ଉତ୍ତରପ୍ରଦେଶ ‘ସପା’କୁ ଛାଡି କଂଗ୍ରେସରେ ଯୋଗଦେଇଥିବା ପଙ୍ଖୁଡୀ ପାଠକ ଲଭ ମ୍ୟାରେଜ ଲାଗି ଏବେ ଚର୍ଚ୍ଚାରେ
29/11/2019 at 5:26 PM

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ପୂର୍ବତନ ଫାୟାରବ୍ରାଣ୍ଡ ନେତ୍ରୀ ପଙ୍ଖୁଡୀ ପାଠକ ଡିସେମ୍ବର ୧ ତାରିଖ ଦିନ ସପାର ପୂର୍ବତନ ଜାତୀୟ ମୁଖପାତ୍ର ଅନୀଲ ଯାଦବଙ୍କୁ ବିବାହ କରିବେ। ଦିଲ୍ଲୀ କେଣ୍ଟସ୍ଥିତ ବସୁନ୍ଧରା ବାଟିକାରେ ସେମାନଙ୍କର ବିବାହ ଅନୁଷ୍ଠିତ ହେବ। ଉଭୟ ପ୍ରେମ ବିବାହ କରୁଛନ୍ତି। ତେବେ ଏଥିଲାଗି ସେମାନଙ୍କ ପରିବାରର ସମ୍ମତି ମଧ୍ୟ ରହିଛି। ସୂଚନା ଯୋଗ୍ୟଯେ ପଙ୍ଖୁଡୀ ସପା ଛାଡିଦେଇଥିବା ବେଳେ ଏବେ କଂଗ୍ରେସରେ ମିଡିଆ ପେନାଲିଷ୍ଟ ଅଛନ୍ତି।

ଏହା ପୂର୍ବରୁ ପଙ୍ଖୁଡୀ ତାଙ୍କର ବୟାନକୁ ନେଇ ପ୍ରାୟତଃ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଆସିଛନ୍ତି। ହେଲେ ପ୍ରଥମ ଥର ତାଙ୍କ ବିବାହକୁ ନେଇ ଏବେ ପୁଣି ଥରେ ଶିରୋନାମା ପାଲଟିଛନ୍ତି। ପ୍ରାୟ ସମସ୍ତେ ଜାଣନ୍ତି ପଙ୍ଖୁଡୀ ଅଣରାଜନୈତିକ ପରିବାରରୁ ଆସିଛନ୍ତି। ତେବେ ଆସନ୍ତୁ ଜାଣିବା ପଙ୍ଖୁଡୀ ପାଠକ କିଏ ?

ସପା ମୁଖପାତ୍ର ଥିବା ବେଳେ ଖୁବ୍ କମ ଦିନରେ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ପଙ୍ଖୁଡୀ । ତାଙ୍କ ପିତା ଜେ.ସି.ପାଠକ ଓ ମା ଆରତୀ ପାଠକ ଉଭୟ ପେଷାରେ ଡାକ୍ତର। ସେମାନେ ଦିଲ୍ଲୀରେ ଘରୋଇ ପ୍ରାକ୍ଟିସ କରୁଥିବା ବେଳେ ପଙ୍ଖୁଡୀଙ୍କର ସାନ ଭାଇ ଚିରାଗ ପାଠକ ଏବେ ଗ୍ରାଜୁଏସନ କରୁଛନ୍ତି। ଆଇନ ଛାତ୍ରୀ ପଙ୍ଖୁଡୀ ୨୦୧୦ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ହଂସରାଜ କଲେଜରୁ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିଲେ। ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୮।

ସପା ଛାତ୍ରନେତ୍ରୀ ଭାବେ ପରବର୍ତ୍ତି ବର୍ଷମାନଙ୍କରେ ପାର୍ଟିପକ୍ଷରୁ ଛାତ୍ର ସଂଘ ନିର୍ବାଚନ ପରିଚାଳନା କରୁଥିଲେ। ପଙ୍ଖୁଡୀ ରାଜନୀତିରେ ବେଶ୍ ସକ୍ରିୟଥିଲେ। ସେ ଅଖିଳେଶ ଯାଦବଙ୍କ କ୍ରାନ୍ତି ରଥଯାତ୍ରାରେ ବି ଅଂଶଗ୍ରହଣ କରିଥିଲେ। ରାଜନୀତି ଲାଗି ପଙ୍ଖୁଡୀଙ୍କ ଝୁଙ୍କ ଅଖିଳେଶ ଓ ତାଙ୍କ ପତ୍ନୀ ଡିମ୍ପଲଙ୍କୁ ବେଶ ପ୍ରଭାବିତ କରିଥିଲା। ଏଣୁ ପଙ୍ଖୁଡୀ ଯେତେବେଳେ ଦଳ ଛାଡିଲେ ସେତେବେଳେ ସପାରେ ଅନ୍ତରୀଣ ଦ୍ୱନ୍ଦ୍ୱ ଉପୁଜିଥିଲା। ରାଜନୈତିକ ଜୀବନ ବ୍ୟତୀତ ପଙ୍ଖୁଡୀ ସୋସାଲ ମିଡିଆରେ ବି ଖୁବ୍ ଆକ୍ଟିଭ। ଫେସବୁକ୍ ରେ ତାଙ୍କର ହଜାର ହଜାର ଫଲୋଅର ଥିବା ବେଳେ ଗତ ଲୋକସଭା ନିର୍ବାଚନ ବେଳେ ତାଙ୍କର ଏକ ଟ୍ୱିଟ୍ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା।