ରିୟଲ ଇଷ୍ଟେଟ୍ ସେକ୍ଟରକୁ ନେଇ SBI ଅଧ୍ୟକ୍ଷଙ୍କ ବଡ ବୟାନ, ବ୍ୟବସାୟିକ ନୀତି ପରିବର୍ତ୍ତନ ଉପରେ ଗୁରୁତ୍ୱ
13/04/2020 at 2:53 PM

ମୁମ୍ବାଇ : ରିୟଲ ଇଷ୍ଟେଟ୍ ସେକ୍ଟରକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ବଡ ବୟାନ ଦେଇଛନ୍ତି। ଏବେ ରିୟଲ ଇଷ୍ଟେଟ୍ ସେକ୍ଟର ଆଉ ଆଗଭଳି ଦୁଆଁଳିଆ ଗାଈ ହୋଇ ନାହିଁ। ପରିସ୍ଥିତି ସହ ସବୁକିଛି ବଦଳି ଯାଇଛି। ଏଣୁ ବ୍ୟବସାୟିକ ନୀତି ବଦଳାଇବାକୁ ପଡିବ। ସମ୍ବଦ୍ଧିତ କ୍ଷେତ୍ର ସହ ଜଡିତ ବ୍ୟବସାୟୀ ଯେଉଁ ଘରଗୁଡିକର ତିଆରି ସାରିଛନ୍ତି ସେଗୁଡିକର ବିକ୍ରି ଲାଗି ତୁରନ୍ତ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି।

ରିୟଲ ଇଷ୍ଟେଟ ସଂସ୍ଥା ନାରୋଡେକ୍ ସହ ଅନ-ଲାଇନ୍ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରଜନୀଶ ଆର୍ଥିକ ଦୁଃସ୍ଥିତିରୁ ରିୟଲ ଇଷ୍ଟେଟ୍ ସେକ୍ଟର ଏତେ ଶୀଘ୍ର ମୁକୁଳିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ଏଣୁ କାରବାକୁ ନେଇ ରିୟଲ ଇଷ୍ଟେଟ୍ ସଂସ୍ଥାମାନେ ଆଗରୁ ଯେପରି ଚିନ୍ତା କରୁଥିଲେ ଏବେ ସେପରି ବିଚାରଧାରାରେ ଆଉ କାମ କରିହେବ ନାହିଁ ବୋଲି କହିଛନ୍ତି । ଆଶା କରାଯାଉଥିଲା ଖୁବ୍ ଶୀଘ୍ର ଦାମ ବଢିବ। ହେଲେ ଦୁର୍ଭାଗ୍ୟ ପିଛା ଛାଡୁନି। ନିକଟ ଭବିଷ୍ୟତରେ ମୂଲ୍ୟ ବଢିବାର କୌଣସି ସଂକେତ ବି ମିଳୁନଥିବା କହିଛନ୍ତି ଏସବିଆଇ ଅଧ୍ୟକ୍ଷ।

କ’ଣ କହିଲେ ରଜନୀଶ କୁମାର
ଏସବିଆଇ ଅଧ୍ୟକ୍ଷ ଆଲୋଚନାରେ ଅଂଶ ଗ୍ରହଣ କରି ସମୟ ଥିଲା ଯେତେବେଳେ ଘର କିଣିବା ଲାଗି ଲୋକେ ଧାଡିବାନ୍ଧୁଥିଲେ। କେହି ପ୍ରଥମ ଘରଟି କିଣିବା ଲାଗି ଆଗ ବୁକିଂ କରୁଥିଲା ତ କେହି ଇନଭେଷ୍ଟମେଣ୍ଟ ପ୍ରପୋଜରେ ଦ୍ୱିତୀୟ ଘର କିଣୁଥିଲା। ଏବେ ଦେଖାଯାଉଛି ସେଭଳି ବଜାର ନିକଟଭବିଷ୍ୟତରେ ପୁଣି ସୃଷ୍ଟି ହୋଇନପାରେ। ଏଣୁ ମୂଲ୍ୟ ବୃଦ୍ଧିକୁ ଅପେକ୍ଷା ନ କରି ନିର୍ମାଣ ସରିଥିବା ଘରଗୁଡିକର ତୁରନ୍ତ ବିକ୍ରି କରିଦେବା ସମୟର ବୁଦ୍ଧିମାନି ହେବ।

ରିୟଲ ଇଷ୍ଟେଟ୍ ଆଉ ଦୁଧିଆଳୀ ଗାଈ ହୋଇ ନାହିଁ
ରଜନୀଶ କୁମାର ରିୟଲ ଇଷ୍ଟେଟ୍ ସେକ୍ଟର ଆଉ ଦୁଧିଆଳୀ ଗାଈ ହୋଇ ନାହିଁ ବୋଲି କହିଛନ୍ତି । ଏଣୁ କମ୍ ନିର୍ମାଣ ଖର୍ଚ୍ଚରେ, କମ ସମୟରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବା ବିଷୟରେ ଚିନ୍ତାକର ବୋଲି ବିଲ୍ଡରମାନଙ୍କ ପରାମର୍ଶ ଦେଇଛନ୍ତି। ସେହିପରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଆହୁରି ସ୍ୱଚ୍ଛତା ଆସିବା ଆବଶ୍ୟକ ବୋଲି ଏସବିଆଇ ଅଧ୍ୟକ୍ଷ କହିଛନ୍ତି। ରିୟଲ ଇଷ୍ଟେଟ୍ ରେଗୁଲେସନ ଏଣ୍ଡ ଡେଭଲପମେଣ୍ଟ ଆକ୍ଟ (ରେରା) ଆସିବା ପରେ କ୍ଷେତ୍ରରେ ଅନେକ ସୁଧାର ଆସିଛି ବୋଲି ରଜନୀଶ କୁମାର କହିଛନ୍ତି। ହେଲେ ଏ ଦିଗରେ ଆହୁରି ଅନେକ ପଦକ୍ଷେପ ନେବାକୁ ପଡବ ବୋଲି ରିୟଲଇଷ୍ଟେଟ ଡେଭଲପରମାନଙ୍କୁ ପରାରମର୍ଶ ଦେଇଛନ୍ତି।