ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ଫଟୋ ରହିବା ପଛର କ’ଣ ରହସ୍ୟ ? ଜାଣନ୍ତୁ

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ ୨/୯: ଭାରତୀୟ ନୋଟରେ ଗତ କିଛି ବର୍ଷରୁ ବଡ଼ ବଡ଼ ପରିବର୍ତ୍ତନ ହେଉଛି। କିନ୍ତୁ ଦୀର୍ଘ ଦିନରୁ ଗୋଟିଏ ଜିନିଷ ଆଜି ଯାଏଁ ବଦଳିନାହିଁ। ତାହା ହେଉଛି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ। ଆଜି ଭାରତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏଥିପାଇଁ ଏହି ଅବସରରେ ଆମେ ଜାଣିବା ଯେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ପ୍ରଥମ ଥର ବ୍ୟାଙ୍କ ନୋଟରେ କେବେ ଛପିଥିଲା ଏବଂ କେଉଁଠାରୁ ଏହାକୁ ନିଆଯାଇଛି।

ସର୍ବ ପ୍ରଥମେ ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ୧୯୬୯ମସିହାରେ ଛପିଥିଲା। ଏହି ବର୍ଷ ତାଙ୍କ ଜନ୍ମ ଶତାବ୍ଦୀ ଥିଲା।

ଏହି ନୋଟରେ ଗାନ୍ଧୀଙ୍କ ଫଟୋ ପଛରେ ସେବାଗ୍ରାମ ଆଶ୍ରମ ମଧ୍ୟ ଥିଲା। ଯେତେବେଳେ ଗାନ୍ଧିଜୀଙ୍କ ଫଟୋ ନୋଟରେ ଛପିଥିଲା ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଏଲକେ ଝା ଆରବିଆଇର ଗଭର୍ଣ୍ଣର ଥିଲେ।

ଏହି ଫଟୋ ସେତେବେଳେ ଉଠାଯାଇଥିଲା ଯେତେବେଳେ ଗାନ୍ଧିଜୀ ତତ୍କାଳୀନ ବର୍ମା(ମିଆଁମାର) ଏବଂ ଭାରତରେ ବ୍ରିଟିଶ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଫ୍ରେଡରିକ୍ ପେଥିକ୍ ଲରେନ୍ସଙ୍କ ସହ କୋଲକାତା ସ୍ଥିତ ଭାଇସରାୟ ହାଉସରେ ଦେଖା କରିଥିଲେ ।ଏହି ଫଟୋରୁ ଗାନ୍ଧିଜୀଙ୍କ ମୁହଁ ପୋଟ୍ରେଟ ଭାବେ ଭାରତୀୟ ନୋଟ୍ ଉପରେ ଅଙ୍କିତ କରାଯାଇଥିଲା।

ଭାରତୀୟ ଟଙ୍କା ୧୯୫୭ମସିହା ଯାଏଁ ୧୬ଅଣା ଥିଲା। ଏହା ପରେ ମୁଦ୍ରାର ଦଶମିକ ପ୍ରଣାଳୀ ଅବଲମ୍ବନ କରାଗଲା ଏବଂ ୧ଟଙ୍କାର ନିର୍ମାଣ ୧୦୦ପଇସାରେ କରାଗଲା।

କିଙ୍ଗ ଜର୍ଜଙ୍କ ଫଟୋ ଥିବା ନୋଟ୍ ୧୯୪୯ମସିହା ଯାଏଁ ଚାଲୁଥିଲା। ଏହା ପରେ ଅଶୋକ ସ୍ତମ୍ଭ ଥିବା ନୋଟ୍ ଆସିଥିଲା। ମହାତ୍ମା ଗାନ୍ଧୀ ଥିବା କାଗଜ ନୋଟର ଆରମ୍ଭ ୧୯୯୬ମସିହାରୁ ଆରମ୍ଭ ହୋଇଥିଲା,ଯାହା ଏବେ ଯାଏଁ ମଧ୍ୟ ଚାଲୁଛି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ବାରା ୧୯୯୬ରେ ନୋଟରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହା ଅନୁସାରେ ଅଶୋକ ସ୍ତମ୍ଭ ସ୍ଥାନରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ଅଶୋକ ସ୍ତମ୍ଭର ଫଟୋ ନୋଟର ବାମ ପଟର ତଳ ଭାଗରେ ଅଙ୍କିତ କରାଯାଇଥିଲା।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଥିଲା ଯେ ଆରବିଆଇ ସମସ୍ତ ନୋଟରେ ଓ୍ବାଟର ମାର୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ମୁଦ୍ରିତ କରିବାର ସୁପାରିଶ ୧୯୯୩ମସିହା ଜୁଲାଇ ୧୫ତାରିଖ ଏବଂ ନୋଟର ଡାହାଣ ପାର୍ଶ୍ବରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ମୁଦ୍ରିତ କରିବାର ସୁପାରିଶ ୧୯୯୫ମିହା ଜୁଲାଇ ୧୩ତାରିଖରେ କେନ୍ଦ୍ର ସରକାରଙ୍କୁ କରିଥିଲେ।
ଆରବିଆଇ ଜବାବରେ କହିଛି ଯେ ଏହି ନିର୍ଣ୍ଣୟ କେନ୍ଦ୍ର ସରକାର କେବେ ନେଇଥିଲେ,ଏହା କେବେ ଲାଗୁ କରାଯାଇଥିଲା ଏବଂ କେତେ ତାରିଖରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ନୋଟରେ ଛାପିବାର କାର୍ଯ୍ୟ ଆରମ୍ଭ ହୋଇଥିଲା,ଏହାର ସୂଚନା ତାଙ୍କ ପାଖରେ ନାହିଁ।

{"id":165276}





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.