ନାଗରିକତା ସଂଶୋଧନ ବିଧେୟକ କ’ଣ, ଜାଣନ୍ତୁ କାହିଁକି ଏହାକୁ ଦେଶରେ କରାଯାଉଛି ବିରୋଧ
17/11/2019 at 7:33 PM

ନୂଆଦିଲ୍ଲୀ : ନଭେମ୍ବର ୧୮ ସୋମବାର ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ନାଗରିକତା ସଂଶୋଧନ ବିଧେୟକ-୨୦୧୯ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଉପସ୍ଥାପିତ କରିବେ। ତେବେ ନାଗରିକତା ସଂଶୋଧନ ବିଧେୟକକୁ ସାରା ଦେଶରେ ବିରୋଧ କରାଯାଉଛି। ଖାସ କରି ପୂର୍ବୋତ୍ତର କ୍ଷେତ୍ରର ରାଜ୍ୟମାନଙ୍କରେ ଲୋକେ ବିଧେୟକକୁ ବିରୋଧ କରି ସଡକକୁ ମଧ୍ୟ ଓହ୍ଲାଇଛନ୍ତି। ଆସନ୍ତୁ ଜାଣିବା କ’ଣ ଏହି ନାଗରିକତା ସଂଶୋଧନ ବିଧେୟକ କାହିଁକି ବିରୋଧ କରୁଛନ୍ତି ଲୋକେ ।

ପୂର୍ବୋତ୍ତରର ଲୋକେ ସରକାରଙ୍କ ଏହି ବିଧେୟକକୁ ରାଜ୍ୟମାନଙ୍କର ସଂସ୍କୃତି, ଭାଷା ଓ ପାରମ୍ପରିକ ଉତ୍ତରାଧିକାର ସହ ଖେଳ ବୋଲି କହୁଛନ୍ତି। ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି)ଙ୍କ ରିପୋର୍ଟ ପରେ ଆସାମରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ବିଧେୟକରେ ଯେଉଁ ଲୋକଙ୍କ ନାମ ନାହିଁ ସେମାନଙ୍କୁ ମଧ୍ୟ ଅଭିଯୋଗ କରିବାର ଅଧିକାର ଦିଆଯାଇଛି। ସେହିପରି ଏନଆରସିରୁ ବାଦ ପଡିଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନ କରିବା ଲାଗି ସେତେବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସରକାର ସଂଶୋଧନ ବିଧେୟକ ଆଣିବା ବେଳକୁ ପୁଣି ବିବାଦ ଉପୁଜିଛି।

ତେବେ ଜାଣନ୍ତୁ କ’ଣ ଏହି ନାଗରିକତା ସଂଶୋଧନ ବିଧେୟକ
ନାଗରିକତା ସଂଶୋଧନ ବିଧେୟକ ନାଗରିକତା ଅଧିନିୟମ ଧାରା ୧୯୫୫ ର ପ୍ରାବଧାନ ବଦଳାଇବା ନିମନ୍ତେ ସରକାର ସଂସଦରେ ଉପସ୍ଥାପନ କରିବେ। ଯେଉଁଥିରେ ନାଗରିକତା ପ୍ରଦାନ ସମ୍ପର୍କିତ ନିୟମରେ ପରିବର୍ତ୍ତନ କରାଯିବ। ଏହି ସଂଶୋଧନ ଦ୍ୱାରା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଧ, ଜୈନ, ପାରସୀ ଓ ଖ୍ରୀଷ୍ଟିଆନ ଲୋକେ ଭାରତୀୟ ନାଗରିକତା ହାସଲ କରିପାରିବେ।

ତେବେ ବିରୋଧ କାହିଁକି?
ସରକାରଙ୍କ ଏହି ପଦକ୍ଷେପକୁ ଅବୈଧ ପ୍ରବାସୀଙ୍କ ପରିଭାଷା ବଦଳାଇବା ଲାଗି ସରକାରଙ୍କ ଉଦ୍ୟମ ବୋଲି କୁହାଯାଉଛି। କାରଣ ୧୯୭୧ପରେ ଭାରତକୁ ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ନାଗରିକଙ୍କୁ ନିର୍ବାସିତ କରିବା ଲାଗି ପ୍ରସ୍ତାବ ଥିଲା। ହେଲେ ଏବେ ସରକାର ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବାକୁ ଯାଉଥିବା କୁହାଯାଉଛି। ଏହାକୁ ୧୯୮୫ ଆସାମ ଚୁକ୍ତିର ବିରୋଧ ବୋଲି ମଧ୍ୟ କୁହାଯାଉଥିବାରୁ ଲୋକେ ବିରୋଧ କରୁଛନ୍ତି। ତେବେ କେବଳ ବିରୋଧୀ ନୁହଁନ୍ତି ସରକାରଙ୍କ ସହଯୋଗୀମାନେ ମଧ୍ୟ ଏହି ବିଧେୟକକୁ ବିରୋଧ କରୁଛନ୍ତି। ଆସାମରେ ବିଜେପି ସରକାରଙ୍କ ସହଯୋଗୀ ଆସାମ ଗଣ ପରିଷଦ ବିଧେୟକ ସପକ୍ଷରେ ନଥିବା ଜଣାପଡିଛି। ଏହା ଛଡା ବିରୋଧୀ କଂଗ୍ରେସ ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟ ବିଧେୟକକୁ ବିରୋଧ କରୁଛି।