ନ୍ୟୁୟର୍କ ବିମାନବନ୍ଦରରେ କାହିଁକି ଜରୁରୀ ଅବତରଣ କରିଥିଲା ଇମ୍ରାନଙ୍କ ବିମାନ, ଜାଣନ୍ତୁ ପୁରା ଘଟଣା
7/10/2019 at 4:07 PM

ଇସ୍ଲାମାବାଦ : ମିଳିତ ଜାତିସଂଘ ସାଧାରଣ ଅଧିବେଶନରୁ ଫେରିବା ବେଳେ ନ୍ୟୁୟର୍କ ବିମାନବନ୍ଦରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନ ଜରୁରି ଅବତରଣ କରିଥିଲା। କୁହାଯାଇଥିଲା ବୈଷୟିକ ତ୍ରୁଟି କାରଣରୁ ଏମବିଏସ୍ ଙ୍କ ବିମାନକୁ ଅଧା ଆକାଶରୁ ଫେରି ଆସିଥିଲା। କିନ୍ତୁ ବାସ୍ତବିକ ଘଟଣାଟି କିନ୍ତୁ ସେଇଆ ନୁହେଁ। ପାକ୍ ସାପ୍ତାହିକ୍ ‘ଫ୍ରାଇଡେ ଟାଇମ୍ସ’ ଏ ନେଇ ଯେଉଁ ସୂଚନା ଦେଇଛି ତାହା ବାସ୍ତବିକ ଆଶ୍ଚର୍ଯ୍ୟକର ଓ ଲଜ୍ଜାଜନକ ମଧ୍ୟ। ହେଲେ ପାକ୍ ସରକାର ରିପୋର୍ଟକୁ ଅସ୍ୱୀକାର କରିଛନ୍ତି।

ଫ୍ରାଇଡେ ଟାଇମ୍ସ ଅନୁସାରେ ଇମ୍ରାନ ୟୁଏନଜିଏରେ ଯୋଗଦେବା ପୂର୍ବରୁ ସାଉଦି ଆରବ ଗସ୍ତ କରିଥିଲେ। ସେଠାରୁ ସେ ଏୟାରଲାଇନ୍ସ ବିମାନ ଯୋଗେ ଆମେରିକା ପ୍ରସ୍ଥାନ କରିଥାନ୍ତେ। ତେବେ ମିତ୍ରତା ଦୃଷ୍ଟିରୁ ସଉଦି ପ୍ରିନ୍ସ କିନ୍ତୁ ଇମ୍ରାନଙ୍କୁ ସେମିତି ଛାଡି ନଥିଲେ। ଇମ୍ରାନ ଓ ତାଙ୍କ ପ୍ରତିନିଧି ଦଳଙ୍କୁ ନିଜର ବ୍ୟକ୍ତିଗତ ଜେଟ୍ ଏମବିଏସ୍ ଯୋଗେ ଆମେରିକା ପଠାଇଥିଲେ। ହେଲେ ଜାତିସଂଘ ସାଧାରଣ ଅଧିବେଶନରେ ଇମ୍ରାନ ପ୍ରଗଳଭ ଭାବେ ‘ଇସ୍ଲାମ ଫୋବିଆ’, ପାକିସ୍ତାନରେ ଅଲକାଏଦା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଓ ବିଶ୍ୱର ୧୩୦ କୋଟି ମୁସଲମାନ ହତିଆର ଉଠାଇବା ଆଦି ଯେଉଁ ପ୍ରସଙ୍ଗ ଉତଥାପନକରିଥିଲେ ସେଥିରୁ ସାଉଦି ପ୍ରିନ୍ସ ନିଜକୁ ଅଲଗା କରିନେବା ଯୋଗୁ ଫେରିବା ବେଳେ ସାଉଦୀ ପ୍ରିନ୍ସ ଇମ୍ରାନଙ୍କୁ ଏଭଳି ହଟା ହଟା କରିଥିଲେ ବୋଲି ସମ୍ବାଦପତ୍ର ଉଲ୍ଲେଖ କରିଛି।

