ପିଆଜ କିଣିବା ବେଳେ ଠକେଇରେ ପଡୁ ନାହାନ୍ତିତ ଆପଣ? ଜାଣନ୍ତୁ ଦେଶରେ ପିଆଜର ପାଇକାରୀ ମୂଲ୍ୟ

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ ୧୨।୧: ଗତବର୍ଷ ପିଆଜ ସଂକଟ ସାରା ଦେଶକୁ ପ୍ରଭାବିତ କରିଥିଲା। ଅତ୍ୟାଧିକ ବର୍ଷା ଯୋଗୁ ମହଜୁଦ ନଷ୍ଟ ହେବା ସହ ପିଆଜ ଫସଲ ବି ପ୍ରଭାବିତ ହୋଇଥିଲା। ଫଳରେ ପିଆଜର ଦରବୃଦ୍ଧି ହୋଇଥିଲା। ଦେଶର ବଜାରରେ ଦୀର୍ଘ ଦିନ ଧରି ପ୍ରତି କେଜି ପିଆଜ ୧୦୦ରୁ ୧୨୫ ଟଙ୍କା ଦରରେ ବିକ୍ରି ହେଉଥିଲା। ଏବେ ବଜାର ପରିସ୍ଥିତି ବଦଳିଗଲାଣି। ବିଦେଶରୁ ଆମଦାନୀ ପିଆଜ ଏବେ ବଜାରରେ ବିକ୍ରି ହେଉଥିବା ବେଳେ ନୂଆ ଅମଳ ବି ପହଞ୍ଚିସାରିଲାଣି। ଏହା ସତ୍ତ୍ୱେ ଅନେକ ସ୍ଥାନରେ ଖୁଚୁରା ବେପାରୀ ଦର ବୃଦ୍ଧି ଆଳ କରି ଗ୍ରାହକଙ୍କୁ ଠକୁଥିବାର ଜଣାପଡିଛି। ଏଥିରେ ଦେଶର ବିଭିନ୍ନ ବଜାରରେ ପିଆଜର ପାଇକାରୀ ମୂଲ୍ୟ ଆସନ୍ତୁ ଜାଣିବା।

{"id":210247,"sizeSlug":"large"}

ଦିଲ୍ଲୀରେ ବି ଠକେଇର ଶିକାର ହେଉଛନ୍ତି ଲୋକେ
ରାଜଧାନୀ ଦିଲ୍ଲୀରେ ଖୁଚୁରା ବ୍ୟବସାୟୀ ପିଆଜ ଦର ସ୍ଥାୟୀ କରିଦେଇଛନ୍ତି। ଗତ ସଂକଟ ସମୟରେ ଯେତିକି ଦରରେ ବିକୁଥିଲେ ଏବେବି ପ୍ରାୟ ସ୍ଥାନରେ ଲୋକେ ସେହି ଦରରେ ପିଆଜ କିଣୁଥିବା ଦେଖାଯାଇଛି। କେହି ଯଦି ତର୍କ କରୁଛି ତେବେ ଯେଉଁଠି ଶସ୍ତା ମିଳୁଛି ସେଠୁ କିଣ ବୋଲି  ବେପାରୀ କହୁଥିବାର ଲୋକେ ଅଭିଯୋଗ କରୁଛନ୍ତି। ତେବେ ପିଆଜ ଦର ନେଇ ଆଜାଦପୁରୀ ମଣ୍ଡି ବ୍ୟବସାୟୀ ସଂଘ ସଭାପତିଙ୍କୁ ଯୋଗାଯୋଗ କରାଯିବାରେ ଏବେ ମଣ୍ଡିରେ ପିଆଜ ପ୍ରତି କ୍ୱିଣ୍ଟାଲ ଦେଢ ହଜାରରୁ ୩ହଜାର ୫ଶହ ଟଙ୍କାରେ   ବିକ୍ରି ହେଉଥିବାର କହିଛନ୍ତି। ଅର୍ଥାତ ପିଆଜ ପ୍ରତି କେଜି ୧୫ରୁ୩୫ ଟଙ୍କା ମଧ୍ୟରେ ହୋଇଥିବା ବେଳେ ଖୁଚୁରା ବେପାରୀ ଲୋକଙ୍କଠୁ କେଜି ପିଛା ୭୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି।

