ଦେଶରେ ୪ ପ୍ରକାର ଭ୍ୟାକସିନ୍ ପାଇଁ ଚାଲିଛି ପ୍ରସ୍ତୁତି, ଅକ୍ଟୋବରରେ ହୋଇପାରେ କ୍ଲିନିକଲ ଟେଷ୍ଟ: ଡ. ରାଘବନ
28/05/2020 at 4:44 PM

ନୂଆଦିଲ୍ଲୀ ୨୮।୦୫: ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ ବିଜୟ ରାଘବନ କହିଛନ୍ତି କୋଭିଡ୍-୧୯ ପାଇଁ ଦେଶରେ ଭ୍ୟାକସିନ୍ ପ୍ରସ୍ତୁତି କାମ ଜୋରଦାର ଚାଲିଛି ଏବଂ ଅକ୍ଟୋବର ପର୍ଯ୍ୟନ୍ତ କିଛି କମ୍ପାନୀଙ୍କୁ ଏହାର ପ୍ରି କ୍ଲିନିକଲ ଟେଷ୍ଟ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳତା ମିଳିପାରେ। ସେ କହିଛନ୍ତି, ସମଗ୍ର ଦୁନିଆରେ ଭ୍ୟାକସିନ୍ ପ୍ରସ୍ତୁତ କରିବାର ଚାରୋଟି ପ୍ରକ୍ରିୟା ଜାରି ରହିଛି। ଭାରତରେ ଏହି ଚାର ପ୍ରକ୍ରିୟାର ବ୍ୟବହାର କୋଭିଡ୍-୧୯ ପାଇଁ ଭ୍ୟାକସିନ୍ ପ୍ରସ୍ତୁତିରେ କରାଯାଉଛି।
ଡ. ରାଘବନ କହିଛନ୍ତି, କିଛି କମ୍ପାନୀ ଏକ ଫ୍ଲୁ ଭ୍ୟାକସିନ୍ର ବ୍ୟାକବୋନ୍ରେ ଆରଏଣ୍ଡଡି କରୁଛନ୍ତି, ଲାଗୁଛି ଅକ୍ଟୋବର ସୁଦ୍ଧା ଏହାର ପ୍ରି କ୍ଲିନିକାଲ ଟେଷ୍ଟ ହୋଇଯିବ। ଆଉ କିଛି ୨୦୨୧ ଫେବୃଆରୀରେ ପ୍ରୋଟିନ୍ ତିଆରି କରି ଏହାକୁ ଭ୍ୟାକସିନ୍ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ଜୁଟିଛନ୍ତି। ଆଉ କିଛି ଷ୍ଟାର୍ଟଅପ୍ସ ଓ କିଛି ଏକାଡେମିକ୍ସ ଭ୍ୟାକସିନ୍ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏହା ସହିତ ବିଦେଶୀ କମ୍ପାନୀ ମଧ୍ୟ ଭ୍ୟାକସିନ୍ ତିଆରିରେ ଭାଗିଦାରୀ ଦେଉଛନ୍ତି। କିଛି ବିଦେଶୀ କମ୍ପାନୀଙ୍କ ସହିତ ହୋଇଥିବା ଭାଗିଦାରୀରେ ଭାରତୀୟ କମ୍ପାନୀ ନେତୃତ୍ଵ ନେଉଥିବା ବେଳେ ଆଉ କିଛି ନେତୃତ୍ଵରେ ଆମେ ଯୋଗ ଦାନ ଦେଉଥିବା ରାଘବନ କହିଛନ୍ତି।
ରାଘବନ କହିଛନ୍ତି, ସାଧାରଣତଃ ଭ୍ୟାକସିନ୍ ତିଆରିରେ ୧୦ରୁ ୧୫ ବର୍ଷ ସମୟ ଲାଗିଯାଏ ଏବଂ ୨୦ ରୁ ୩୦ କୋଟି ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। କିନ୍ତୁ ଗୋଟିଏ ବର୍ଷରେ କୋଭିଡ୍-୧୯ର ଭ୍ୟାକସିନ୍ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି, ତେଣୁ ଖର୍ଚ୍ଚ ବଢି ୨୦ ଅରବରୁ ୩୦ ଅରବ ଡଲାର ହୋଇପାରେ। ନଚେତ୍ ଭ୍ୟାକସିନ୍ ପ୍ରସ୍ତୁତିରେ ୧୦ ରୁ ୧୫ ବର୍ଷର ସମୟ ଲାଗିଥାଏ। କିନ୍ତୁ ଆମେ ୧୦ ବର୍ଷର ଅବଧିକୁ ହ୍ରାସ କରି ଗୋଟିଏ ବର୍ଷରେ ଭ୍ୟାକସିନ୍ ବିକଶିତ କରିବାକୁ ଲକ୍ଷ୍ୟ ରଖିଛୁ। ତେଣୁ ଆମକୁ ଅନେକ ମୋର୍ଚ୍ଚାରେ ଏକ ସଙ୍ଗେ ଆଗକୁ ବଢିବାକୁ ପଡିବ। ଏଥିରେ ରେଗୁଲେଟରୀ ସ୍ତରଠୁ ନେଇ ଡିଷ୍ଟ୍ରିବ୍ୟୁସନ ସିଷ୍ଟମକୁ ଦ୍ରୁତ କରିବାକୁ ପଡିବ। ତେବେ ଯାଇ ଖର୍ଚ୍ଚ ୨ ରୁ ୩ ଅରବ ଡଲାର ହୋଇପାରେ।
ରାଘବନ କହିଛନ୍ତି, ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍ ଦୁନିଆରେ ସର୍ବୋତ୍ତମ ଶ୍ରେଣୀର ଅଟେ। ଦେଶ ପାଇଁ ଗୌରବର କଥା ଏହା ଯେ, ସମଗ୍ର ଦୁନିଆର ପିଲାମାନଙ୍କୁ ଯେଉଁ ତିନୋଟି ଭ୍ୟାକସିନ୍ ଦିଆଯାଏ, ସେଥିରୁ ଦୁଇଟି ଭ୍ୟାକସିନ୍ ଭାରତରେ ତିଆରି ହୁଏ। ଗତ କିଛି ବର୍ଷ ହେବ ଭ୍ୟାକସିନ୍ କମ୍ପାନୀ କେବଳ ମ୍ୟାନୁଫେକଚରିଂ କରୁନାହାନ୍ତି ବରଂ ସେମାନେ ଆରଆଣ୍ଡଡିରେ ମଧ୍ୟ ନିବେଶ କରୁଛନ୍ତି। ଏହି ପ୍ରକାରେ ଆମର ଷ୍ଟାର୍ଟଅପ୍ ମଧ୍ୟ ଏହି କ୍ଷେତ୍ରରେ ବଡ ଯୋଗଦାନ ଦେଉଛି। ଏହା ସହିତ ଘୋରଇ ଏକାଡେମିକ ମଧ୍ୟ ଏହି କ୍ଷେତ୍ରରେ କାମ କରୁଛନ୍ତି।