ସେହିପରି ଇମ୍ରାନଙ୍କ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ମାତ୍ର ୧୫ ମିନିଟ୍ ରେ ମୋଦି ପରିବେଶ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରି ଧନ୍ୟବାଦ ସାଉଁଟିଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭାଷଣ ଲାଗି ମିଳିଥିବା ୧୫ ମିନଟ୍ କୁ ୫୦ ମିନିଟ୍ ରେ ପହଞ୍ଚାଇଥିଲେ। ହେଲେ ଧ୍ୟାନ ଦେଇନଥିଲେ କକ୍ଷରେ ତାଙ୍କୁ କେହି ଶୁଣୁଛି କି ନା। ତାଙ୍କ ଭାଷଣ ଆରମ୍ଭର ମାତ୍ର କିଛି ସମୟ ପରେ ସମ୍ମିଳନୀ କକ୍ଷରୁ ପଛ ବେଞ୍ଚ ଅଧା ଖାଲି ହୋଇଯାଇଥିଲା। ୫୦ ମିନିଟ୍ ବେଳକୁ ଇମ୍ରାନ ସମ୍ମିଳନୀ କକ୍ଷରେ କେବଳ ନିଜର ପ୍ରତିନିଧି ଦଳଙ୍କୁ ଦେଖି ଭାଷଣ ସମାପ୍ତ କରିବାକୁ ବାଧ୍ୟ ହୋଇଥିଲେ।

କଥା କେବଳ ୟୁଏନଜିଏରେ ଇମ୍ରାନଙ୍କ ଭାଷଣ ନୁହେଁ ତାଙ୍କ କୂଟନୀତି ବି ସାଉଦୀ ପ୍ରିନ୍ସଙ୍କୁ ଖପ୍ପା କରିଥିଲା। ଜାତିସଂଘରେ ଇମ୍ରାନ ତୁର୍କି ରାଷ୍ଟ୍ରପତି ରେସପ ତୈୟପ ଏର୍ଡୋଗାନ ଓ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କୁ ବି ଭେଟିଥିଲେ। ତେବେ ଇରାନ ପ୍ରସଙ୍ଗରେ ଇମ୍ରାନ, ଏର୍ଡୋଗାନ କି ଅନ୍ୟ କେହି ଇସ୍ଲାମିକ୍ ବ୍ଲକ୍ ର ନେତୃତ୍ୱ ନେଉ ତାହା ସାଉଦୀ ପ୍ରିନ୍ସ କିନ୍ତୁ ଚାହୁଁ ନଥିଲେ। ଏଣୁ ଇମ୍ରାନ ଫେରିବା ବେଳେ ମହମ୍ମଦ ବିନ ସଲମାନ ତାଙ୍କ ବିମାନକୁ ମଝିଆକାଶରେ ଅଟକାଇ ସେମାନଙ୍କୁ ଯେଉଁଠାରୁ ଆଣିଥିଲା ସେଇଠି ଛାଡିଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

ସଲମାନ ଏହି ନିର୍ଦ୍ଦେଶ ଦେବା ବେଳେ ଏମବିଏସ୍ କାନାଡା ଆକାଶରେ ପହଞ୍ଚି ସାରିଥିଲା। ଏଣୁ ପାଇଲଟ ବାଧ୍ୟ ହୋଇ ବିମାନକୁ ପୁଣି ନ୍ୟୁୟର୍କ ଫେରାଇ ଆଣିବା ସହ ଇମ୍ରାନ ଓ ତାଙ୍କ ପ୍ରତିନିଧି ଦଳଙ୍କୁ ଓହ୍ଲାଇଦେଇଥିଲେ। ପରେ ସେମାନେ ଅନ୍ୟ ଏକ ଏୟାରଲାଇନ୍ସ ବିମାନ ଯୋଗେ ଜେଦ୍ଦା ରାସ୍ତାରେ ଇସ୍ଲାମାବାଦ ଫେରିଥିଲେ। ହେଲେ ଫ୍ରାଇଡେ ଟାଇମ୍ସ ର ଏହି ରିପୋର୍ଟକୁ ପାକ୍ ସରକାରଙ୍କ ମୁଖପାତ୍ର ଖଣ୍ଡନ କରିବା ସହ ଇମ୍ରାନଙ୍କ ସଫଳ ଗସ୍ତକୁ ସନ୍ଦେହାସ୍ପଦ କରିବା ଲାଗି ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି।