Budget-2020 ପୂର୍ବରୁ ଜାଣନ୍ତୁ ଏହି ସବୁ ଶବ୍ଦ ଅର୍ଥ, ବୁଝିବାକୁ ସହଜ ହେବ ବଜେଟ୍
31/01/2020 at 4:58 PM

ନୂଆଦିଲ୍ଲୀ : ଫବୃଆରୀ ୧ ତାରିଖ ଶନିବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସଂସଦରେ ବଜେଟ୍ ଉପସ୍ଥାପନକରିବେ। ଏଥିରୁ ସାରାବର୍ଷରେ ସରକାରଙ୍କ ଆର୍ଥିକ ଆୟ ଓ ବ୍ୟୟର ସୂଚନା ମିଳିବ। ତେବେ ବଜେଟ୍ ପୂର୍ବରୁ ସମ୍ପର୍କିତ କିଛି ଶବ୍ଦକୁ ବୁଝିପାରିଲେ ଆଗାମୀ ବଜେଟ୍କୁ ବୁଝିବା ସୁବିଧାଜନକ ହେବ।
ଆର୍ଥିକ ନିଅଣ୍ଟ :
ସରକାରଙ୍କ ମୋଟ ବାର୍ଷିକ ଆୟ ଅପେକ୍ଷା ବ୍ୟୟ ଅଧିକ ହୁଏ ତାକୁ ଆର୍ଥିକ ନିଅଣ୍ଟ ବା ଫିସକାଲ ଡେଫିସିଟ୍ ବୋଲି କୁହାଯାଏ। ଗତ ୨୦୧୭ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜୈଟଲୀ ସଂସଦରେ ବାର୍ଷିକ ବଜେଟ ଉପସ୍ଥାପନ କରି ଆର୍ଥିକ ନିଅଣ୍ଟ ମୋଟ ଜିଡିପିର ୩.୨ ପ୍ରତିଶତ ହେବ ବୋଲି କହିଥିଲେ। ତେବେ ଚଳିତ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଲୋଭନୀୟ ବଜେଟ ଉପସ୍ଥାପନ କରିବେ ବୋଲି ଅନୁମାନ କରାଯାଉଛି। ଯେଉଁଥିରେ ଶୁଳ୍କ ସୀମାରେ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ଯୋଜନା ଲାଗି ସରକାର ଅଧିକ ବ୍ୟୟ ଅଟକଳ ରଖିପାରନ୍ତି।
ବ୍ୟକ୍ତିଗତ ଆୟକରରେ ରିହାତି ସୀମା:
ପ୍ରଚଳିତ ବ୍ୟବସ୍ଥାରେ ବାର୍ଷିକ ଅଢେଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବ୍ୟକ୍ତିକୁ ଆୟକର ଦେବାକୁ ପଡୁ ନାହିଁ। ତେବେ ଅନୁମାନ କରାଯାଉଛି ବଜେଟ୍ ରେ ଅର୍ଥମନ୍ତ୍ରୀ ଆୟକର ସୀମାକୁ ଅଧିକ ବଢାଇପାରନ୍ତି। ଫଳରେ ଲୋକେ ଆୟ ଅନୁରୂପ ବ୍ୟୟ ବି କରିପାରିବେ।
ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ କର:
ଯେଉଁ କର ନାଗରିକ ସରକାରଙ୍କୁ ସିଧାଶଳଖ ଦେଉଛନ୍ତି ତାହା ହେଉଛି ପ୍ରତ୍ୟକ୍ଷ କର। ଏଥିରେ ଆୟକରକୁ ଏହାର ଉଦାହରଣ ରୂପେ ଗ୍ରହଣ କରାଯାଇପାରେ। ଯେଉଁଥି ଲାଗି ବ୍ୟକ୍ତି ସିଧା ସରକାରଙ୍କୁ କର ଦେଇଥାନ୍ତି। ଏଥିରେ ୱେଲ୍ଥ ଟ୍ୟାକ୍ସ ଓ କର୍ପୋରେଟ୍ ଟ୍ୟାକ୍ସକୁ ବି ପ୍ରତ୍ୟକ୍ଷ କର କୁହାଯାଇପାରେ। ସେହିପରି ଅପ୍ରତ୍ୟକ୍ଷ କର ଯେଉଁ କର ନଗରିକଙ୍କ ଠାରୁ ସିଧାଶଳଖ ଆଦାୟ ହୁଏନି। ଜିଏସଟିକୁ ଏଭଳି କର ଅନ୍ତର୍ଗତ କୁହାଯାଇପାରେ। ୟାହା ଏବେ ଭାଟ, ସେଲ୍ସ୍ ଟ୍ୟାକ୍ସ, ସର୍ଭିସ୍ ଟ୍ୟାକ୍ସ, ଲଗଜରୀ ଟ୍ୟାକ୍ସ ଆଦିର ଏବେ ସ୍ଥାନ ନେଇଛି।
ଆର୍ଥିକ ବର୍ଷ :
ଭାରତରେ ଗୋଟିଏ ଆର୍ଥିକ ବର୍ଷ କହିଲେ ୧ ଏପ୍ରିଲରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟକୁ ବୁଝାଯାଏ। ଚଳିତବର୍ଷ ୨୦୨୧ ବର୍ଷ ଲାଗି ବଜେଟ୍ ହେବ। ଯାହା ୧ ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୧ରେ ଶେଷ ହେବ।