ଆନ୍ନାଙ୍କ ଆନ୍ଦୋଳନ ତ କେବେ ‘ଆପ’ ନେତା, ସୁପ୍ରିମକୋର୍ଟରେ ବଡବଡ ମାମଲା ପରିଚାଳନା କରୁଥିବା ଜାଣନ୍ତୁ ପ୍ରଶାନ୍ତ ଭୂଷଣ କିଏ?

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା ଯାଚନା ନିମନ୍ତେ ଦୁଇ ଦିନ ସମୟ ଦିଆଯାଇଛି। ତେବେ ସୁପ୍ରିମକୋର୍ଟଙ୍କୁ କ୍ଷମାଯାଚନା କରିବେନି ବୋଲି ପ୍ରଶାନ୍ତ ଭୂଷଣ ଗୁରୁବାର ସ୍ପଷ୍ଟ କରିଦେଇଛନ୍ତି। ମାମଲାକୁ ନେଇ ଜାତୀୟ ଗଣମାଧ୍ୟମ ସମେତ ସୋସିଆଲ ମିଡିଆରେ ଏବେ ପ୍ରଶାନ୍ତ ଭୂଷଣ ଛାଇଯାଇଛନ୍ତି। ଏଥିରେ ଯଦି ପ୍ରଶାନ୍ତ ଭୂଷଣଙ୍କୁ ନେଇ ଆପଣଙ୍କ ମନରେ ତିଳେ ବି ସନ୍ଦେହ ଥାଏ ତେବେ ଜାଣନ୍ତୁ ତାଙ୍କ ପୁରା ପ୍ରୋଫାଇଲ।

ଆଡଭୋକେଟ ପ୍ରଶାନ୍ତ ଭୂଷଣ ଜଣେ ବରିଷ୍ଠ ଆଇନଜ୍ଞ। ସେ ଭାରତର ପୂର୍ବତନ ଆଇନ ମନ୍ତ୍ରୀ ତଥା ସୁପ୍ରିମକୋର୍ଟ ଓକିଲ ଶାନ୍ତିଭୂଷଣଙ୍କର ସେ ପୁତ୍ର। ପିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓକିଲାତିକୁ ପେଷା କରିଥିବା ପ୍ରଶାନ୍ତ ତାଙ୍କ ପାଠପଢା ଜୀବନରେ ଆଇଆଇଟି ମାଡ୍ରାସରେ ମେକାନିକାଲ ଇଞ୍ଜିନିୟରିଂ ପଢିବା ଲାଗି ନାମ ଲେଖାଇଥିଲେ। ସେଠାରେ ସେ ଗୋଟିଏ ସିମେଷ୍ଟର ପଢିବା ପରେ ତାଙ୍କର ମନ ଲାଗିନଥିଲା। ଏଣୁ ଫେରିଆସିଥିଲେ।

ପରେ ସେ ଇକୋନମିକ୍ସ ଓ ଫିଲୋସଫି ପଢିବା ଲାଗି ଆମେରିକାର ପ୍ରିନ୍ସଟନ ୟୁନିଭର୍ସିଟିରେ ଯୋଗଦେଇଥିଲେ। ସେଠାରେ ମଧ୍ୟ ପାଠପଢା ଅଧାରେ ଛାଡି ଚାଲିଆସିଥିଲେ। ଶେଷରେ ଏଲହାବାଦ ୟୁନିଭର୍ସିଟିରୁ ଲ ଗ୍ରାଜ୍ୟୁଏଟ୍ ହୋଇଥିଲେ। ଅନଲାଇନ୍ ମିଡିଆ ଅନୁସାରେ ପ୍ରଶାନ୍ତ ଭୂଷଣ କୋର୍ଟରେ ଅନୁନ୍ୟ ୫୦୦ ଜନସ୍ୱାର୍ଥ ମାମଲାର ପରିଚାଳନା କରିଥିବା ଦାବିକରନ୍ତି। ଏହି ଦାବି ଅନୁସାରେ ସେ ତାଙ୍କ ସମୟର ୩ ଚତୁର୍ଥାଂଶ କେବଳ ଏପରି ମୋକଦ୍ଦମା ଲାଗି ଦିଅନ୍ତି।

