୨୦୧୦ରେ ସୁନା ପ୍ରତି ୧୦ ଗ୍ରାମ ମୂଲ୍ୟ ଥିଲା ୨୬ ହଜାର, ଏବେ ୫୬ ହଜାର, ଜାଣନ୍ତୁ ଆଗାମୀ ୩ ବର୍ଷରେ କେତେ ହେବ ଦର
10/01/2021 at 5:48 PM

ନୂଆଦିଲ୍ଲୀ ୧୦।୧: ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଅର୍ଥାତ ସନ ୨୦୦୦ ମସିହାରେ ଦେଶରେ ପ୍ରତି ତୋଳା ସୁନାମୂଲ୍ୟ ଥିଲା ୪ ହଜାରରୁ ୪ ହଜାର ୪୦୦ ଟଙ୍କା। ୨୦୧୦ ମସିହା ବେଳକୁ ଏହି ଦର ୧୮ ହଜାର ୫ଶହ ପାର କରିଥିବା ବେଳେ ୨୦୨୦ରେ ପ୍ରତି ୧୦ ଗ୍ରାମ ଦର ୫୦ ହଜାରରେ କିଣାବିକା ହେଉଛି।
୨୦୨୦ ବର୍ଷ କରୋନାରେ କଟିଛି। ଲକଡାଉନ ଯୋଗୁ ଦୋକାନ ବଜାର ବନ୍ଦ ଥିବା ବେଳେ ଲୋକେ ସୁନାରେ ଅର୍ଥ ନିବେଶ କରିଛନ୍ତି। ବିଶ୍ୱରେ ସୁନା ମହଜୁଦ ରଖିଥିବା ଦେଶଙ୍କ ସୂଚୀରେ ଆମେରିକା ସର୍ବାଗ୍ରେ ରହିଛି। ପଛକୁ ରହିଛି ଜର୍ମାନ। ତେବେ ଜର୍ମାନ ସ୍ୱର୍ଣ୍ଣ ଭଣ୍ଡାର ଆମେରିକାର ଅଧା ବି ନୁହେଁ। ବିଶ୍ୱର ସର୍ବ ବୃହତ୍ତ ସ୍ୱର୍ଣ୍ଣ ଆଭୂଷଣ ବଜାର ଭାବେ ଚିକାଗୋ ମାର୍କେଣ୍ଟାଇଲ ଏକ୍ସଚେଞ୍ଜ (ସିଓଏମଇଏକ୍ସ) ମଧ୍ୟ ଆମେରିକାରେ ଅବସ୍ଥିତ। ଏଣୁ ବିଶ୍ୱ ବଜାରରେ ସ୍ୱର୍ଣ୍ଣ ଦର ଆମେରିକା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।
ଆମେରିକା ଅର୍ଥନୀତି ଅଥବା ରାଜନୀତି ଯଦି ସାମାନ୍ୟ ଅସ୍ଥିର ହୁଏ ତେବେ ବିଶ୍ୱ ସ୍ୱର୍ଣ୍ଣ ଆଭୂଷଣ ବଜାରରେ ଦର ପ୍ରଭାବିତ ହୁଏ। ଗତ ୨୦୨୦ ମସିହାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶରେ ରାଜନୈତିକ ଅସ୍ଥିରତାର କାରଣ ହୋଇଥିଲା। ଏଣୁ ସ୍ୱର୍ଣ୍ଣ ଦର ବଢିବାରେ ଲାଗିଥିଲା। ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିଛି। ସେହିପରି କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଅନେକ ଦେଶରେ ଟିକାକରଣ ମଧ୍ୟ ଆରମ୍ଭ ହେଲାଣି। ଏଣୁ ସୁନା ଦର ସ୍ଥିର ରହିବ ବୋଲି ଆଶା କରାଯାଉଛି।

ତେବେ ସ୍ୱର୍ଣ୍ଣ ଆଭୂଷଣକୁ ନେଇ ଭାରତର ଚାହିଦା ଭିନ୍ନ। ଏଠାରେ ଉତ୍ସବ ପର୍ବ ପର୍ବାଣୀରେ ଲୋକେ ସୁନା କିଣନ୍ତି। ବିବାହ, ବ୍ରତ ଲାଗି ମଧ୍ୟ ସୁନା କିଣାବିକା ହୁଏ। ଏଥିରେ ଆଗାମୀ ୨-୩ ବର୍ଷରେ ଦେଶରେ ପ୍ରତି ୧୦ ଗ୍ରାମ ସୁନାମୂଲ୍ୟ ଅନୁନ୍ୟ ୬୦ ହଜାରକୁ ପାର କରିପାରେ ବୋଲି ବଜାର ବିଷାରଦମାନେ ଆକଳନ କରୁଛନ୍ତି।
୨୦୨୧ ବର୍ଷରେ ଦେଶରେ ସୁନାମୂଲ୍ୟ ହ୍ରାସର କୌଣସି ଲକ୍ଷଣ ଦେଖାଯାଉନି। ଏଣୁ ମୂଲ୍ୟ ବଢିବ ବୋଲି ବ୍ୟବସାୟୀ କହୁଛନ୍ତି। ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସେସର ଉପାଧ୍ୟକ୍ଷ ନବନୀତ ଧମନୀଙ୍କ ଅନୁସାରେ ସରକାରଙ୍କ ଆର୍ଥିକ ହାନୀ ବଢିଚାଲିଛି। ଦେଶର ଅର୍ଥବ୍ୟବସ୍ଥା ସୁଧୁରିବାକୁ ଅନେକ ସମୟ ଲାଗିବ। ଯେ ପର୍ଯ୍ୟନ୍ତ ପରିସ୍ଥିତିରେ ପରିବର୍ତ୍ତନ ନ ଆସିଛି ସୁନା ସବୁଠୁ ଅଧିକ ରିଟର୍ଣ୍ଣ ଦେବ ବୋଲି ସେ କହିଛନ୍ତି। ଏଣୁ ଆଗାମୀ ୨ ବର୍ଷରେ ୧୦ ଗ୍ରାମ ସୁନା ମୂଲ୍ୟ ଅନୁନ୍ୟ ୬୮ ହଜାରରେ କିଣାବିକା ହେଉଥିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ସୁନା ମୂଲ୍ୟରେ ୨ରୁ ୩ ହଜାର ଟଙ୍କା ହ୍ରାସ ଅବସ୍ୟ ହୋଇଛି। ହେଲେ ଆଗକୁ ଅଧିକ ଦରବୃଦ୍ଧି ହେବ ବୋଲି ବ୍ୟବସାୟୀ ପୂର୍ବାନୁମାନ କରୁଛନ୍ତି। ତେବେ ଦେଶର ଶୀର୍ଷ ଷ୍ଟକ ବ୍ରୋକରମାନେ ୨୦୨୩ ପର୍ଯ୍ୟନ୍ତ ଭାରତରେ ପ୍ରତି ୧୦ ଗ୍ରାମ ସୁନାମୂଲ୍ୟ ୫୫ ହଜାର ଟଙ୍କା ପାଖାପାଖି କାରବାର ହେଉଥିବା ବୋଲି ପୂର୍ବାନୁମାନ କରୁଛନ୍ତି।