{"id":210248,"sizeSlug":"large"}

କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ଏବେ ଏକା ଅବସ୍ଥା
ପନିପରିବା ଦରବୃଦ୍ଧି ଓ ହ୍ରାସ ଏକ ନିୟମିତ ପ୍ରକ୍ରିୟା। ଯୋଗାଣ ଓ ଚାହିଦା ବଜାରରେ ଏଭଳି ପରିସ୍ଥିତି ସୃଷ୍ଟି କରେ। ହେଲେ ଲୋକଙ୍କୁ ନାନା ବାହାନାରେ ଠକିବା ମୁନାଫାଖୋର ବ୍ୟବସାୟୀଙ୍କ ଅଭ୍ୟାସ। ଏହି ଅଭ୍ୟାସ ଯୋଗୁ ସଂଘବଦ୍ଧ ଭାବେ ସେମନେ ଏବେ ସାରା ଦେଶରେ ଗ୍ରାହକଙ୍କୁ ଠକି ଚାଲିଥିଲେ ହେଁ ସେମାନଙ୍କ ପ୍ରତି କାହାର ନଜର ନାହିଁ। କେବଳ ଦିଲ୍ଲୀ କି ଅନ୍ୟ ମହାନଗର ନୁହେଁ ଛୋଟଛୋଟ ସହରାଞ୍ଚଳରେ ପିଆଜର ପାଇକାରୀ ଦର ବି ଏବେ ଆଜାଦନଗର ଦର ସହ ସମାନ। ହେଲେ ଲୋକେ ଇଜିପ୍ଟ ପିଆଜର ବଜାର ପ୍ରବେଶ ବେଳେ ଥିବା ଦର ଦେଇ ଏବେବି ପିଆଜ କିଣୁଛନ୍ତି।

{"id":210249,"sizeSlug":"large"}

ଭ୍ରମ ଦୂର ହେବାକୁ ଲାଗିବ ଆଉ କିଛି ସମୟ
ଉତ୍ତର ହେଉ କି ଦକ୍ଷିଣ ଭାରତ ସାରା ଦେଶର ପିଆଜ ଦର ଲାସଲ ଗାଓଁ ମଣ୍ଡିରେ ନିର୍ଦ୍ଧାରିତ ହୋଇଥାଏ। ଗତ ଜାନୁୟାରୀ ୧୦ ତାରିଖ ଦିନ  ମଣ୍ଡିରେ ପିଆଜ ପ୍ରତି କ୍ୱିଣ୍ଟାଲ ଦର ୨ରୁ ୩ ହଜାରରେ ବିକ୍ରି ହୋଇଥିଲା। ଅର୍ଥାତ ପ୍ରତି କେଜି ୨୦ରୁ ୩୦ ଟଙ୍କା ଦରରେ ବିକ୍ରି ହୋଇଥିଲା। ସ୍ଥାନୀୟ ଚାଷୀଙ୍କ ପିଆଜ ମଣ୍ଡିରେ ପ୍ରବେଶ ଯୋଗୁ ଆମଦାନୀ ପିଆଜର ଦର ପ୍ରଭାବିତ ହୋଇଥିବା ବେଳେ ନୂଆ ପିଆଜ ବି ବେଶ୍ ଲାଭ କମାଉଛି। ତେବେ ଦେଶରେ ପିଆଜ ସଙ୍କଟ ଯୋଗୁ ଉପୁଜିଥିବା ପରିସ୍ଥିତି ସୁଧୁରିବାକୁ ଆଉ କିଛି ସମୟ ଲାଗିବ ବୋଲି ନାଫେଡର ନିର୍ଦ୍ଦେଶକ ନାନାସାହେବ ପାଟିଲ କହିଛନ୍ତି। ପିଆଜ ବର୍ଷତମାମ ଆବଶ୍ୟକ ହେଉଥିବା ଏକ ପରିବା। ଏଣୁ ଗତ  ସଂକଟ ସମୟରେ ଯୋଗାଣ ଓ ଚାହିଦା ଚକ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ଫଳରେ ଦେଶରେ ଦରର ପାରଦର୍ଶିତା ଆସିବା ପର୍ଯ୍ୟନ୍ତ ଲୋକେ ଓ ବ୍ୟବସାୟୀ ଏପରି ଭ୍ରମରେ ରହିବେ ବୋଲି ପାଟିଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.