ମାସ ମାସ ଧରି ମହାକାଶରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ଏହି ମହାକାଶଚାରୀ, କରୋନାକୁ ନେଇ କ’ଣ କହୁଛନ୍ତି ଏମାନେ ଜାଣନ୍ତୁ

Published By : Prameya-News7 Bureau | April 14, 2020 IST

ଓ୍ବାଶିଂଟନ୍ ୧୪।୪: ଆମେରିକାର ସ୍ପେସ୍ ଏଜେନ୍ସି ନାସାର ମହାକାଶଚାରୀମାନେ ଆସନ୍ତା ସପ୍ତାହରେ ପୃଥିବୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ)ରେ ଅନେକ ମାସ ରହିବା ପରେ ସେମାନେ ଫେରୁଛନ୍ତି । ସେମାନେ ଅପ୍ରେଲ ୧୦ରେ ଆଇଏସଏସରୁ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । ପୃଥିବୀକୁ ଆସିବା ବିଷୟରେ ସେମାନେ କହିଥିଲେ ଯେ ପୃଥିବୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ଏଭଳି ପରିସ୍ଥିତିରେ ସେଠାକୁ ଫେରି ସେମାନଙ୍କୁ ଖାପଖୁଆଇବା କଷ୍ଟକର ହେବ ।

ଏଣ୍ଡ୍ରିୟୁ ମାର୍ଗନ ନାମକ ଜ୍ୟୋର୍ତିବିଜ୍ଞାନୀ କହିଛନ୍ତି ଯେ, ତାଙ୍କ ସହକର୍ମୀମାନେ କରୋନା ଖବରରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯାହା ଘଟୁଛି ଏବଂ ଯାହା ଘଟିବାକୁ ଯାଉଛି ସେଥିରୁ ବର୍ତ୍ତିବା  କଷ୍ଟକର । ପୃଥିବୀର ପରିସ୍ଥିତି ବୁଝିବା ବହୁତ କଷ୍ଟକର ।

ମାର୍ଗନଙ୍କ ସାଥୀ ଜେସିକା ମେର କହିଛନ୍ତି ଯେ, ପୃଥିବୀରେ ଯାହା ଘଟୁଛି ତାହା ଏକ ସ୍ବପ୍ନ ପରି । ପୃଥିବୀ ଉପରୁ ପୂର୍ବ ଭଳି ଚମତ୍କାର ଦେଖାଯାଉଛି । ତେଣୁ ଆମର ଉପରକୁ ଆସିବା ପରେ ଯାହା ବଦଳିଛି ତାହା ଉପରେ ବିଶ୍ବାସ କରିବା କଷ୍ଟକର । ୭ ମାସ ପର୍ଯ୍ୟନ୍ତ ପୃଥିବୀଠାରୁ ଦୂରରେ ରହିବା ପରେ ମଧ୍ୟ ସେ ପରିବାରଲୋକ ଏବଂ ସାଙ୍ଗମାନଙ୍କୁ ଆଲିଙ୍ଗନ କରିପାରିବେ ନାହିଁ । ଏହା ସେମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେବ । ମହାକାଶ ଅପେକ୍ଷା ପୃଥିବୀରେ ଜଣେ ନିଜକୁ ଏକାକୀ ଅନୁଭବ କରିବ । କିନ୍ତୁ ପରିବାରଲୋକ ଏବଂ ସାଙ୍ଗମାନଙ୍କୁ ଦେଖିବା ଅତ୍ୟନ୍ତ ସୁଖଦାୟକ ହେବ । ଯଦିଓ ସେମାନଙ୍କୁ ଦୂରରୁ ଦେଖିବାକୁ ପଡିବ ।

ଏଣ୍ଡ୍ରିୟୁ ମାର୍ଗନ ଗତ ବର୍ଷ ଜୁଲାଇରେ ସ୍ପେସ୍ ଷ୍ଟେସନକୁ ଯାଇଥିଲେ । ସେହିଭଳି ମେର ସେପ୍ଟେମ୍ବରରେ ସେଠାକୁ ଯାଇଥିଲେ । ଏହି ଦୁଇଜଣ ସୋୟୁଜ୍ କ୍ୟାପସୁଲରେ ଋଷର ମହାକାଶଚାରୀ ଓଲେଗ୍ ସ୍କ୍ରିପୋଚକାଙ୍କ ସହିତ ଆସିବେ । ସେମାନେ କାଜାଖସ୍ତାନରେ ଅବତରଣ କରିବେ । ସେମାନଙ୍କର ଆସିବା ପରେ ଆଉ କେବଳ ୩ ଜଣ ମହାକାଶଚାରୀ ସ୍ପେସ୍ ଷ୍ଟେସନରେ ରହିବେ ।

ସୂଚନାଯୋଗ୍ୟ ଯେ, ଯେଉଁ ଦିନ ଏମାନେ ପହଞ୍ଚିବେ ସେହି ଦିନ ଆପୋଲୋ-୧୩ ମିଶନକପ ୫୦ ବର୍ଷ ପୂରିବ । ଆପୋଲୋ-୧୩ ମିଶନକୁ ଚନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଗୋଟିଏ ଅମ୍ଳଜାନ ଟ୍ୟାଙ୍କ ବିସ୍ଫୋରଣ ହେବା ଫଳରେ ମିଶନକୁ ବନ୍ଦ କରିବାକୁ ପଡିଥିଲା । ମାର୍ଗନ୍ ଏ ବିଷୟରେ କହିଥିଲେ ଯେ, ପୁଣି ଥରେ ଏକ ସମସ୍ୟା ହେଲା । କିନ୍ତୁ ଏଥର ସମସ୍ୟା ପୃଥିବୀରେ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.