ଭାକ୍ସିନର ଏମର୍ଜେନ୍ସୀ ଆପ୍ରୁଭାଲ କ’ଣ ଓ କାହିଁକି ଦିଆଯାଏ ଏପରି ମଞ୍ଜୁରି ?
3/01/2021 at 7:18 PM

ନୂଆଦିଲ୍ଲୀ ୩।୧: ସାରା ବିଶ୍ୱରେ ୨୦୧୯ ମସିହା ଶେଷାର୍ଦ୍ଧରୁ ସଂକ୍ରମିତ ହେଉଛି କୋଭିଡ-୧୯ ଭୂତାଣୁ । ଆଖିକୁ ଦେଖାଯାଉନଥିବା ଏହି ଭୂତାଣୁ କୋଟି କୋଟି ଲୋକଙ୍କୁ ସଂକ୍ରମିତ କରିସାରିଥିବା ବେଳେ ଅନେକ ପ୍ରାଣ ହରାଇଲେଣି। ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକେ ନାନା ଶାରୀରିକ ସମସ୍ୟା ଭୋଗୁଛନ୍ତି। ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କୌଣସି ମହାମାରୀଠାରୁ ମଧ୍ୟ ଅଧିକ ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଟନ ଏହାକୁ ବୈଶ୍ୱିକ ମହାମାରୀ ବା ପେଣ୍ଡାମିକ ଘୋଷଣା କରିଛନ୍ତି। ଭୂତାଣୁର ଏପର୍ଯ୍ୟନ୍ତ ଚିକିତ୍ସା ବିକାଶ ହୋଇପାରିନି। ତେବେ ଟିକା ଦ୍ୱାରା ଏହାକୁ ରୋକାଯାଇ ପାରିବ ବୋଲି କୁହାଯାଉଥିଲା। ଟିକା ଲାଗି ଏବେ ଲୋକଙ୍କ ଅପେକ୍ଷା ଶେଷ ହୋଇଛି। ହେଲେ ସବୁ ଦେଶ ଟିକାକୁ ଏମର୍ଜେନ୍ସୀ ଆପ୍ରୁଭାଲ ଦେଉଛନ୍ତି। ତେବେ ସ୍ୱାସ୍ଥ୍ୟ ସେବାରେ ଏପରି ମଞ୍ଜୁରି କ’ଣ ଆସନ୍ତୁ ଜାଣିବା।

ଏମର୍ଜେନ୍ସି ଆପ୍ରୁଭାଲ କ’ଣ ?
ଟିକା ଏକ ଦୀର୍ଘ ପ୍ରକ୍ରିୟା। ଏପରି କୌଣସି ଟିକାକୁ ମଞ୍ଜୁର କରିବା ପୂର୍ବରୁ ଏହାର ଦୀର୍ଘ ପରୀକ୍ଷା ନିରିକ୍ଷା ଓ ଗବେଷଣା ହୋଇଥାଏ। ବିଭିନ୍ନ ଦିଗରୁ ଏହାର ଯାଞ୍ଚ ସହ ବୈଜ୍ଞାନିକ ଗବେଷଣାରେ ଅଚୁକ୍ ସାବ୍ୟସ୍ତ ହେବା ପରେ ଏହାର ମାନବୀୟ ଉପଯୋଗକୁ ମଞ୍ଜୁରି ମିଳିଥାଏ। ତେବେ ଏମର୍ଜେନ୍ସି ଆପ୍ରୁଭାଲର ଅର୍ଥ ହେଉଛି ସମସ୍ତ ପ୍ରକ୍ରିୟା ଶେଷ ନ ହେବା ପୂର୍ବରୁ ଏହାର ଉପଯୋଗ ଅନୁମତି ପ୍ରଦାନ କରାଯିବା। ଏଥିରେ ଗବେଷଣା ଆବଶ୍ୟକତା ସମ୍ପୂର୍ଣ୍ଣ ହୋଇସାରିଥାଏ ସତ ହେଲେ ଅନ୍ୟ ସବୁ ଗବେଷଣା ଜାରି ଥାଏ।

