ପ୍ରସ୍ତୁତ ହେଲା ମୋଦିଙ୍କ ଜୁମ୍ୱୋ ଟିମ୍‌, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ମନ୍ତ୍ରୀ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଦ୍ବିତୀୟ ପାଳିର ପ୍ରଥମ ଅଦଳ ବଦଳ କରିଛନ୍ତି। ଅଦଳବଦଳ ଏମିତି ହୋଇଛି ଯେ ଏବେ ଏକ ଜମ୍ବୋ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ କରିଛନ୍ତି । ଟିମ୍‌ ମୋଦିରେ ୟଙ୍ଗ ବ୍ରିଗେଡ଼ ପ୍ରାଥମିକତା ନେଇଛି। ୪୩ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।  ତେବେ ୨୦୨୪ ଏବଂ ଆଗକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ  ଦୃଷ୍ଟିରେ ମନ୍ତ୍ରିମଣ଼୍ଡଳରେ ଏଣ୍ଟ୍ରି ନେଇଛନ୍ତି କିଛି ୟଙ୍ଗ ଲିଡର।

ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଯେଉଁ ୪୩ ଜଣ ଆଜି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା, ୧୨ ଜଣ ତଫସିଲ ଭୁକ୍ତ ଜାତି, ୮ ଜଣ ଅନୁସୂଚୀତ ଉପଜାତି, ୨୭ ଜଣ ଓବିସି, ୫ ଜଣ ସଂଖ୍ୟାଲଘୁ ଶ୍ରେଣୀର ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୟଙ୍ଗ ବ୍ରିଗେଡ଼କୁ ପ୍ରାଥମିକତା ଦେଇଛନ୍ତି। ଯେଉଁମାନେ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ସେମାନଙ୍କ ହାରାହାରି ବୟସ ପାଖାପାଖି ୫୫ ହେବ।

୨୦୨୪ ଲୋକସଭା ନିର୍ବାଚନ ଏବଂ ଆଗକୁ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଙ୍କ କଷିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁ ୪୩ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣ ଥିବା ବେଳେ ଗୁଜରାଟରୁ ୫ ଜଣ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ୪ ଜଣ ଲେଖାଏଁ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରୁ ୨ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଜମ୍ବୋ ମନ୍ତ୍ରିମଣ୍ଡଳରେ ଏବେ ଉତ୍ତରପ୍ରଦେଶର ଭାଗିଦାରି ବଢ଼ିଛି। ରାଜ୍ୟଗୁଡ଼ିକର ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ମଧ୍ୟ ମନ୍ତ୍ରିମଣ୍ଡଳରେ କିଛି ନେତାଙ୍କୁ ସ୍ଥାନ ମିଳିଛି। ଯେମିତିକି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ବିଜେପି ତାର ସେ ରାଜ୍ୟରେ ଦଳକୁ ମଜଭୁତ କରିବାକୁ ଇସାରା ଦେଇଛି। ସେହିପରି ଏଲଜେପିର ନୂଆ ନେତା ହୋଇଥିବା ଦିବଙ୍ଗତ ରାମ ବିଳାଶ ପାଶ୍ବାନଙ୍କ ଭାଇ ପଶୁପତି ପାରସଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ପୂର୍ବ ହିସାବକୁ ବରାବର କରିଛନ୍ତି ମୋଦି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡ଼ା ବି କେନ୍ଦ୍ରମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.