ରାଫେଲ ବିମାନ ରିଭ୍ୟୁ ପିଟିସନ ହେଉ ଅଥବା ଆରଟିଆଇରେ ପରିବର୍ତ୍ତନ, ୨-ଜି  ସ୍ପେକ୍ଟ୍ରମ ଆବଣ୍ଟନ ହେଉ ଅଥବା ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁକୁ ନେଇ ବଡ ପିଟିସନର ସେ କୋର୍ଟରେ ପରିଚାଳନା କରିଛନ୍ତି। ନିକଟରେ ସେ ପିଏମ କେୟାର ଫଣ୍ଡରୁ ପାଣ୍ଠି ଏନଡିଆରଏଫକୁ ସ୍ଥାନାନ୍ତରଣ ଲାଗି ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ଏ ନେଇ ତାଙ୍କର ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଗତବର୍ଷ ମଧ୍ୟ ସିବିଆଇ ବନାମ ସିବିଆଇ ମାମଲାରେ ସେ ଅଦାତଲ ଅବମାନନା ଅଭିଯୋଗର ଶିକାର ହୋଇଥିଲେ। ତେବେ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଲ ସେତେବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହିଁନଥିଲେ।

କାହିଁକି ଚର୍ଚ୍ଚାରେ ପ୍ରଶାନ୍ତ ଭୂଷଣ
ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟାଳୟ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତ ଜୁନ ୨୭ ତାରିଖରେ ପ୍ରଶାନ୍ତ ସିଜେଆଇଙ୍କ ବିରୋଧରେ ‘ଲୋକତନ୍ତ୍ରରେ ବିନାସର ଭୂମିକା ନିର୍ବାହ’ କରୁଥିବାର ଅଭିଯୋଗ କରିଥିଲେ। ଏହା ପରେ ଜୁନ ୨୯ ତାରିଖରେ ‘ବିଜେପି ନେତାଙ୍କ ୫୦ଲକ୍ଷର ବାଇକ୍ ସଉକ’ ଓ ଏସିସିକୁ ଲକଡାଉନ ରଖି ନାଗରିକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରିବା ଆଦି ଅଭିଯୋଗ କରିଥିଲେ।

କ’ଣ କହିଛନ୍ତି କୋର୍ଟ
ସୁପ୍ରିମକୋର୍ଟ ତାଙ୍କ ଲିଖିତ ଆଦେଶରେ ୩୦ ବର୍ଷ ଧରି ଓକିଲାତି କରୁଥିବା ଓ ସମସ୍ତ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିବା ବ୍ୟକ୍ତିତ୍ୱଙ୍କଠାରୁ ଏପରି ଟ୍ୱିଟ୍‌ ପୋଷ୍ଟ ଆଶା କରାଯାଇ ନପାରେ। ତାଙ୍କ ଟ୍ୱିଟ୍‌ଗୁଡିକୁ ଜନସ୍ୱାର୍ଥରେ ନ୍ୟାୟପାଳିକାଙ୍କ କାର୍ଯ୍ୟ ସମୀକ୍ଷା ବୁଝା ଯାଇପାରିବନି।  ଟ୍ୱିଟ୍‌ ସଂସ୍ଥା ସୁପ୍ରିମକୋର୍ଟ ଓ ସିଜେଆଇଙ୍କ ମର୍ଯ୍ୟଦାହାନୀକାରକ ଓ ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବା ଭଳି। ତେବେ ଅଭିବ୍ୟକ୍ତିର ସ୍ୱାଧୀନତା ଓ ଅବମାନନା ମଧ୍ୟରେ ଅନ୍ତର ରହିଛି ବୋଲି କୋର୍ଟ କହିଛନ୍ତି।

କ’ଣ କୁହନ୍ତି ପ୍ରଶାନ୍ତ ଭୂଷଣ
କୋର୍ଟଙ୍କ ମନ୍ତବ୍ୟରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଲିଖିତ ନିବେଦନ ଦାଖଲ କରି ଅଦାଲତ ଅବମାନନା ଆଇନର ଧାରା ୨(ସି)(ଆଇ)କୁ ଚାଲେଞ୍ଜ କରିଥିଲେ। ପ୍ରଶାନ୍ତଙ୍କ ଏହି ଆବେଦନରେ ବରିଷ୍ଠ ସାମ୍ବାଦିକ ଏନ୍.ରାମ ଓ ବରିଷ୍ଠ ଓକିଲ ତଥା ରାଜନେତା ଅରୁଣ ସୌରୀ ମଧ୍ୟ ପିଟିସନ ଦାଖଲ କରି ପକ୍ଷ ହୋଇଥିଲେ। ସର୍ବୋଚ୍ଚନ୍ୟାୟାଳୟଙ୍କ ସମ୍ମାନ ଭୂଲୁଣ୍ଠିତ କରିବା ବୟାନ ଉପରେ ଲାଗୁ ହେଉଥିବା ଏହି ଧାରା ଅଭିବ୍ୟକ୍ତିର ସ୍ୱାତନ୍ତ୍ରତା ଓ ମୌଳିକ ଅଧିକାରର ହନନ ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.