Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାୟକ ଅନନ୍ତ ସିଂହଙ୍କ ସାମ୍ରାଜ୍ୟକୁ ଦୋହଲାଉଥିବା ବିହାରର ଏହି ଲେଡି ସିଂଘମ ଲିପି ସିଂହ କିଏ ଜାଣନ୍ତୁ

ବାହୁବଳି ନେତା ତଥା ମୋକମା ବିଧାନସଭା ଆସନର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା ନିର୍ଦ୍ଦଳୀୟ ନେତା ଅନନ୍ତ ସିଂହଙ୍କ ସାମ୍ରାଜ୍ୟକୁ ଦୋହଲାଉଥିବା ଯୁବ ଆଇପିଏସ୍ ଅଫିସର ଲିପି ସିଂହ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଏପର୍ଯ୍ୟନ୍ତ ଲୋକେ ଲିପିଙ୍କୁ କେବଳ ବରିଷ୍ଠ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନିକଟତମ ସହଯୋଗୀ ରାଜ୍ୟସଭା ସାଂସଦ ଆର.ସି.ପି. ସିଂହଙ୍କ ଝିଅ ବୋଲି ଜାଣିଥିଲେ। ହେଲେ ଏବେ ତାଙ୍କୁ ଲେଡି ସିଂଘମ ବୋଲି କହିଲେଣି ଲୋକେ।

୨୦୧୬ ବ୍ୟାଚ୍ ର ଏହି ପୋଲିସ ସେବା ଅଧିକାରୀ ଏବେ ବାଢର ଉପମଣ୍ଡଳ ଆଡିସନାଲ ଏସପି ଅବସ୍ଥାପିତ ଅଛନ୍ତି। ଗତ କିଛି ଦିନ ହେଲା ସେ ବିହାରରେ ‘ଛୋଟେ ସରକାର’ଭାବେ ଜଣାସୁଣା ଅନନ୍ତ ସିଂହଙ୍କ ବିରୋଧରେ ପଡିଯାଇଛନ୍ତି।  ଏବେ ତାଙ୍କ ଡରରେ ଅନନ୍ତ ସିଂହ କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ତା ଡାହାଣ ହାତ କୁହାଯାଉଥିବା ଲଲ୍ଲୁ ମୁଖିଆ ବି  ଫେରାର ହୋଇଯାଇଛି। ଲିପି ସିଂହ କିଛି ଦିନ ପୂର୍ବରୁ ମକମାସ୍ଥିତ ଅନନ୍ତ ସିଂହଙ୍କର ପୈତୃକ ଗ୍ରାମରେ ଚଢଉ କରିଥିଲେ। ଏହି ଚଢଉ ବେଳେ ତାଙ୍କ ଘରୁ ଗୋଟିଏ ଏକେ-୪୭ ରାଇଫଲ, ୨୨ଟି ଜୀବନ୍ତ ଗୁଳି ଓ ୨ଟି ଦେଶୀ ବୋମା ଜବତ କରିଥିଲେ। ଏଥିଲାଗି ତାଙ୍କ ବିରୋଧରେ ଲିପି ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟରେ ଏତଲ୍ଲା ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛନ୍ତି।

ଏବେ ଲଲ୍ଲୁ ମୁଖିଆର ଗିରଫ ପାଇଁ ଲିପି ତାର ସମ୍ପତ୍ତି ଜବତ କରିବା ନିମନ୍ତେ କୋର୍ଟଙ୍କୁ ନିବେଦନ କରିଛନ୍ତି।  ନୂଆ ଆଇପିଏସ୍ ଅଫିସର ଲିପି ଏବେ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି। ଗତ ସାଧାରଣ ନିର୍ବାଚନ ବେଳେ ଅନନ୍ତ ସିଂହଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଆତଙ୍କ ନିରୋଧକ ସ୍କ୍ୱାର୍ଡକୁ ବଦଳି କରିଦିଆଯାଇଥିଲା।

ତେବେ ନିର୍ବାଚନରେ ଅନନ୍ତ ସିଂହଙ୍କ ପତ୍ନୀ ନିଲମ ଦେବୀ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱୀତା କରି ହାରିଯାଇଛନ୍ତି। ଏଣୁ ଲିପି ତାଙ୍କ ପୁରୁଣା ପଦକୁ ଫେରି ଆସିଥିବା ବେଳେ ଏବେ ତାଙ୍କ ଅନୁମଣ୍ଡଳରେ ଅବୈଧ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ଚଳାଇଛନ୍ତି। ଏଥିରେ ଅନନ୍ତ ସିଂହଙ୍କ ଘରୁ ଅସ୍ତ୍ରଶସ୍ତ୍ର୍ ଜବତ ହୋଇଥିବା ବେଳେ ପୋଲିସ ଭୟରେ ତାଙ୍କ କର୍ମୀମାନେ ବି ଫେରାର ହୋଇଯାଇଛନ୍ତି। ଯାହାକୁ ଏବେ  ରାଜ୍ୟ ରାଜନୀତିରେ ପ୍ରଶଂସା ମିଳୁଥିବା ବେଳେ ସାଧାରଣ ଜନତାଙ୍କୁ ମଧ୍ୟ ବିଧାୟକଙ୍କ ଗୁଣ୍ଡାଙ୍କଠାରୁ ଆଶ୍ୱସ୍ତି ମିଳିଛି ।

1244 Views

   ସମ୍ବନ୍ଧିତ ଖବର