ଜାଣନ୍ତୁ କୁଲଭୂଷଣ କିଏ ଓ କାହିଁକି ତାଙ୍କର କୁଶଳ କାମନା କରୁଛି ଦେଶ
17/07/2019 at 8:24 PM

ମୁମ୍ବାଇ: ଭାରତୀୟ ନୌସେନାର ଜଣେ ପୂର୍ବତନ ଅଧିକାରୀ ଥିଲେ କୁଲଭୂଷଣ ଯାଦବ। ତାଙ୍କର ବାଲ୍ୟ ଓ ଶୈଶବ କଟିଥିଲା ମୁମ୍ବାଇରେ । ତାଙ୍କ ପିତା ସୁଧୀର ଯାଦବ ଓ କାକା ସୁଭାଷ ଯାଦବ ମୁମ୍ବାଇ ପୋଲିସରେ ଉଚ୍ଚ ଅଧିକାରୀ ଥିଲେ। ଦୁଇ ଭାଇ ମୁମ୍ବାଇ ପୋଲିସରୁ ଏସିପି ପଦରେ ଅବସର ନେଇଥିଲେ। ଶିକ୍ଷା ସମାପ୍ତ ହେବା ପରେ କୁଲଭୂଷଣ ଏନଡିଏ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇ ଭାରତୀୟ ନୌସେନାରେ ଯୋଗଦେଇଥିଲେ।

ତେବେ କୁଲଭୂଷଣ ପିଲାଟି ବେଳରୁ ବେଶ୍ ମିଳାପି ଥିଲେ। ଏଣୁ ସେମାନେ ରହୁଥବା ଡିଲାଇଲ ରୋଡରେ ତାଙ୍କର ଅନେକ ସାଙ୍ଗ ସାଥୀ ଅଛନ୍ତି। ନୌସେନାରେ ଯୋଗ ଦେବା ପରେ ବି ଛୁଟି ମିଳିଲେ ମୁମ୍ବାଇ ଘରକୁ ଆସିବା ବେଳେ କୁଲଭୂଷଣ ସାଙ୍ଗସାଥୀଙ୍କୁ ଭେଟିବାକୁ ଡିଲାଇଲ ରୋଡ ଚାଲି ଯାଆନ୍ତି। ପିଲାଟି ବେଳରୁ ଫୁଟବଲ ଖେଳ ପ୍ରୀୟ କୁଳଭୂଷଣ ଚାକିରୀ କରିଥିବା ବେଳେ ଛୁଟିରେ ଥରେ ସାଙ୍ଗମାନଙ୍କୁ କାଶ୍ମୀର ବୁଲିବାକୁ ଡକାଇଥିଲେ। ଯେଉଁଠି ସେମାନେ ଖୁବ୍ ଖୁସିରେ ଛୁଟି କଟାଇବା ସହ କାଶ୍ମୂୀର ବୁଲିଥିଲେ ବୋଲି ତାଙ୍କ ସାଙ୍ଗସାଥୀ କୁହନ୍ତି।

ତେବେ ୨୦୧୬ ମସିହାରେ ତାଙ୍କୁ ପାକିସ୍ତାନ ଗିରଫ କରିବା ଖବର ପ୍ରଚାରିତ ହେବା ପରେ ସାଙ୍ଗସାଥୀଙ୍କ ମହଲରେ ଦୁଃଖର ବାଦଲ ଛାଇ ଯାଇଛି। ଅତୀତରେ ପାକ୍ କାରାଗାରରେ ବନ୍ଦୀ ଶରବଜୀତ ସିଂହକୁ ହତ୍ୟା କରାଯାଇଥିଲା। ଘଟଣା ଆଜିବି ପ୍ରତିଟି ଭାରତୀୟକୁ ଆନ୍ଦୋଳିତ କରୁଛି । ଏଣୁ କୁଲଭୂଷଣ ପାକିସ୍ତାନରେ ବନ୍ଦୀ ହେବା ଦିନଠାରୁ ତାଙ୍କ ସାଙ୍ଗସାଥୀମାନେ ତାଙ୍କର କୁଶଳମଙ୍ଗଳ କାମନା କରିଆସୁଛନ୍ତି।