pokକୁ ନେଇ ଇମ୍ରାନଙ୍କ ବଡ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?
19/01/2020 at 9:30 PM

ଇସ୍ଲାମାବାଦ : ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିୟାଜୀ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଏକ ୟୁରୋପୀୟ ବ୍ରଡକାଷ୍ଟରକୁ ଏ ନେଇ ଇମ୍ରାନ ସାକ୍ଷାତକାର ଦେଇଥିବା ବେଳେ ତାଙ୍କ ଦେଶ ପିଓକେରେ ରେଫରେଣ୍ଡମ(ଜନମତ ସଂଗ୍ରହ) ସପକ୍ଷରେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଯଦି ଚାହିଁବେ ପିଓକେ ଗସ୍ତ କରିପାରନ୍ତି ବୋଲି କହିଛନ୍ତି ଇମ୍ରାନ। ସେ କହିଛନ୍ତି ଯେ ପାକ୍ ଅଧିକୃତ କାଶ୍ମୀରର ଲୋକେ ପାକିସ୍ତାନ ସହ ରହିବେ କି ନା ସେମାନେ ତାର ନିଜେ ନିଷ୍ପତ୍ତି ନେଇପାରନ୍ତି।

ସୂଚନା ଯୋଗ୍ୟ ଯେ ନିକଟରେ ଭାରତୀୟ ସ୍ଥଳସେନାଧ୍ୟକ୍ଷ ଜେନେରାଲ ନରୱଣେ ପିଓକେ ଲାଗି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆମେ ସର୍ବଦା ପ୍ରସ୍ତୁତ ବୋଲି କହିଥିଲେ। ଯଦି ଆଦେଶ ମିଳେ ତେବେ ଭାରତୀୟ ସେନା ଏଥିଲାଗି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ପ୍ରସ୍ତୁତ ଥିବା ସେ ସୂଚନା ଦେଇଥିଲେ। କେବଳ ନରୱାଣେ ନୁହଁନ୍ତି ଭାରତ ସରକାର ମଧ୍ୟ ପିଓକେକୁ ନେଇ ଅନେକ ମତାମତ ଦେଉଛନ୍ତି। ଏଥିରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମରେ ଏଭଳି ବୟାନ ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଜର୍ମାନ ସରକାରୀ ବ୍ରଡକାଷ୍ଟର ଡୟେଚେୱେଲେକୁ ଦେଇଥିବା ବୟାନରେ ଇମ୍ରାନ କହିଛନ୍ତି ଯେ ଆଜାଦ କାଶ୍ମୀରର ଲୋକେ ପାକିସ୍ତାନ ସହ ରହିବେ କି ନିଜେ ସ୍ୱାଧୀନ ହେବେ ସେମାନେ ତାର ନିଷ୍ପତ୍ତି ନିଅନ୍ତୁ। ଏଥିଲାଗି ରେଫରେଣ୍ଡମ ନିମନ୍ତେ ସାରା ବିଶ୍ୱରୁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କୁ ପିଓକେ ଗସ୍ତ ଲାଗି ଆମନ୍ତ୍ରିତ କରିବା ଲାଗି ମଧ୍ୟ ପ୍ରସ୍ତୁତ ବୋଲି ଇମ୍ରାନ କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଆଜି ଯାହାବି କୁହନ୍ତୁ ନା କାହିଁକି ୧୯୭୪ରେ ହୋଇଥିବା ପିଓକେ ସମ୍ବିଧାନରୁ ତାଙ୍କ ବୟାନର ସତ୍ୟତା ଜାଣିହୋଇଯାଏ। ସମ୍ବିଧାନ ଅନୁସାରେ ପିଓକେରେ ସ୍ଥାନୀୟ ନିର୍ବାଚନ କରାଯାଇପାରେ। ତେବେ ଏଥିଲାଗି ପାକିସ୍ତାନ ସହିତ ରହିବା ଲାଗି କାଶ୍ମୀର ସମର୍ଥନ କରିବା ଜରୁରି। ସେହିପରି ନିର୍ବାଚନରେ ପାର୍ଥୀ ହେବାକୁ ଆଗ୍ରହୀ ନେତା ପାକିସ୍ତାନ ପ୍ରତି ବିଶ୍ୱସ୍ଥତା ଲାଗି ପ୍ରତିଜ୍ଞାପତ୍ର ସ୍ୱାକ୍ଷର କରି ଦେବାକୁ ପଡିବ। ଏଥିରୁ ପାକ୍ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଉଥିବା ବକ୍ତବ୍ୟର ସତ୍ୟତା ସହଜରେ ଅନୁମାନ କରାଯାଇପାରେ।