ବୃହସ୍ପତି ଚଳନ: ଜାଣନ୍ତୁ କେଉଁ ରାଶି ଓ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଲାଭପ୍ରଦ ଏବଂ କାହା ପାଇଁ ଏ ବର୍ଷ ସାରା ଖରାପ

Published By : Prameya-News7 Bureau | October 13, 2018 IST

ଭୁବନେଶ୍ବର ୧୩|୧୦: ଲାହିରି ପଞ୍ଜିକା ଏବଂ ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ  ଅନୁସାରେ ବୃହସ୍ପତି ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ଘ୭:୨୧:୧୨ ସେକେଣ୍ଡରୁ ତୁଳାରାଶିରୁ ବିଛା ରାଶିର ପ୍ରଥମ ପାଦରେ ବିଶାଖା ନକ୍ଷତ୍ରରେ ଚଳନ କରୁଛନ୍ତି । ଏହି ଚଳନ ରାଜ୍ୟ ତଥା ଦେଶ ପାଇଁ ତଥା ବ୍ୟକ୍ତିଗତ ଜୀବନରେ କି ପ୍ରକାର ଫଳପ୍ରଦାନ କରିବ ସେ ବିଷୟ ରେ ଆଲୋଚନା କରିବା । ମନେକର ଜଣଙ୍କର ବିଛାରାଶି ଓ କୁମ୍ଭଲଗ୍ନ। ବର୍ତ୍ତମାନ ବୃହସ୍ପତି ବିଛାକୁ ଚଳିଲାପରେ ଏ ପ୍ରକାର ବୃହସ୍ପତିଙ୍କୁ କୁହାଯିବ ବିଛାରାଶି ଲୋକଙ୍କର ଜନ୍ମ ବୃହସ୍ପତି। ଶାସ୍ତ୍ରରେ ଅଛି- ‘ଜନ୍ମରାଶୌସୁରାଚାର୍ଯ୍ୟେରାମୋରାଜାବନଂଗତଃ’ ଅର୍ଥାତ୍‌ ଜନ୍ମ ରାଶିରେ ବୃହସ୍ପତି ଥିବାବେଳେ ରାଜାରାମଙ୍କୁ ରାଜ୍ୟ ହରାଇ ବନବାସ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଜନ୍ମ ବୃହସ୍ପତି ଅର୍ଥ, ସମ୍ପଦ, ରାଜ୍ୟ, ପଦ ପଦବୀ ନାଶ କରିଥାନ୍ତି। କିନ୍ତୁ ଉପରୋକ୍ତ ବ୍ୟକ୍ତିଙ୍କର ତାହା ନ ହୋଇପାରେ। କାରଣ ବୃହସ୍ପତି ତାଙ୍କର ଜନ୍ମଲଗ୍ନ କୁମ୍ଭରୁ ଦଶମ ଭାବରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କର ଶୁଭଦୃଷ୍ଟି ଦ୍ବିତୀୟ (ଧନଭାବ), ଚତୁର୍ଥ (ସୁଖ, ଜମିବାଡ଼ି, ଗାଡ଼ି) ଓ ଷଷ୍ଠ (ଚାକିରି, ରୋଗ, ଶତ୍ରୁ, ଋଣ) ଭାବକୁ ରହିଥିବାରୁ ଦଶା ଶୁଭ ଥିଲେ (ଦଶାମୁଖ୍ୟ, ଗୋଚରଗୌଣ) ସେହି ସବୁ ଭାବର ନିଶ୍ଚୟ ଶୁଭ ଫଳ ମିଳିବ। ତାଙ୍କର ଚାକିରି ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ। ପଦୋନ୍ନତି ମିଳିବାର