କାର୍ତ୍ତିକରେ ଉଠିଥାଏ ଆକାଶଦୀପ, କଣ ଏହାର ବିଶେଷତ୍ତ୍ବ ଏବଂ କେମିତି ତିଆରି ହୁଏ ଜାଣନ୍ତୁ…

Published By : Prameya-News7 Bureau | November 07, 2019 IST

କାର୍ତ୍ତୀକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚଳିଆସିଛି । ସଂଜ ହେଲେ ସଂଜବତୀ ଜାଳଇଭଆ ଶଙ ଓଡିଆ ରମଣୀ ତା ଦୁଆରେ ଆକାଶ ଦୀପ ଉଠାଏ । କଣ ଏହି ଆକାଶ ଦୀପ ଆଉ କାହିଁକି କାର୍ତ୍ତିକମାସରେ ଏହା ଉଠାଯିବାର ପରଂପରା ରହିଛି ଆସନ୍ତୁ ଜାଣିବା ।

{"id":180577,"width":579,"height":434}

ପୋଡ଼ା ହୋଇଥିବା ଏକ ମାଟି ହାଣ୍ଡିର ଚାରି ପାଖରେ ପ୍ରଥମେ ଅନେକଗୁଡ଼ିଏ କଣା କରାଯାଏ। ତାପରେ ସେହି ହାଣ୍ଡିକୁ ଧୋଇ ତା ଭିତରେ କିଛି ବାଲି ଭର୍ତ୍ତି କରାଯାଏ, ତା ଉପରେ ଗୋବର ରଖାଯାଏ। ଗୋବର ଉପରେ ଘୃତପୂର୍ଣ୍ଣ ଏକ ପ୍ରଜ୍ଜ୍ବଳିତ ଦୀପ ରଖାଯାଇ ତା ଉପରେ ମାଟି ସରା(ଢ଼ାଙ୍କୁଣି) ରଖାଯାଏ। ଏକ ଶିକା ଉପରେ ଏହାକୁ ରଖି ଚଉରା ପାଖରେ ପୋତାଯାଇଥିବା ଏକ ନଭଶ୍ଚୁମ୍ବୀ ସୁଉଚ୍ଚ ବାଉଁଶ ଦେହରେ ଝୁଲାଇ ଦିଆଯାଏ। ହାଣ୍ଡିରେ ହୋଇଥିବା ଛିଦ୍ର ବା କଣା ମଧ୍ୟ ଦେଇ ଦୀପର ଆଲୋକ ଆକାଶରେ ବିଚ୍ଛୁରିତ ହୋଇଥାଏ । ଆଶ୍ବୀନ ମାସରେ ଧରାବତରଣ କରିଥିବା ପିତୃ ପୁରୁଷ ପୂଣ୍ୟମାସ କାର୍ତ୍ତିକରେ ପୁଣି ପିତୃଲୋକ ଗମନ କରିଥାନ୍ତି । ସେମାନଙ୍କ ଫେରିବା ରାସ୍ତାକୁ ଆଲୋକିତ କରିବା ଲାଗି କୃତଜ୍ଞ ସନ୍ତାନଙ୍କ ଏଭଳି ପରିକଳ୍ପନା ବୋଲି କୁହାଯାଏ । ଦୀପାବଳୀରେ ମଧ୍ୟ ଡାଂଗ ଦେଖାଯାଏ , ପିଣ୍ଡ ପ୍ରଦାନ କରାଯାଏ ପିତୃ ପୁରୁଷଙ୍କୁ । ଆକାଶ ଦୀପ ହେଉଛି ସେହି କ୍ରମର ଏକ ଅନନ୍ୟ ପରମ୍ପରା ।  

{"id":180578,"width":586,"height":404}

ଆକାଶ ଦୀପ ଉଠାଇବା ବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ,ତାହାର ପୁଣ୍ୟ ସେତେ ଅଧିକ ହୁଏ ବୋଲି ପଣ୍ଡିତମାନେ ମତ ଦିଅନ୍ତି। ଏକାନ୍ତ ନିଷ୍ଠା,ଏକାଗ୍ରତା ଓ ଦୃଢ଼ ବିଶ୍ବାସର ସହିତ ଆକାଶଦୀପ ପ୍ରଜ୍ଜ୍ବଳନ କରାଯାଇଥାଏ।

{"id":180579,"width":591,"height":351}

କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ଓ ପବିତ୍ରତମ ମାସ। ଏହି ମାସରେ ଦେବାଦେବୀଙ୍କୁ ଧ୍ୟାନ କରିବା ସହିତ ଦର୍ଶନ କଲେ ସକଳ ପାପ କ୍ଷୟ ହେବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ପରିବାରର ସର୍ବବିଧ ମଙ୍ଗଳ ହୋଇଥାଏ। ପୁଣ୍ୟ ଅର୍ଜନ ଆଶାରେ ଏହି ମାସରେ ଆମିଷ ଆଦି ଉତ୍ତେଜକ ଖାଦ୍ୟ ବର୍ଜନ କରି ସାତ୍ତ୍ବିକ ଆହାର ଗ୍ରହଣ କରି ସଙ୍କଳ୍ପ ପୂର୍ବକ ହବିଷାନ୍ନ ଗ୍ରହଣ କରି ପୁରାଣ ପାଠ ଶ୍ରବଣ ଓ ପଠନ କରିଥାଆନ୍ତି ଲୋକେ।

{"id":180580}

ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ବଳନ କରାଯାଏ। କାର୍ତ୍ତିକ ମାସ ପ୍ରତିପଦାଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳୀମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି।

{"id":180585}

ଆଉ କେତେକ ଦୀପାବଳିଠାରୁ ୧୫ଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। କେତେକ ଅଁଳା ନବମୀଠାରୁ ନବଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି। ଆଉ କେତେକ ପଞ୍ଚୁକ ପାଞ୍ଚଦିନ ଆକାଶଦୀପ ଜାଳିଥାଆନ୍ତି। ଆକାଶ ଦୀପ ଜଳିବା ଦିନ ହବିଷାନ୍ନ ଗ୍ରହଣ କରିବା ସହିତ ପୁରାଣ ପାଠ ଓ ଶ୍ରବଣ, ଗୀତା ପାଠ ବା ଶ୍ରବଣ, ଶିବ ପୁରାଣ ପାଠ ବା ଶ୍ରବଣ କରିବା ଏକାନ୍ତ ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.