ପ୍ରଧାମନ୍ତ୍ରୀଙ୍କ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜ୍ ଲାଗି ଜାଣନ୍ତୁ କେଉଁଠୁ ଆସିବ ଅର୍ଥ , ଯିବ କାହା ପାଖକୁ ?

Published By : Prameya-News7 Bureau | May 13, 2020 IST

କରୋନା ଭାଇରସ୍ ସଂକଟ ସହ ଜୁଝୁଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ  ସମ୍ବୋଧିତ କରି ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ଏହି ପ୍ୟାକେଜ୍ ନୂଆ ଗତି ଦେବ ବୋଲି କହିଥିଲେ। ଏହି ପ୍ୟାକେଜ୍‌ରେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ପୁରା କରିବାକୁ ସମସ୍ତ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଥିବା  ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ପ୍ରଥମରୁ ଆୟ ଅପେକ୍ଷା ବ୍ୟୟ ଅଧିକ ଥିବା ଦେଶର ଅର୍ଥ ବ୍ୟବସ୍ଥାରେ ଏତେ ଟଙ୍କା କୁଆଡୁ ଆସିବ ତାହା ହିଁ ହେଉଛି ସବୁଠୁ ପ୍ରଶ୍ନ । ସେହିପରି ବିପୁଳ ଟଙ୍କା ଯିବ କୁଆଡେ ସେ ନେଇ ପ୍ରଶ୍ନ ଉଠିବା ମଧ୍ୟ ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା କୁଆଡୁ ଆସିବ ବିପୁଳ ଟଙ୍କା।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୦ ଲକ୍ଷ  କୋଟି ଟଙ୍କାର ଏକ ପ୍ରମୁଖ ଭାଗ ପୂର୍ବରୁ ହିଁ କାର୍ଯ୍ୟକାରୀ ହୋଇସାରିଛି। ଏହାର ଏକ ଉଦାହରଣ ହେଉଛି ଗତ ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ ମାସରେ  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଭିନ୍ନ ଉପାୟରେ ଅର୍ଥବ୍ୟବସ୍ଥା ଲାଗି  ଦେଇଥିବା ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ନଗଦ।  ଏଣୁ ବିଶେଷଜ୍ଞଙ୍କ ଅନୁସାରେ ଏହା ମଧ୍ୟ ସରକାରଙ୍କ ଆର୍ଥିକ ପ୍ୟାକେଜର ଏକ ଅଂଶ ହୋଇପାରେ।

ସେହିପରି ଗତ ମାର୍ଚ୍ଚ ୨୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ଅଂଶ ବିଶେଷ ବୋଲି ବିଚାର କରିବାକୁ ହେବ। ଆରବିଆଇ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍‌ ମିସି ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ହେବ। ତେବେ ବାକି ୧୦ ଲକ୍ଷ କୋଟି ଟଙ୍କା କୁଆଡୁ ଆସିବ ତାହା ହିଁ ହେଉଛି ସମୟର ବଡ ପ୍ରଶ୍ନ। ତେବେ ଏଥିଲାଗି ପ୍ରଥମ ବିକଳ୍ପ ସରକାର ସ୍ପଷ୍ଟ କରିସାରିଛନ୍ତି। କିଛି ଦିନ ପୂର୍ବରୁ ଏଥିଲାଗି ଜାରି ଆର୍ଥିକ ବର୍ଷର ଆନୁମାନିକ ପରିମାଣର ଆକଳନକୁ ସରକାର ପରିବର୍ତ୍ତନ କରିଥିଲେ। ଯାହାକୁ ସେ ବଜାରରୁ ଋଣ ଆକାରରେ ଉଠାଇବେ। ପୂର୍ବରୁ ଏହି ଆକଳନ ୭.୮ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଏବେ ସରକାର ଏହାକୁ ପରିବର୍ତ୍ତନ କରି ୧୨ଲକ୍ଷ କୋଟି ଟଙ୍କା କରିଛନ୍ତି। ଅର୍ଥାତ୍ ସରକାର ଖର୍ଚ୍ଚରେ ଅଧିକ ୪.୨ଲକ୍ଷ କୋଟି ଟଙ୍କା ବୃଦ୍ଧି କରିଛନ୍ତି।

ଏଭଳି କ୍ଷେତ୍ରରେ ସାଧାରଣତଃ ଏପରି ଆବଶ୍ୟକତା ପୂରଣ ଲାଗି ସ୍ୱଳ୍ପ କିମ୍ବା ଦୀର୍ଘ ମିଆଦି ବଣ୍ଡ ବିକ୍ରି କରାଯାଏ।  ସରକାରଙ୍କର ଏଭଳି ବଣ୍ଡ ଭାରତୀୟ ଜୀବନ ବୀମା ନିଗମ ଓ ବ୍ୟାଙ୍କ ଭଳି ଅନୁଷ୍ଠାନମାନଙ୍କ ଦ୍ୱାରା କିଣାଯାଇଥାଏ।  ଏନେଇ ଆରବିଆଇ  ଜାରିକରିଥିବା ବିବୃତ୍ତିରେ କରୋନା ଭାଇରସ ସଙ୍କଟ ଯୋଗୁ ଋଣ ପରିସଂଖ୍ୟାନରେ ଏପରି ପରିବର୍ତ୍ତନ ଜରୁରି ବୋଲି  କହିଥିଲେ।

କେତେକ ବିଶେଷଜ୍ଞଙ୍କ ଅନୁସାରେ ବଜାରରୁ ଟଙ୍କା ଉଠାଇବା ବ୍ୟତୀତ ସରକାର ଖର୍ଚ୍ଚ ନହୋଇ  ପଡି ରହିଥିବା ଟଙ୍କାକୁ ମଧ୍ୟ ବ୍ୟବହାର କରିପାରିବେ । ଯେପରିକି  ଶିକ୍ଷା କିମ୍ବା  ସ୍ୱଚ୍ଛ ଭାରତ ଅଭିଯାନ ପରି ଅନେକ ସେସ୍ ବା ଉପକର ଯାହା ଆୟକର ଏବଂ ଅନ୍ୟାନ୍ୟ  ଶୁଳ୍କର ଅଂଶକୁ  ଜରୁରୀକାଳୀନ ପରିସ୍ଥିତିରେ ଖର୍ଚ୍ଚ କରାଯାଇ ପାରିବ | କିଛି ମାସ ପୂର୍ବେ ଉପକର ଭାବେ ଆଦାୟ ହୋଇଥିବା ୩.୫୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ । ଏଭଳି ଅର୍ଥକୁ ମଧ୍ୟ ସରକାର ତାଙ୍କ ମହତ୍ୱାକାଙକ୍ଷୀ ପ୍ୟାକେଜ୍ ଲାଗି ଉପଯୋଗ କରିପାରନ୍ତି।

ଏହା ଛଡା ଅଶୋଧିତ ତୈଳ ମଧ୍ୟ ସରକାରଙ୍କ ପାଇଁ ଅତିରିକ୍ତ ଆୟର ରାସ୍ତା ଉନ୍ମୁକ୍ତ ରଖିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ କିଛି ସମୟ ପାଇଁ ହ୍ରାସ ହୋଇଛି।  ଯଦିଓ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ  ତୈଳ  ମୂଲ୍ୟର ପରିବର୍ତ୍ତନ ସହିତ ଜଡିତ, ତଥାପି ସରକାର  ନିକଟ ଅତୀତରେ  ତୈଳ ମୂଲ୍ୟ ହ୍ରାସର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ଏବେ ଦେଶ ଲକଡାଉନ୍‌ରେ ଥିବାରୁ ସରକାରଙ୍କୁ ଏହାର ଲାଭ ତୁରନ୍ତ ମିଳି ନାହିଁ, ହେଲେ ଯେମିତି ଦେଶରେ ଆର୍ଥିକ ଗତିବିଧି ଆରମ୍ଭ ହେବ ଓ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ କିଛି ସମୟ ସ୍ଥିର ରହିଲେ ଏହାର ଲାଭ ସିଧା ସରକାରଙ୍କୁ ମିଳିବ।

ଏହା ବ୍ୟତୀତ ଆୟକର ପରି ପ୍ରତ୍ୟକ୍ଷ ଟ୍ୟାକ୍ସର ମଧ୍ୟ ଏକ ଉପାୟ ଅଛି | ଯଦିଓ ଏହା ଦୀର୍ଘକାଳୀକ ନୁହେଁ ତେବେ ବିଶେଷ ପରିସ୍ଥିତିରେ ସରକାର ବାର୍ଷିକ ୨୦ ଲକ୍ଷରୁ ଅଧିକ ଆୟକାରୀ ବର୍ଗଙ୍କ ଉପରେ ଅର୍ଥନୀତି ସୁଧୁରିବା ପର୍ଯ୍ୟନ୍ତ ‘କୋଭିଡ’ ଶୁଳ୍କ ଲଗାଇପାରନ୍ତି।  ଏହା ଛଡା ବିଶ୍ୱ ବ୍ୟାଙ୍କ କିମ୍ବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପରି ଅନୁଷ୍ଠାନମାନଙ୍କରୁ ସରକାର ଋଣ ନେଇ ପାରନ୍ତି। ତେବେ ଏହା  ସରକାରଙ୍କର ଶେଷ ବିକଳ୍ପ ହେବା ଉଚିତ୍ |