ସମୟ ସନ୍ନିକଟ ହୋଇଥିଲେ ତାହା ମିଳିବ। ରୋଗ, ଋଣ ଓ ଶତ୍ରୁନାଶ ହେବ। ଧନ, ସୁଖ, ଗାଡ଼ି, ଜମିଇତ୍ୟାଦି ଲାଭହେବ। ଗୃହ ନିର୍ମାଣାଦି ବଡ଼ କାର୍ଯ୍ୟ ପାଇଁ ଋଣସୂତ୍ରରେ ଅର୍ଥ ଲାଭର ମଧ୍ୟ ସମ୍ଭାବନା ଅଛି। ଜନ୍ମ ରାଶିଠାରୁ ଜନ୍ମଲଗ୍ନ ଅଧିକ ବଳବାନ ହୋଇଥିଲେ ଏହି ଫଳ ମିଳିବା ନିଶ୍ଚିତ। ଗୋଚର ଚଳନ ଲଗ୍ନରୁ ହିଁ ବିଚାର କରିବା ଉଚିତ୍। ଜ୍ୟୋତିଷ ଶାସ୍ତ୍ରର ଅଷ୍ଟକ ବର୍ଗ ଫଳ ସର୍ବାଦୌ ଗ୍ରହଣୀୟ ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ।ବୃହସ୍ପତିଙ୍କ ଅଷ୍ଟକବର୍ଗରେ ଯଦି ସେ ଚାରୋଟିରୁ ଅଧିକ ଶୁଭ ରେଖା ପାଇଥାନ୍ତି ତେବେ ଜନ୍ମ ବୃହସ୍ପତି ହେଲେ ବି ସେ ଶୁଭ ଫଳ ଦେବେ। ଶୁଭ ସ୍ଥାନସ୍ଥ ଗ୍ରହ ବି ଶୁଭଫଳ ଦେଇପାରନ୍ତି ନାହିଁ ଯଦି ସେ ନୀଚସ୍ଥ, ଅସ୍ତଂଗତ ବା ଅନ୍ୟପ୍ରକାରେ ଦୁର୍ବଳ ହୋଇଥାନ୍ତି କିମ୍ବା ବଳାବଳ ଏବଂ ଅନ୍ୟ ଗ୍ରହମାନଙ୍କ ସହ ପାରସ୍ପରିକ ସମ୍ପର୍କ ବିଚାର ବିନା ଗୋଚର ବିଚାର ପୂର୍ଣ୍ଣାଙ୍ଗ ହୋଇ ନ ଥାଏ। ଶାସ୍ତ୍ରରେଅଛି- ”ଜୀବେ ଦ୍ବିତୀୟେ ଧନ ଧାନ୍ୟ ଭୋଗୀ, ସୁତାର୍ଥ ଲାଭୋ ନବପଞ୍ଚକେଷୁ। ଯାମିତ୍ରସଂସ୍ଥେ ବିପୁଳା ଚ ଲକ୍ଷ୍ମୀଶ୍ଚୈକାଦଶେ ସର୍ବ ଫଳଂ ଦଦାତି।“ ଅର୍ଥାତ୍‌ ବୃହସ୍ପତି ଜନ୍ମ ରାଶିରୁ ଦ୍ବିତୀୟରେ ଥିଲେ ଧନଧାନ୍ୟ ଭୋଗୀ କରାନ୍ତି, ନବମ ବା ପଞ୍ଚମରେ ଥିଲେ ସୁତ ଓ ଅର୍ଥ ଲାଭ କରାନ୍ତି, ସପ୍ତମରେ ଥିଲେ ବିପୁଳଲକ୍ଷ୍ମୀ (ଧନ ଓ ଐଶ୍ୱର୍ଯ୍ୟ)ର ଅଧିକାରୀ କରାନ୍ତି ଏବଂ ଏକାଦଶରେ ଥିଲେ ଉପରୋକ୍ତ ସବୁ ପ୍ରକାର ସୁଫଳଜାତକ ପାଇଥାଏ। କିନ୍ତୁ ଜନ୍ମରାଶିରୁ ବୃହସ୍ପତି ଅନ୍ୟ ସ୍ଥାନଗୁଡ଼ିକ ଅର୍ଥାତ୍‌ ୧, ୩, ୪, ୬, ୮, ୧୦, ୧୨ରେ ଥିଲେ ଶୁଭଫଳ ମିଳି ନ ଥାଏ। ବୃହସ୍ପତି ବା ଅନ୍ୟଗ୍ରହ କେଉଁରାଶିର କେଉଁନକ୍ଷତ୍ରକୁ ଚଳୁଛନ୍ତି ଏବଂ କର୍ତ୍ତାଙ୍କ ଜନ୍ମନ କ୍ଷତ୍ର କ’ଣ ତାହାଉପରେ ମଧ୍ୟ ସେ କେତେ ପରିମାଣରେ ଶୁଭ ବା ଅଶୁଭ ଫଳ ଦେବେ ତାହା ନିର୍ଭରକରେ। ଏହା ଜାଣିବା