ଜିରୋ ଏଫଆଇଆର କ’ଣ ଜାଣନ୍ତି କି : ଜାଣନ୍ତୁ ଏହାର ମହତ୍ତ୍ବ ଏବଂ ଫାଇଦା
20/07/2019 at 2:00 PM

ଯେତେବେଳେ କିଛି ଅପରାଧ ଘଟିଥାଏ ସେତେବେଳେ ଅଭିଯୁକ୍ତ ବିରୋଧରେ ପୋଲିସ୍ ଷ୍ଟେସନରେ ଏଫଆଇଆର ବା ଲିଖିତ ଅଭିଯୋଗ ରୁଜୁ କରାଯାଇଥାଏ। ଏଫଆଇଆର କ’ଣ ଏଫଆଇଆର ସହ ଜଡ଼ିତ ଲୋକଙ୍କର ଅଧିକାର ବିଷୟରେ ବହୁତ କମ୍ ଲୋକେ ଜାଣିଥିବେ।
ଏଫଆଇଆରକୁ ପ୍ରାଥମିକ ସୂଚନା ରିପୋର୍ଟ କୁହାଯାଇଥାଏ। ଯେତେବେଳେ କୈାଣସି ବ୍ୟକ୍ତି ଅପରାଧ ସମ୍ପର୍କରେ ପୋଲିସ ସୂଚନାକୁ ପଞ୍ଜିକରଣ କରିଥାଏ ତାକୁ ଏଫଆଇଆର ବୋଲି କୁହାଯାଇଥାଏ । ଆମେ ଫୋନ୍ କରି ମଧ୍ୟ ପୋଲିସଙ୍କୁ ଅପରାଧ ବିଷୟରେ ସୂଚନା ଦେଇପାରିବା। ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୫୪ଅନୁସାରେ ଏଫଆଇଆର କରାଯାଇଥାଏ। ଏହି ପ୍ରକ୍ରିୟା ଜରିଆରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢ଼ାଇଥାଏ। ପୋଲିସ୍ ଏହି କାର୍ଯ୍ୟାନୁଷ୍ଠାନ ନିଜ ଅଧିକାର ଅନ୍ତର୍ଗତ କ୍ଷେତ୍ରରେ କରିଥାଏ।
ଯଦି ମାମଲା ପୋଲିସ୍ ଅଧିକାର ଅନ୍ତର୍ଗତ କ୍ଷେତ୍ର ବାହାରେ ହୋଇଥାଏ ତେବେ ପୋଲିସ୍ ଅଧିକାରୀ ଅଭିଯୋଗ କାରୀଙ୍କୁ ଅପରାଧ ଘଟିଥିବା ଅଞ୍ଚଳରେ ଥିବା ପୋଲିସ ଷ୍ଟେସନରେ ଯାଇ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହା ଦ୍ବାରା ବେଳେ ବେଳେ ସଂଗୀନ ଅପରାଧ ସମ୍ପର୍କରେ ଏଫଆଇଆର ରୁଜୁ କରିବା ନେଇ ଅଭିଯୋଗକାରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କାରଣ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ଏଥାନାରୁ ସେ ଥାନା ଦୌଡିବା ସମ୍ଭବ ହୋଇନଥାଏ। ହତ୍ୟା,ଦୁଷ୍କର୍ମ,ଦୁର୍ଘଟଣା ଭଳି ମାମଲା ଯେକୈାଣସି ସ୍ଥାନରେ ହୋଇପାରେ। ଏଥିପାଇଁ ଏହା ଜରୁରୀ ନୁହେଁ ଯେ ଘଟଣା ଘଟିଥିବା ଅଞ୍ଚଳର ଥାନାରେ ହିଁ ଏତଲା ଦିଆଯିବ । ଅଭିଯୋଗ ଆଧାରରେ ଏଫାଇଆର ଦାଖଲ ହୋଇସାରିବାପରେ ଅଭିଯୋଗକାରୀ ଏହାର କପି ଦାବି କରି ପାରିବେ ଏବଂ ପୋଲିସ ମଧ୍ୟ ଏହା ଅଭିଯୋଗକାରୀଙ୍କୁ ଯୋଗାଇଦେବାକୁ ବାଧ୍ୟ ।
ବିଶେଷକରି ମହିଳାଙ୍କ କ୍ଷେତ୍ରରେ ଏହା ଆହୁରି ଅସୁବିଧାଜନକ ହୋଇଥାଏ । ବେଳେ ବେଳେ ଅପରାଧୀର ଭୟ ଯୋଗୁଁ ମଧ୍ୟ ଅଭିଯୋଗକାରୀ ଘଟଣା ଘଟିଥିବା ଥାନାରେ ପହଞ୍ଚିବା ସମ୍ଭବ ହୋଇନଥାଏ । ଏହାକୁ ଆଖି ଆଗରେ ରଖି ଆଇନରେ ପରିବର୍ତ୍ତନ କରାଯାଇଛି । ଅପରାଧ ଘଟିଥିବା ସ୍ଥାନକୁ ବିଚାରକୁ ନ ନେଇ କେବଳ ଅପରାଧର ଗମ୍ଭୀରତା ଦେଖି ଯେକୌଣସି ସ୍ଥାନରେ ଜିରୋ ଏଫଆଇଆର ଦାୟର କରିବା ସୁବିଧା ପ୍ରତ୍ୟେକଙ୍କୁ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଯେଉଁ ଅଞ୍ଚଳରେ ଅପରାଧ ସଂଘଟିତ ହୋଇଥାଏ ସେହି ଅଂଚଳର ଥାନା ବାହାରେ ଅର୍ଥାତ ଅନ୍ୟ ଥାନାରେ ଏ ନେଇ ଅଭିଯୋଗ ଦାଖଲ ହେଲେ ପୋଲିସ ଯେଉଁ ଏଫାଇଆର ପ୍ରସ୍ତୁତ କରିଥାଏ ସେଥିରେ ଅପରାଧର ସଂଖ୍ୟା ପଡିନଥାଏ । ଏହି ଏଫଆଇଆରଟି ଯେତେବେଳେ ଅପରାଧ ଘଟିଥିବା ସ୍ଥାନର ଥାନାକୁ ସ୍ଥାନାନ୍ତର କରାଯାଏ ସେତେବେଳେ ଯାଇ ଏହି ଥାନା ଅପରାଧର ନମ୍ବର ପକାଇ ନୂଆ ଏଫଆଇଆର ପ୍ରସ୍ତାବିତ କରିଥାଏ । ତେବେ ଏ ପ୍ରକ୍ରିୟାରେ ଅଭିଯୋଗକାରୀଙ୍କ କୌଣସି ଭୂମିକା ନଥାଏ । ଏଫଆଇଆର ହେବାପରେ ମାମଲାର ତଦନ୍ତ ହୋଇଥାଏ ଏବଂ ପ୍ରମାଣକୁ ଏକାଠି କରାଯାଇଥାଏ। ତେବେ ଏଫଆଇଆର ହେଉ କି ଜିରୋ ଏଫଆଇଆର, ସେଥିରେ ଅଭିଯୋଗକାରୀଙ୍କ ଦସ୍ତଖତ ରହିବା ଆବଶ୍ୟକ।