LICର ଅଂଶଧନ ଯଦି ବିକ୍ରି ହୁଏ ଜାଣନ୍ତୁ ପଲିସି ହୋଲ୍ଡରଙ୍କ ଉପରେ କ’ଣ ପଡିବ ପ୍ରଭାବ
3/02/2020 at 8:49 PM

ନୂଆଦିଲ୍ଲୀ ୩।୧: କେନ୍ଦ୍ର ଅର୍ଥମନ୍ତ୍ରୀ ୧ ଫେବୃଆରୀ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଅଭିଭାଷଣରେ ସରକାରୀ ବୀମା କମ୍ପାନୀ ଏଲଆଇସିର ଅଂଶଧନକୁ ନେଇ ଅର୍ଥମନ୍ତ୍ରୀ ଗୃହକୁ ସୂଚିତ କରିବା ବେଳେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେବେଠାରୁ ଜୀବନ ବୀମାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଏଯାଏଁ ଥମିନି। ପଲିସିଧାରୀ ଏବେବି ସେମାନଙ୍କ ଜମା ପୁଞ୍ଜିକୁ ନେଇ ଆଶଙ୍କାରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଏକ୍ସପର୍ଟ।
ଗଭର୍ଣ୍ଣାନ୍ସ ସଂସ୍କାର ହେବ
ଇନଭେଷ୍ଟମେଣ୍ଟ ବଜାର ବିଶେଷଜ୍ଞଙ୍କ ଅନୁସାରେ ଏଲଆଇସିର ଲିଷ୍ଟିଂ ପରେ ଏହାର ଗଭର୍ଣ୍ଣାନ୍ସରେ ସଂସ୍କାର ଆସିବ । ଅନ୍ୟ କମ୍ପାନୀଙ୍କ ଭଳି ସେୟାର ବଜାରର ପଡା ଉଠାର ଏଲଆଇସି ସମ୍ମୁଖୀନ ହେବ । ଏହାଛଡା ଲିଷ୍ଟିଂ ହୋଇଥିବା ଯୋଗୁ ଏଲଆଇସିକୁ ସେବିଙ୍କ ସମସ୍ତ ନୀତି ନିୟମ ମିନି ଚଳିବାକୁ ପଡିବ। ଏଣୁ କମ୍ପାନୀର କର୍ପୋରେଟ ଗଭର୍ଣ୍ଣାନସ ମଜଭୁତ ହେବା ସହ କମ୍ପାନୀର ଲାଭରୁ ପଲିସି ହୋଲ୍ଡର ଲାଭାନ୍ୱୀତ ହେବେ।
ଆସିବ ପାରଦର୍ଶିତା
ତେବେ ସବୁଠୁ ବଡ କଥା ହେଉଛି ଏପରି ହେବା ଯୋଗୁ ଏବେ ଏଲଆଇସିର କାରବାର ଅଧିକ ପାରଦର୍ଶି ହେବ। ଲୋକେ କମ୍ପାନୀର ଲାଭ ସମ୍ପର୍କରେ ଜାଣିବା ସହ ନିଜର ଇନଭେଷ୍ଟମେଣ୍ଟ ପ୍ଲାନିଂ କରିପାରିବେ। ଏପର୍ଯ୍ୟନ୍ତ ଏଜେଣ୍ଟଙ୍କ ପରାମର୍ଶରେ ବିକ୍ରି ହେଉଥିବା ପ୍ରଡକ୍ଟଠାରୁ ଲୋକେ ବହୁତ ଅଧିକ ପ୍ରଡକ୍ଟ ସମ୍ପର୍କରେ ଜାଣିବା ସହ କିଣିବା ଲାଗି ବି ଆଗ୍ରହୀ ହେବେ। ଫଳରେ ଏଲଆଇସି ଆହୁରି ମଜଭୁତ ହେବ।
LIC ହେବ ସର୍ବ ବୃହତ୍ତ ଲିଷ୍ଟିଂ କମ୍ପାନୀ, ପଛରେ ପଡିବ ରିଲାଏନ୍ସ
ସେୟାର ବଜାରରେ ଏଲଆଇସିର ପ୍ରବେଶ ପ୍ରତିଯୋଗୀତା ସୃଷ୍ଟି କରିବ। ସମାନ ଧରଣର ବ୍ୟବସାୟରେ ଜଡିତ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗୀତା ବଢିବା ସହ ପ୍ରାଇସିଂ, ପ୍ରଡକ୍ଟ ଫିଚର ଓ ସେବାରେ ମଧ୍ୟ ସୁଧାର ଆସିବ। ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବଡ ଭାଗ ସରକାରଙ୍କ ହାତରେ ରହିବାକୁ ଥିବାରୁ କମ୍ପାନୀ ଉପରେ ଏହାର ବିଶେଷ ପ୍ରଭାବ ରହିବନାହିଁ। ସେପଟେ ଏଲଆଇସି ଲିଷ୍ଟିଂକୁ ଆସିବା ନେଇ ଘରୋଇ କମ୍ପାନୀଙ୍କ ମଧ୍ୟରେ ଏବେ ଆତଙ୍କ ଦେଖାଦେଇଛି। ବିଶେଷଜ୍ଞଙ୍କ ଅନୁସାରେ ଏଲଆଇସି ଲିଷ୍ଟିଂ ହେବାମାତ୍ରେ ଅନେକ ରେକର୍ଡ ଭାଙ୍ଗିବ। ଅର୍ଥସଂଗ୍ରହ ପ୍ରସଙ୍ଗରେ ଏଲଆଇସି ସାଉଦୀ ତୈଳ କମ୍ପାନୀ ଆରମକୋ ଭଳି ହେବା ସହ ରିଲାଏନ୍ସକୁ ପଛରେ ପକାଇ ଦେଶର ସର୍ବବୃହତ୍ତ ଲିଷ୍ଟିଂ କମ୍ପାନୀରେ ପରିଣତ ହେବ।