‘POCSO’ ଆଇନ କ’ଣ ? ଜାଣନ୍ତୁ ଏହାର ପ୍ରାବଧାନ

Published By : Prameya-News7 Bureau | January 28, 2021 IST

ବମ୍ବେ ହାଇକୋର୍ଟଙ୍କ ରାୟକୁ ନେଇ ପ୍ରୋଟେକ୍ସନ ଅଫ ଚିଲ୍ଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ ( ପକ୍ସୋ) ଆଇନ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ହାଇକୋର୍ଟ ଗୁରୁବାର ପୁଣି ଏକ ବିବାଦୀୟ ରାୟ ଦେଇଛନ୍ତି।  ତେବେ ଆସନ୍ତୁ ଜାଣିବା ପକସୋ ଆଇନ କ’ଣ ଓ ଏଥିରେ କ’ଣ ରହିଛି ପ୍ରାବଧାନ।

ଯେତେବେଳେ ଶିଶୁଙ୍କୁ ମାନସିକ ଅଥବା ଶାରୀରିକ ନିର୍ଯାତନା ଦିଆଯାଏ ସେତେବେଳେ ଆମେ ଏହାକୁ ଶିଶୁ ନିର୍ଯାତନା କହିଥାଉ। ତେବେ ଏଥିରେ ଅଜାଣତରେ ଶିଶୁକୁ ଅନେକ ଯୌନ ନିର୍ଯାତନା ମଧ୍ୟ ଦେଇଥାନ୍ତି ଯାହା ସହଜରେ ଜାଣି ହୁଏନା। ଏପରି ନିର୍ଯାତନା ଶିଶୁର ନିକଟ ସମ୍ପର୍କୀୟଙ୍କ ଦ୍ୱାରା ବାରମ୍ବାର ହୋଇଥାଏ। ତେବେ ଅବୋଧ ଏହା ବିରୋଧରେ କାହା ନିକଟରେ ଅଭିଯୋଗ ବି କରିପାରେନି। ଏଥିରେ ବାଳକଙ୍କ ଅପେକ୍ଷା ଅଧିକ ବାଳିକା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ଶିଶୁଙ୍କୁ ଏପରି ଶାରୀରିକ ଓ ମାନସିକ ନିର୍ଯାତନାରୁ ସୁରକ୍ଷିତ କରିବା ଲାଗି ପ୍ରୋଟେକ୍ସନ ଅଫ ଚିଲ୍ଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ ରୁଲସ୍‌ ୨୦୨୦ ଆଇନ ପ୍ରଣୀତ ହୋଇଛି।

ଦେଶରେ ଏହି ଆଇନ ୨୦୧୨ ମସିହାରୁ ଲାଗୁ ହୋଇଛି। ତେବେ ଏଥିରେ ଥିବା କେତେକ ପ୍ରାବଧାନରେ ସୁଧାର କରାଯାଇ ସଂଶୋଧିତ ଆଇନ ୨୦୨୦ ମସିହାରୁ ଲାଗୁ ହୋଇଛି। ସଂଶୋଧନରେ ସ୍କୁଲ, କେୟାର ହୋମସ୍‌  ଓ ଅନ୍ୟ ସଂସ୍ଥାନମାନଙ୍କରେ କର୍ମଚାରୀଙ୍କ ନିଯୁକ୍ତି ପୂର୍ବରୁ ପୋଲିସ ଭେରିଫିକେସନ ଜରୁରି କରାଯାଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଇନରେ କଣ ରହିଛି ବ୍ୟବସ୍ଥା।

ଏହି ଆଇନରେ ପୃଥକ ପୃଥକ ଅପରାଧ ଲାଗି ଦଣ୍ଡ ବିଧାନ ମଧ୍ୟ ପୃଥକ କରାଯାଇଛି। ତେବେ ସବୁଠୁ ବଡ଼ କଥା ହେଲା ଆଇନର ପାଳନ ହେଉଛି କି ନା ତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଆଇନର ଧାରା ୪ରେ ଯଦି ଶିଶୁ ସହ କୌଣସି ପ୍ରକାର କୁକୁର୍ମ, ଦୁଷ୍କର୍ମ ସହ ତା ପ୍ରତି ଆଘାତ କରାଯାଇଥାଏ ତେବେ ୭ ବର୍ଷରୁ ଆରମ୍ଭ କରି ଜାବଜ୍ଜୀବନ କାରାଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି।

ସେହିପରି ଧାରା ୭ ଓ  ୮ରେ ଯେଉଁଥିରେ ଶିଶୁର ଗୁପ୍ତାଙ୍ଗରେ ଆଘାତ କରାଯାଇଥିଲେ ୫ରୁ ୭ ବର୍ଷ ଜେଲ ଦଣ୍ଡ ସହ ଜରିମାନା ପ୍ରାବଧାନ ରହିଛି।  ୧୮ ବର୍ଷରୁ କମ୍‌ ବୟସ୍କ କୌଣସି ନାବାଳକ ଅଥବା ନାବାଳିକା ସହ ଦୂରାଚାର ହୋଇଥିଲେ ପକସୋ ଆଇନରେ ମୋକଦ୍ଦମା ରୁଜୁ ହେବ। ଆଇନର ଧାରା ୧୧ରେ ଯୌନ ଶୋଷଣକୁ ମଧ୍ୟ ପରିଭାଷିତ କରାଯାଇଛି।

ଆଇନର ଧାରା ୧୧ରେ କେହି ଯଦି ଶିଶୁକୁ ମନ୍ଦ ଉଦ୍ଦେଶ୍ୟରେ ଛୁଏଁ ଅଥବା ତା ସହ ଅସଦାଚରଣ କରେ କିମ୍ବା ପର୍ଣ୍ଣୋଗ୍ରାଫି ଦେଖାଏ ତେବେ ତାକୁ ଦୋଷୀ ବୋଲି କୁହାଯିବ। ଏହି ଧାରାରେ ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କୁ ସର୍ବାଧିକ ୩ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ସେହିପରି ଆଇନରେ ଏପରି ଅପରାଧର ନିବାରଣ ସହ ପୀଡ଼ିତଙ୍କୁ ବିଚାର ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ବିଶେଷ ସହଯୋଗର ବ୍ୟବସ୍ଥା ମଧ୍ୟ ରହିଛି। ସର୍ବୋପରି ଏହି ଆଇନରେ ଲିଙ୍ଗଗତ ପାତରଅନ୍ତର  ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.