୨୧ଟି ଲୋକସଭାରୁ କିଏ କେଉଁଠି କେତେ ଭୋଟ୍‌ରେ ଆଗୁଆ ଜାଣନ୍ତୁ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୮ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୧୩ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ବି ଆସନରେ ଆଗୁଆ ନାହିଁ । ସେହିଭଳି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ୧୦୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୨୪ଟି ଆସନରେ ଓ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି ।

ବରଗଡରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କଠାରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୨୮ହଜାର ଭୋଟ୍ ରେ ଆଗୁଆ ରହିଛନ୍ତି । ସେହିଭଳି ସୁନ୍ଦରଗଡରେ କଂଗ୍ରେସ ମେଣ୍ଟ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ଠାରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ୫୯ହଜାର ୮୨୪ ଭୋଟ୍ ରେ ଆଗୁଆ ଅଛନ୍ତି । ସମ୍ବଲପୁରରେ ବିଜେପି ପ୍ରାର୍ଥୀ ନିତୀଶ ଗଙ୍ଗଦେବ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ନଳିନୀକାନ୍ତ ପ୍ରଧାନଙ୍କଠାରୁ ୧୭ହଜାର ୭୭୦ ଭୋଟ୍ ରେ ଆଗୁଆ ଅଛନ୍ତି । ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ଠାରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୩ହଜାର ୩୬୪ ଭୋଟ୍ ରେ ଆଗୁଆ ଅଛନ୍ତି ।

ବଲାଙ୍ଗିରରେ ବିଜେଡି ପ୍ରାର୍ଥୀ କଳିକେଶ ସିଂଦେଓଙ୍କ ଠାରୁ ବିଜେପି ପ୍ରାର୍ଥିନୀ ସଙ୍ଗିତା ସିଂଦେଓ ୧୯ହଜାର ୯୧୭ଖଣ୍ଡ ଭୋଟ୍ ରେ ଆଗୁଆ ଅଛନ୍ତି । ସେହିଭଳି କଳାହାଣ୍ଡିରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କଠାରୁ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୨୪ହଜାର ଭୋଟ୍ ରେ ଆଗୁଆ ଅଛନ୍ତି ।

ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ୩ହଜାର ୯୭୫ ଭୋଟ୍ ରେ ଆଗୁଆ ଅଛନ୍ତି । ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଅରୁପ ପଟ୍ଟନାୟକଙ୍କଠାରୁ ୧୪ହଜାର ୧୧୩ ଭୋଟ୍ ରେ ଆଗୁଆ ଅଛନ୍ତି ।

ଅପରପକ୍ଷରେ କେନ୍ଦୁଝର ଲୋକସଭାର ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କଠାରୁ ୨୨ହଜାର ୩ଶହ ଭୋଟ୍ ରେ ଆଗୁଆ ରହିଛନ୍ତି । ମୟୁରଭଞ୍ଜ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ବିଶ୍ବେସର ଟୁଡୁଙ୍କ ଠାରୁ ୨ହଜାର ୫ଶହ ୫୮ ଭୋଟ୍ ରେ ଆଗୁଆ ଅଛନ୍ତି । ଭଦ୍ରକ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଅଭିମନ୍ୟୁ ସେଠୀଙ୍କ ଠାରୁ ୬ହଜାର ଭୋଟ୍ ରେ ଆଗୁଆ ଅଛନ୍ତି ।

ଢେଙ୍କାନାଳ ଲୋକସଭା ଆସନରେ ବିଜେଡିର ମହେଶ ସାହୁ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ଠାରୁ ୧୪ହଜାରରୁ ଅଧିକ ଭୋଟ୍ ରେ  ଆଗୁଆ ଅଛନ୍ତି । ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ କଂଗ୍ରେସର ପ୍ରଦୀପ ମାଝୀଙ୍କ ଠାରୁ ୩୯ହଜାର ଭୋଟ୍ ରେ ଆଗୁଆ ଅଛନ୍ତି ।

ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ବୈଜୟନ୍ତ ପଣ୍ଡାଙ୍କଟାରୁ ୫୦ହଜାର ୩ଶହ ୧୩ ଭୋଟ୍ ରେ ଆଗୁଆ ଅଛନ୍ତି । ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିର ଚନ୍ଦ୍ର ଶେଖର ସାହୁ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ଭୃଗୁ ବକ୍ସିପାତ୍ରଙ୍କ ଠାରୁ ୬୪ହଜାର ଭୋଟ୍ ରେ ଆଗୁଆ ରହିଛନ୍ତି ।

ଆସିକା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋୟୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ଅନୀତା ପ୍ରିୟଦର୍ଶିନୀଙ୍କ ଠାରୁ ଏକ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ଅଛନ୍ତି । କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ଠାରୁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୩୬ହଜାର ଭୋଟ୍ ରେ ଆଗୁଆ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.