ବେଙ୍ଗଲ ଓ ଆସାମ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ, ଭୋଟକୁ ପ୍ରଭାବିତ କରିବ କି ଚାଷୀଙ୍କ ଆନ୍ଦୋଳନ?

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮।୨: ବିବାଦୀୟ କୃଷି ଆଇନକୁ ନେଇ ଚାଷୀ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ କାଳ ହେଲା ରାଜଧାନୀ ଦିଲ୍ଲୀ ସୀମାକୁ ଘେରାଉ କରିଛନ୍ତି।  ଆଇନ ପ୍ରତ୍ୟାହାର ଜିଦରେ ଚାଷୀ ଅଡି ରହିଥିବା ବେଳେ ସେମାନଙ୍କୁ ବୁଝାଇବାରେ ସରକାର ବିଫଳ ହୋଇଛନ୍ତି। ଏଥିରେ ନିର୍ବାଚନ ଆୟୋଗ ବେଙ୍ଗଲ ଓ ଆସାମ ସମେତ ୫ଟି ରାଜ୍ୟରେ ବିଧାନସାଭା ନିର୍ବାଚନ ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନକୁ ଚାଷୀଙ୍କ ଆନ୍ଦୋଳନ ପ୍ରଭାବିତ କରିବ କି? ଏହା ଏବେ ଲକ୍ଷେଟଙ୍କାର ପ୍ରଶ୍ନ ପାଲଟିଛି।

ତେବେ ଦେଶର କୃଷି କେବେବି ରାଜନୈତିକ ପ୍ରସଙ୍ଗ ନଥିଲା କି ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କୃଷିକୁ ପ୍ରସଙ୍ଗ କରି କେବେ ନିର୍ବାଚନ ଲଢି ନାହାନ୍ତି କି କୃଷି ଓ କୃଷକ ନିର୍ବାଚନ ହାରଜିତର କେବେ କାରଣ ହୋଇନାହାନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ଆସୋସିଏଟ ପ୍ରଫେସର ଏବେ ଯେଉଁସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ କୃଷି ପ୍ରସଙ୍ଗ ପ୍ରଭାବ ପକାଇ ପାରିବନି ବୋଲି କହିଛନ୍ତି। ଦେଶରେ ଚାଷୀ ଏପର୍ଯ୍ୟନ୍ତ ନିର୍ବାଚନୀ ବର୍ଗ ହୋଇପାରିନାହାନ୍ତି। ଏମାନେ ଏପର୍ଯ୍ୟନ୍ତ ଆଞ୍ଚଳିକ ଓ ଜାତୀବାଦରେ ବିଭାଜିତ ହୋଇ ଅଛନ୍ତି। ଏଣୁ ବିଧାନସଭା ନିର୍ବାଚନରେ କୃଷକ ଓ କୃଷି ଆଇନ ପ୍ରସଙ୍ଗ ହୋଇ ନପାରେ ବୋଲି କହିଛନ୍ତି ପ୍ରଫେସର।

ଦେଶରେ ରାଜନୈତିକ ଦଳମାନେ ମଧ୍ୟ କେବେ କୃଷିକୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇ ନାହାନ୍ତି। ଏଣୁ ଏଥର ମଧ୍ୟ ସେମାନେ ଆଞ୍ଚଳିକ ଓ ଜାତିରେ ବାଣ୍ଟି ହୋଇ ଭୋଟ ଦେବେ ବୋଲି ସମୀକ୍ଷକ କହୁଛନ୍ତି। ସେହିପରି ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ସେଠାରେ ଏମଏସପିକୁ ନେଇ ସମସ୍ୟା ନାହିଁ। ଏହା ଛଡା ଏହି ସବୁ ରାଜ୍ୟ କୃଷି ନିର୍ଭର ନଥିବା ବେଳେ ବଡ଼ ଚାଷୀ ମଧ୍ୟ ନାହାନ୍ତି।

ଅନ୍ୟପକ୍ଷରେ ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳରେ ପ୍ରାଦେଶିକ ପ୍ରସଙ୍ଗ ରହିଛି। ଏଥିରେ ପଶ୍ଚିମବଙ୍ଗ କଥାକୁ ବିଚାରକୁ ନିଆଗଲେ ତୃଣମୂଳ କଂଗ୍ରେସ ସଂସଦରେ ଓ ସଂସଦ ବାହାରେ କୃଷି ଆଇନକୁ ବାରମ୍ବାର ଘେରିବାକୁ ଚେଷ୍ଟା କରିଛି। ସେମିତି ଦେଖିଲେ ବିଜେପି ତୃଣମୂଳକୁ ଓଲଟା କାଠଗଡାରେ ଛିଡା କରିଛି। କାରଣ ତୃଣମୂଳ ନୀତି ଯୋଗୁ ବେଙ୍ଗଲର ଚାଷୀ କେନ୍ଦ୍ର ସରକାରଙ୍କ କୃଷକ ସମ୍ମାନ ନିଧିର ଫାଇଦା ନେଇ ପାରୁନଥିବା ବିଜେପି ବାରମ୍ବାର ଅଭିଯୋଗ କରୁଛି। ବିକେୟୁ ନେତା ରାକେଶ ଟିକାୟକ ପଶ୍ଚିମବଙ୍ଗରେ କିଷାନ ମହାପଞ୍ଚାୟତ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ତାଙ୍କ ପଞ୍ଚାୟତର ସଫଳତା ଓ ନିର୍ବାଚନ ଉପରେ ଏହାର ପ୍ରଭାବନେଇ ସ୍ଥିତି ଏବେବି ସ୍ପଷ୍ଟ ନୁହେଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.