ପାଇଁ ଏକ ସୂତ୍ର ଅଛି। ଗ୍ରହର ଚଳନ ନକ୍ଷତ୍ର ସଂଖ୍ୟା (ବର୍ତ୍ତମାନ ବୃହସ୍ପତିଙ୍କ ଚଳନ ନକ୍ଷତ୍ର ସଂଖ୍ୟା ୧୬), କର୍ତ୍ତାଙ୍କ ଜନ୍ମ ନକ୍ଷତ୍ର ସଂଖ୍ୟା ଓ ରାଶି ସଂଖ୍ୟାକୁ ମିଶାଇ ମିଶାଣ ଫଳକୁ ୮ ଦ୍ବାରା ଭାଗ କରନ୍ତୁ। ଭାଗଶେଷ ୧ ରହିଲେ ଧନପ୍ରାପ୍ତି, ୨ ରହିଲେ ସୁଖପ୍ରାପ୍ତି, ୩ ରହିଲେ ଲକ୍ଷ୍ମୀପ୍ରାପ୍ତି, ୪ ରହିଲେ ଦ୍ରବ୍ୟହାନି, ୫ ରହିଲେ ଦୁଃଖଲାଭ, ୬ ରହିଲେ ଭୂମି ଓ ଅର୍ଥ ଲାଭ, ୭ ରହିଲେ କଳହ ଏବଂ ଶୂନ ରହିଲେ ଶସ୍ତ୍ରାଘାତ। ଗ୍ରହ ଚଳନ ସମୟରେ ଚନ୍ଦ୍ର କେଉଁ ରାଶିରେ ଅଛି ତାହା ମଧ୍ୟ ବିଚାର୍ଯ୍ୟ। ଯଦି ଗ୍ରହ ଚଳନ ସମୟରେ କର୍ତ୍ତାଙ୍କ ଜନ୍ମ ରାଶିକୁ ଚନ୍ଦ୍ର ଶୁଭ ଥିବେତେବେ ଗ୍ରହର ଅଶୁଭତ୍ବ ହ୍ରାସ ପାଇବ। ଉପରେ ବୃହସ୍ପତିଙ୍କ ବିଛାକୁ ଚଳନ ସମୟ ଯାହା ଲେଖାଅଛି ସେହି ସମୟରେ ଚନ୍ଦ୍ର ତୁଳାରାଶିରେ ଥିବେ। ତେଣୁ ଏହା ଶୁକ୍ଳପକ୍ଷ ହୋଇଥିବାରୁ କର୍ତ୍ତାଙ୍କ ଜନ୍ମରାଶିରୁ ଗଣିଲେ ଚନ୍ଦ୍ର ୧, ୨, ୩, ୫, ୬, ୭, ୯, ୧୦ ବା ୧୧ ହେଉଥିଲେ ଶୁଭ, ଅନ୍ୟଥା ଅଶୁଭ। କର୍ତ୍ତାଙ୍କ ଜନ୍ମ ରାଶିରୁ ଗଣିଲେ ବୃହସ୍ପତି ୨, ୫, ୭ ବା ୧୧ ହେଉଥିଲେଶୁଭ, ଅନ୍ୟଥା ଅଶୁଭ। ଉଭୟ ଚନ୍ଦ୍ର ଓ ବୃହସ୍ପତି ଶୁଭହେଉଥିଲେ ପୂର୍ଣ୍ଣଶୁଭ, ଉଭୟ ଅଶୁଭ ହେଉଥିଲେ ପୂର୍ଣ୍ଣ ଅଶୁଭ ଏବଂ ଗୋଟିଏ ଶୁଭ ଓ ଅନ୍ୟଟି ଅଶୁଭ ହେଉଥିଲେ ଅଧା ଶୁଭ ଓ ଅଧା ଅଶୁଭ ଫଳମିଳିବ। ଉପଚାର -  ହଳଦିଆରଙ୍ଗ, ଘିଅ, ହଳଦୀ ଓ ପକ୍ବ ଫଳର  କାରକ ବୃହସ୍ପତି ମିତ୍ର ଗ୍ରହ ମଙ୍ଗଳଙ୍କ କ୍ଷେତ୍ରକୁ ଚଳିବା ହେତୁ ଗୁଡ଼, ଚିନି ଓ ମିଠାଫଳ ଏବଂ ଡାଲିର ବଜାରଦର ହ୍ରାସ ପାଇବ। ବିଛାର ଅଧିପତି ମଙ୍ଗଳ ହେଉଛନ୍ତି ଗ୍ରହଜଗତର ସେନାପତି। ଏଣୁ ଆମର ପ୍ରତିରକ୍ଷା କ୍ଷେତ୍ର ଆଗ ଅପେକ୍ଷା ଅଧିକସୁଦୃଢ଼ ହେବ। ଆତଙ୍କବାଦୀ ଓ ଦେଶଦ୍ରୋହୀଙ୍କ ବିରୋଧ ରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତ ଶତ୍ରୁମାନେ ଧରାପଡ଼ିବେ। ବୃହସ୍ପତି ନ୍ୟାୟ, ଧର୍ମ ଓ ଆଧ୍ୟାତ୍ମିକତାର କାରକ ହୋଇଥିବାରୁ ନୀତି-ଆଦର୍ଶକୁ ପାଳନ କରୁଥିବା ନେତାମାନଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ନ୍ୟାୟାଳୟ ଓ ନ୍ୟାୟାଧୀଶମାନଙ୍କର କାର୍ଯ୍ୟକଳାପ ଓ ଖ୍ୟାତି ବଢ଼ିବ। ପଡ଼ିରହିଥିବା ଅନେକ ବିବାଦୀୟ ମାମଲାର ବିଚାରକରାଯାଇ ରାୟ ପ୍ରକାଶ ପାଇବ। ଧର୍ମ ଓ ଆଧ୍ୟାତ୍ମିକତାର ପ୍ରସାର ଘଟିବ। ଶିକ୍ଷା, ଅର୍ଥ, ବିଜ୍ଞାନ, ଅଧ୍ୟାପନା, ଆଇନ, ନ୍ୟାୟପାଳିକା, ଗବେଷଣା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକମାନଙ୍କର ଉନ୍ନତି ଘଟିବ। ନିଜସ୍ବ ମତାମତ ପ୍ରକୃତରେ ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଗ୍ରହମାନେ କେବଳ ଅନୁ ପ୍ରେରିତ କରନ୍ତି। ଯେଉଁମାନେ ସତ୍‌ନିଷ୍ଠ, ଆଦର୍ଶନିଷ୍ଠ ସେମାନେ ଖରାପ ଅନୁପ୍ରେରଣାର ବଶବର୍ତ୍ତୀହୁଅନ୍ତିନାହିଁ। ସେମାନେ ପରିବେଶରୁ ଖରାପ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଗ୍ରହଦୋଷ (ଗ୍ରହଣ କରିବାର ଦୋଷ) ରେ ପୀଡ଼ିତ ହୁଅନ୍ତି ନାହିଁ। ଆଦର୍ଶନିଷ୍ଠ ହୁଅନ୍ତୁ, ସତ୍‌କର୍ମ କରନ୍ତୁ, ଅଶୁଭ ଗ୍ରହର ପ୍ରଭାବ ଦ୍ବାରା ଆପଣ କ୍ଷତିଗ୍ରସ୍ତ ହେବେ ନାହିଁ। ଶାସ୍ତ୍ରରେଅଛି-‘କିଂ କୁର୍ବନ୍ତି ଗ୍ରହାଃ ସର୍ବେ ଯସ୍ୟ କେନ୍ଦ୍ରୀ ବୃହସ୍ପତିଃ?’ ଅର୍ଥାତ୍‌ ବୃହସ୍ପତି କେନ୍ଦ୍ରରେ ଥିଲେ ଦୁଷ୍ଟ ଗ୍ରହମାନେ କିଛି କ୍ଷତି କରିପାରନ୍ତି ନାହିଁ। ଆପଣଙ୍କ ଜନ୍ମକୋଷ୍ଠୀରେ ଯଦି ବୃହସ୍ପତି କେନ୍ଦ୍ରରେ ନ ଥାନ୍ତି, ତେବେ ଇଚ୍ଛା ପୂର୍ବକ ତାଙ୍କୁ (ଗୁରୁଙ୍କୁ) କେନ୍ଦ୍ରରେ ରଖନ୍ତୁ। ଅର୍ଥାତ୍‌ ଗୁରୁ କୈନ୍ଦ୍ରିକ ଜୀବନଯାପନ କରନ୍ତୁ। ଗୁରୁସବୁବେଳେ ଆମର ମଙ୍ଗଳ ଚାହାନ୍ତି ଓ ଭଲକାମ କରିବାପାଇଁ ଅନୁପ୍ରେରିତ କରନ୍ତି। ତେଣୁ ତାଙ୍କ ଇଚ୍ଛା ପୂରଣକୁ ଜୀବନର ବ୍ରତ କଲେ ଗ୍ରହ ବୈଗୁଣ୍ୟ ଆମର କିଛି କରିପାରିବନାହିଁ। -ଭୃଗୁଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.