ଲୋକସଭାରେ ପ୍ରଥମ ଭାଷଣରୁ ସେଲିବ୍ରିଟି ପାଲଟିଥିବା ସାଂସଦ ମହୁଆ ମୋଇତ୍ର କିଏ ଜାଣନ୍ତୁ
28/06/2019 at 4:43 PM

ନୂଆଦିଲ୍ଲୀ: ଲୋକସଭାରେ ତାଙ୍କର ପ୍ରଥମ ଭାଷଣର ଭିଡିଓ ଏବେ ଲକ୍ଷଲକ୍ଷ ଲୋକଙ୍କ ମଧ୍ୟରେ ପ୍ରସାରିତ ହେଉଛି। ଯାହା ତାଙ୍କୁ କେବଳ ଜାତୀୟ ନୁହେଁ ଏବେ ଅନ୍ତର୍ଜାତୀୟ ସେଲିବ୍ରିଟିର ଦର୍ଜା ଦେଉଛି। ସେ ଆଉ କେହି ନୁହନ୍ତି ପଶ୍ଚିମ ବଙ୍ଗ ତୃଣମୂଳ ସାଂସଦ ମହୁଆ ମୋଇତ୍ର। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ମହୁଆ ମଥପାର୍ଥକ୍ୟକୁ ଏ ଦେଶର ‘ଜାତୀୟ ଚରିତ୍ର ’ ବୋଲି ଆକ୍ଷା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଘେରିଥିବା ବେଳେ ପାର୍ଲାମେଣ୍ଟ ବାହାରେ ବି ସରକାରଙ୍କ ବିରୋଧରେ ଲହର ସୃଷ୍ଟି କରିପାରିଥିବା ଏହି ନୂଆ ସାଂସଦଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ମହୁଆ ଜଣେ କର୍ପୋରେଟ୍ ମହିଳା। ରାଜନୀତିରେ ଯୋଗ ଦେବା ପାଇଁ ୨୦୦୮ ମସିହାରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଜେ.ପି.ମୋର୍ଗାନର ଉପାଧ୍ୟକ୍ଷା ଥିଲେ। ଭାରତ ଫେରିବା ପରେ ସେ କଂଗ୍ରେସରେ ଯୋଗଦେଇ ରାହୁଲଙ୍କ ସହ କିଛି କାଳ କାମ କରିଥିଲେ। ରାହୁଲଙ୍କ ସହ ବେଶ ତାଳମେଳ ବିଥିଲା ତାଙ୍କର। ଏଣୁ ତାଙ୍କୁ ପଶ୍ଚିମବଙ୍ଗ ଯୁବ କଂଗ୍ରେସ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତେବେ କଂଗ୍ରେସର ପରିସ୍ଥିତିକୁ ଦେଖି ୨୦୧୦ ମସିହାରେ ସେ ତୃଣମୂଳ କଂଗ୍ରେସରେ ଯୋଗଦେଥିଲେ। ୨୦୧୬ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ସମେତ ମୁଖପାତ୍ର ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଗତ ସାଧାରଣ ନିର୍ବାଚନରେ ମହୁଆ କୃଷ୍ଣନଗର ଲୋକସଭା ଆସନରୁ ଟିଏମସି ସାଂସଦ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇଥିବା ୪୩ ବର୍ଷ ବୟସ୍କା ଯୁବ ସାଂସଦ ତାଙ୍କ ଦଳର ନୀତି ଓ ଆଭିମୁଖ୍ୟ ବାବଦେ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏଣୁ ସଂସଦରେ ରାଷ୍ଟ୍ର୍ପପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ତାଙ୍କୁ ମିଳିଥିବା ସୁଯୋଗର ହାତ ଛଡା କରିନଥିଲେ। ସରକାରଙ୍କୁ ତାଙ୍କର କଟାକ୍ଷ ଶାଣିତ ଥିଲା। ଏଥିପାଇଁ ଶାଶକ ଦଳ ସାଂସଦ ଗୃହରେ ହଟ୍ଟଗୋଳ ବି କରିଥିଲେ। ହେଲେ ମହୁଆଙ୍କ ସାମାନ୍ୟ ଇସାରା ସେମାନଙ୍କୁ ନିଜନିଜ ଆସନରେ ଚୁପ୍ ବସିବାକୁ ବାଧ୍ୟ କରିଥିଲା। ସଂସଦ ବାହାରେ ମହୁଆଙ୍କୁ ଘେରିଥିଲେ ଗଣମାଧ୍ୟମ ପ୍ରତିନିଧି । ସେଠାରେ ବି ସେ ଗଣମାଧ୍ୟମର ଭରପୁର ସୁଯୋଗ ଉଠାଇଛନ୍ତି। ଯାହା ତାଙ୍କୁ ଏବେ ଦେଶର ଜଣେ ଜଣେ ନାଗରିକ ସହ ପରିଚିତ କରାଇଥିବା ବେଳେ ସରକାରଙ୍କ ବିରୋଧରେ ତାଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।