ଏବେ ମିଳିଛି ଏମର୍ଜେନ୍ସି ୟୁଜ୍ ଅଥରାଇଜେସନ
ଯେତେବେଳେ ସଂକ୍ରମଣ ଜନିତ ପରିସ୍ଥିତି ଅନିୟନ୍ତ୍ରିତ ଥାଏ ଓ ଏଥିଯୋଗୁ କ୍ରମାଗତ ମୃତ୍ୟୁହାର ବଢି ଚାଲିଥାଏ ସେତେବେଳେ ଏମର୍ଜେନ୍ସି ଆପ୍ରୁଭାଲ ପ୍ରଦାନ କରାଯାଏ। ଏକ ନିର୍ଦ୍ଧାରିତ ପରୀକ୍ଷଣ ଓ ଏହାର ପରିଣାମ ଆକଳନ କରି ଟିକା ଅଥବା ଔଷଧ ଉପଯୋଗ ମଞ୍ଜୁରି ପ୍ରାପ୍ତ କରିଥାଏ। ତେବେ ରେଡିକ୍ସର ଡାଇରେକ୍ଟର ତଥା ବରିଷ୍ଠ ଡାକ୍ତର ରବି ମଲ୍ଲିକଙ୍କ ଅନୁସାରେ ସାଧାରଣ ମଞ୍ଜୁରି ଓ ଜରୁରିକାଳୀନ ମଞ୍ଜୁରି (ଏମାର୍ଜେନ୍ସି ଆପ୍ରୁଭାଲ) ମଧ୍ୟରେ ସେପରି କୌଣସି ପ୍ରଭେଦ ନଥାଏ। କେବଳ ପ୍ରଭେଦ ଏତିକି ଏମାର୍ଜେନ୍ସି ଆପ୍ରୁଭାଲରେ କିଛି ସର୍ତ୍ତ ରଖାଯାଇଥାଏ। ଯାହାକୁ ନିର୍ଦ୍ୱନ୍ଦ୍ୱରେ ରୋଗୀଙ୍କୁ ଦିଆଯାଇପାରେ, ଏଥିରେ କାହାର କୌଣସି ହାନୀ ହୋଇ ନଥାଏ। ଯାହାକୁ ଲୋକେ ମଧ୍ୟ ନର୍ମାଲ ଆପ୍ରୁଭାଲ ଭଳି ଗ୍ରହଣ କରିପାରନ୍ତି ବୋଲି ଡା. ମଲ୍ଲିକ କହିଛନ୍ତି।

ସମସ୍ୟାର କାରଣ ହୋଇପାରେ କି?
କୌଣସି ଟିକାକୁ ମଞ୍ଜୁରି ସେତେବେଳେ ମିଳିଥାଏ ଯେତେବେଳେ ଏହାର ସମ୍ପୂର୍ଣ୍ଣ ପରୀକ୍ଷା ନିରିକ୍ଷା ପରେ ଫଳାଫଳ ଆସିସାରିଥାଏ। ଏମାର୍ଜେନ୍ସି କ୍ଷେତ୍ରରେ ମଧ୍ୟ ଟିକା ସମସ୍ତ ପ୍ରକ୍ରିୟା ପାର ହୋଇ ଆସିଥାଏ। ନର୍ମାଲ ସମୟର ଟିକା ଭଳି ଏହାକୁ ମଧ୍ୟ ଶହେ ପ୍ରତିଶତ ସୁରକ୍ଷିତ ଜାଣିବା ପରେ ହିଁ ଆପ୍ରୁଭାଲ ମଗାଯାଇଥାଏ। ଏହା ସତ୍ତ୍ୱେ ମଧ୍ୟ ଏପରି ଟିକାକୁ ଅସମ୍ପୂର୍ଣ୍ଣ, ଏବେବି ଗବେଷଣା ବାକି ଥିବା ଆଦି ରିପୋର୍ଟ କିନ୍ତୁ ପ୍ରକାଶିତ ହେଉଛି।

ଡାକ୍ତରଙ୍କ ଦେଖରେଖରେ ହେବ ଟିକାକରଣ
ଏମର୍ଜେନ୍ସି ଆପ୍ରୁଭାଲ ପରେ ଟିକାକୁ ସବୁଜ ସଙ୍କେତ ମିଳିସାରିଛି। ଏବେ ଏହି ଟିକାରେ ଟିକାକରଣ କରାଯାଇପାରେ। ପ୍ରଥମେ ଡାକ୍ତରଙ୍କ ଦେଖରେଖରେ ଟିକାକରଣ ହେବ। ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ଉପରେ ଡାକ୍ତରଙ୍କ ନଜର ରହିବ। ଟିକା ଲଗାଇଥିବା ଲୋକଙ୍କଠାରେ ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ମଧ୍ୟ ଡାକ୍ତର ନଜର ରଖିବେ।