ବିଶେଷଜ୍ଞଙ୍କ ଅନୁସାରେ ସରକାର ଯଦି ଧନର ସଦୁପଯୋଗ କରିବେ ତେବେ ଏଥିଲାଗି ପୁରା ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ନ କରି ମଧ୍ୟ ତାଙ୍କ ଉଦ୍ଦେଶ୍ୟ ପୂରଣ କରିପାରନ୍ତି।  ଯଦି ବିଜ୍ଞତାର ସହ ଏହି ଅର୍ଥକୁ ଖର୍ଚ୍ଚ କରାଯାଏ ଏହାର ମଲ୍ଟି ପ୍ଲାୟର ଇଫେକ୍ଟ ମୃତ୍ୟୁସଞ୍ଜିବନୀ  ସଦୃଷ ହେବ। ଅର୍ଥଶାସ୍ତ୍ରରେ ଏଭଳି ପରିସ୍ଥିତି ସେତେବେଳେ ଉପୁଜେ ଯେତେବେଳେ ଆୟରୁ ଚାହିଦା, ସେଥିରୁ ଉପଭୋଗ, ସେଥିରୁ ଆୟ ଓ ଏହି ଆୟରୁ ପୁଣି ଚାହିଦା ଭଳି ଚକ୍ରର ସୃଷ୍ଟି ହୁଏ। ତେବେ ଗୋଟିଏ ବର୍ଗଙ୍କ କହିବା କଥା ହେଲା ବର୍ତ୍ତମାନ କିଛି ସମୟ ଲାଗି ଶ୍ରମିକ ଓ ଚାଷୀଙ୍କ ଖାତାକୁ ସିଧା ଟଙ୍କା ପଠାଇ ନଗଦ ଅର୍ଥର ଚାହିଦା ବୃଦ୍ଧି କରିବା ଜରୁରି। କାରଣ ୨୦୨୦-୨୧ରେ ଭାରତୀୟ ଅର୍ଥବ୍ୟବସ୍ଥା ୪.୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବରୁ ଆକଳନ କରୁଛନ୍ତି।

ସେହିପରି ଶ୍ରମିକ ଓ କୃଷକବର୍ଗଙ୍କୁ ନଗଦ ହସ୍ତାନ୍ତରଣ ପରେ ବଳକା ଅର୍ଥ କାରବାର ଜଗତ ଲାଗି ଏପରି ଉପଯୋଗ ହେବା ଦରକାର ଯେଉଁଥିରୁ ଅଧିକ ଲାଭ ମିଳିପାରିବ। ବର୍ତ୍ତମାନ ସମୟରେ ବାଣିଜ୍ୟ ଓ ଉଦ୍ୟୋଗ ଜଗତର ସବୁଠାରୁ ବଡ ସମସ୍ୟା ହେଉଛି ବ୍ୟାଙ୍କରୁ ନେଇଥିବା ଋଣ ସୁଝି ନ ପାରିବା। ଏପରି ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ଉପରେ ବ୍ୟାଙ୍କମାନଙ୍କର ବି ଋଣ ଦେବା ଲାଗି ଏବେ ଭରସା ହେୁ ନାହିଁ। ଏଥିରେ ମହାମାରୀରେ ଗୁରୁତର ପ୍ରଭାବିତ ଏପରି ସଂସ୍ଥାଙ୍କ ଅବସ୍ଥା ସେବେ ସୁଧୁରିବ ଯେତେବେଳେ ସେମାନଙ୍କ ହାତକୁ ନଗଦ ଯିବ। ଏଣୁ ସରକାର ବ୍ୟାଙ୍କମାନଙ୍କୁ ପୁନଃ ପୁଞ୍ଜିକରଣ କରି ଏପରି ସଂସ୍ଥାଙ୍କ ଅବସ୍ଥାରେ ସୁଧାର କରିପାରନ୍ତି।

ହେଲେ ବର୍ତ୍ତମାନ ସମୟରେ ସରକାରଙ୍କ ଲାଗି  ସବୁଠୁ ବଡ ଚାଲେଞ୍ଜ ହେଉଛି  ଗତ ଦେଢମାସ ହେଲା ଆଇସିୟୁରେ ପଡିଥିବା ଅର୍ଥବ୍ୟବସ୍ଥାକୁ ୱାର୍ଡକୁ ସିଫ୍ଟ କରିବା। ଏବେକା ସମୟରେ ସରକାରଙ୍କଠାରୁ ଏହାଠୁ ଅଧିକ ବି ଆଶା କରାଯାଇ ନ ପାରେ। କାରଣ ସରକାରଙ୍କ ଆର୍ଥିକ ପରିସ୍ଥିତି ଯାହା ସେଥିରେ ହାତଖୋଲା ଖର୍ଚ୍ଚ କରିଦେଲେ କଥା ସରିଯିବ। ଏଣୁ ପରିସ୍ଥିତିରେ ସନ୍ତୁଳନ ରକ୍ଷା କରି ଅର୍ଥବ୍ୟବସ୍ଥାକୁ ଉଠାଇବା ହିଁ ସରକାରଙ୍କ ଲାଗି ବର୍ତ୍ତମାନ ସମୟର ସବୁଠୁ ବଡ ବୁଦ୍ଧିମାନି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.