ଧୋନୀଙ୍କୁ ବଡ ସଟ୍ ଖେଳିବାକୁ ଜାଡେଜା କହିବାରୁ କଣ କହିଲେ ଧୋନୀ ଜାଣନ୍ତୁ

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ ୧୩|୭:  ବିଶ୍ବକପ୍ ୨୦୧୯ ପ୍ରଥମ ସେମିଫାଇନାଲରେ ଭାରତକୁ ୧୮ରନ୍ ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି ନ୍ୟୁଜିଲ୍ୟାଣ୍ଡ ଟିମ୍ । ନ୍ୟୁଜିଲ୍ୟାଣ୍ଡ ଟିମ୍ ର ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ସମସ୍ତେ ଭଲ ପ୍ରଦର୍ଶନ କରିଥିଲେ । ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୩୯ ରନ୍ କରିଥିବାବେଳେ ଭାରତ ୨୨୧ରନ୍ କରି ଅଲ ଆଉଟ୍ ହୋଇଯାଇଥିଲେ ।

ସେମିଫାଇନାଲରେ ଭାରତ ହାରିବାର ମୁଖ୍ୟ କାରଣ ହେଉଛି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ । ଭାରତୀୟ ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ୧ ରନ୍ ଲେଖାଏଁ କରି ଆଉଟ୍ ହୋଇଯାଇଥିଲେ । ସେହିଭଳି ମିଡିଲ୍ ଅର୍ଡରରେ ବ୍ୟାଟିଂ ପାଇଁ ଆସିଥିବା ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତ ଦାୟିତ୍ବହୀନ ଭଳି ସଟ୍ ଖେଳି ଆଉଟ୍ ହୋଇଯାଇଥିଲେ ।

ଲାଷ୍ଟ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ମହେନ୍ଦ୍ର ସିଂ ଧୋନୀ ଏବଂ ରବୀନ୍ଦ୍ର ଜାଡେଜା ମ୍ୟାଚ୍ କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସହାୟକ ହୋଇଥିଲେ । ମାତ୍ର ସେମାନେ ଟିମ୍ କୁ ଜିତାଇପାରିନଥିଲେ । ଏହି ମ୍ୟାଚ୍ ରେ ଧୋନୀଙ୍କ ଷ୍ଟ୍ରାଇକ୍ ରେଟ୍ କୁ ନେଇ ଆଲୋଚନା ପର୍ଯାଲୋଚନା ହେଉଛି । ଏହି ମ୍ୟାଚ୍ ରେ ମହେନ୍ଦ୍ର ସିଂ ଧୋନୀ ୭୨ବଲ୍ ରୁ ୫୦ ରନ୍ କରିଥିଲେ ।

ଭାରତ ମ୍ୟାଚ୍ ହାରିବା ପରେ ରବୀନ୍ଦ୍ର ଜାଡେଜା ତାଙ୍କ ବ୍ୟାଟିଂ ଏବଂ ମହେନ୍ଦ୍ର ସିଂଙ୍କ ବ୍ୟାଟିଂକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ମ୍ୟାଚ୍ ଚାଲିଥିବା ବେଳେ ସେ ଧୋନୀଙ୍କୁ ବଡ୍ ସଟ୍ ଖେଳିବା ପାଇଁ କହିଥିଲେ । ମାତ୍ର ଧୋନୀ ତାଙ୍କୁ ଏହା କହି ବୁଝାଇଦେଇଥିଲେ ଯେ, ଆମ ଦୁଇ ଜଣଙ୍କୁ ଓ୍ବିକେଟ୍ ନହରାଇ ପିଚ୍ ରେ ରହିବାର ଅଛି । ଯଦି ଶେଷ ଓଭରରେ ବଡ ସଟ୍ ମାରିବାକୁ ପଡେ ତେବେ ସେ ନିଶ୍ଚୟ ମାରିବେ ବୋଲି ଧୋନୀ କହିଥିଲେ । ରବୀନ୍ଦ୍ର ଜାଡେଜା ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆମ ପାଖରେ ଆଉ ୧୨ଟି ବଲ୍ ଥାଆନ୍ତା ତେବେ ଆମେ ମ୍ୟାଚ୍ ଜିତିପାରିଥାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.