କ୍ରିକେଟ୍ ବିଶ୍ବକପ୍ : ବର୍ଷା କାରଣରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ରଦ୍ଦ ହେଲେ କିଏ ହାତେଇବ ଫାଇନାଲ୍ ଟିକେଟ୍ ଜାଣନ୍ତୁ…

Published By : Prameya-News7 Bureau | July 09, 2019 IST

ମାଞ୍ଚେଷ୍ଟର ୯|୭:  ଆଜି ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ୍ । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ୨ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଫେବରାଇଟ୍ ବୋଲି କୁହାଯାଉଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍ ରେ ଏପର୍ଯ୍ୟନ୍ତ ୭ ଥର ମୁକାବିଲା ହୋଇଛି । ଇଣ୍ଡିଆ ୩ଥର ବିଜୟୀ ହୋଇଛି ଆଉ, ୪ଥର ବାଜି ମାରିଛି କିୱି ଟିମ୍ ।

ଏପଟେ ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କିୱି ଟିମକୁ ମାତ୍ ଦେଇ ବିଶ୍ୱକପ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି କୋହଲି ଆଣ୍ଡ କୋ । କିନ୍ତୁ ଏହି ମ୍ୟାଚରେ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ଓ ବୁଧବାର ମାଞ୍ଚେଷ୍ଟରରେ ବର୍ଷା ଆଶଙ୍କା ରହିଥିବା ସ୍ପଷ୍ଟ କରିଛି ଆକ୍ୟୁୱେଦର ଡଟ୍ କମ୍ । ଯଦି ମଙ୍ଗଳବାର ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ରୁହେ ତେବେ ରିଜର୍ଭ ଡେ ଭାବେ ବୁଧବାର ମଧ୍ୟ ଏହି ମ୍ୟାଚ୍ ଖେଳାଯାଇପାରିବ । କିନ୍ତୁ ବୁଧବାର ବର୍ଷା ଆଶଙ୍କା ରହିଥିବାରୁ ଏହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ତେବେ ବର୍ଷା କାରଣରୁ ଯଦି ମ୍ୟାଚ୍ ରଦ୍ଦ ହୋଇଯାଏ ତେବେ ପଏଣ୍ଟ ଅନୁଯାୟୀ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ଦିଆଯିବ । ଯାହାର ଫାଇଦା ଟିମ୍ ଇଣ୍ଡିଆକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.