେଷ୍ଟାରେ  ଅଛନ୍ତି । ଏମିତିରେ ଆମେ ଯଦି କେନ୍ଦ୍ରାପଡ଼ା ବିଜେଡି କଥା ଦେଖିବା ତାହେଲେ ପୁରୁଣା ନେତାଙ୍କ ଅପେକ୍ଷା ନୂଆ ମୁହଁଙ୍କୁ ସୁଯୋଗ ନେଇ ସକାରାତ୍ମକ ମତ ପୋଷଣ କରୁଛନ୍ତି ଭୋଟର ।

{"id":86423}

ପୁରୁଣା ନେତା ତାଙ୍କ ପୈନ୍ତରାବାଜି ଜାରି ରଖିଛନ୍ତି । ହେଲେ ନଜର ଟାଣିବା ଚେଷ୍ଟାରେ ଅଛନ୍ତି ନୂଆ ନେତା । ଆଉ କେଇଟା ଦିନ ପରେ ଘୋଷଣା ହେବ ଦଳୀୟ ପ୍ରାର୍ଥୀ ତାଲିକା । ଏଥି ପାଇଁ ଆଶାୟୀଙ୍କ ଭିତରେ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ଏମିତିରେ ଆମେ ଯଦି କେନ୍ଦ୍ରାପଡ଼ା ବିଜେଡି କଥା ଦେଖିବା ତାହେଲେ ଏଠି ଏଥର ଦଳୀୟ ଟିକେଟ୍‌ ପାଇଁ ଆଶାୟୀଙ୍କ ରେସ୍‌ରେ ସାମ୍ନାକୁ ଆସିଛନ୍ତି ଅନେକ ନୂଆ ମୁହଁ ।

{"id":86424}

ଦୌଡ଼ରେ ଆଗରେ ଅଛନ୍ତି ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ । ଦୀର୍ଘବର୍ଷ ଧରି ଦଳ ସହିତ ଯୋଡ଼ି ହୋଇ ରହିଥିବାରୁ ଦଳ ମୁଖିଆ ତାଙ୍କୁ ସୁଯୋଗ ଦେବା ନେଇ ସେ ଆଶାବାଦୀ ଅଛନ୍ତି । ସେପଟେ କେନ୍ଦ୍ରାପଡ଼ା ବିଜେଡିର ଜଣେ ଆଗଧାଡ଼ିର ଯୁବକର୍ମୀ ତଥା ସମାଜସେବୀ ଦୁଷ୍ମନ୍ତ ମଲ୍ଲିକ ମଧ୍ୟ  ନିର୍ବାଚନ ମଣ୍ଡଳୀରେ ବୁଲି ଲୋକସମ୍ପର୍କ ବଢ଼ାଇବା ସହ ସମର୍ଥନ ସାଉଣ୍ଟିବାରେ ଲାଗିପଡ଼ିଛନ୍ତି ।

{"id":86425}

ବର୍ଷ ଆରମ୍ଭରୁ ପୋଷ୍ଟର ବ୍ୟାନର ମାଧ୍ୟମରେ ନିଜର ଦାବେଦାରୀ ଜାହିର କରିବା ଚକ୍କରରେ ଅଛନ୍ତି ଆଉ ଜଣେ ନୂଆମୁହଁ । ୨୦୦୯ରୁ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦରୁ ଅବ୍ୟାହତି ନେଇ ସମାଜସେବାକୁ ଓହ୍ଲାଇଥିବା ଇଂଜିନିୟର ମୂରଲୀଧର ସେଠୀ ମଧ୍ୟ ବିଜେଡି ଟିକେଟ୍‌ ରେସ୍‌ରେ ନିଜକୁ ସାମିଲ କରିଛନ୍ତି । ସେପଟେ ଭୋଟରଙ୍କ ଭିତରେ ପୁରୁଣା ନେତାଙ୍କ ଅପେକ୍ଷା ନୂଆମୁହଁ ପ୍ରତି ଅଧିକ ଆଗ୍ରହ ଦେଖିବାକୁ ମିଳୁଛି ।

{"id":86426}

କେନ୍ଦ୍ରାପଡାରେ ବର୍ତ୍ତମାନର ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍ ଏଥର ମଧ୍ୟ ବିଜେଡି ଟିକେଟ୍ ହାତେଇବା ପାଇଁ ଦଳୀୟ ସ୍ତରରେ ଉଦ୍ୟମ ଚଳାଇଛନ୍ତି । ତେବେ କେନ୍ଦ୍ରାପଡା ବିଧାନସଭା ଆସନରେ ନିୟମିତ ବ୍ୟବଧାନରେ ଚେହେରା ପରିବର୍ତ୍ତନ ହେବାର ନଜିର ରହିଛି । ତେଣୁ ଏଥର କେନ୍ଦ୍ରାପଡ଼ା ବିଧାସଭା ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ଆଉ କାହାର କସମତ୍‌ ଚମକିବ ସେ ସବୁ କିଛି ବିଜେଡି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।   

{"id":86427}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.