ଏମାର ମଠ : ଶ୍ରୀମନ୍ଦିର ପରେ ପୁରୀର ଦ୍ବିତୀୟ ଧନୀକ ଧାର୍ମିକ ଅନୁଷ୍ଠାନ, ଜାଣନ୍ତୁ କେତେ ରହିଛି ଭୂ-ସମ୍ପତ୍ତି

Published By : Prameya-News7 Bureau | August 30, 2019 IST

ପୁରୀ ୩୦|୮: ଏମାର ମଠ , ଶ୍ରୀମନ୍ଦିର ପରେ ପୁରୀର ଦ୍ବିତୀୟ ଧନୀକ ଧାର୍ମିକ ଅନୁଷ୍ଠାନ । ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ମହଣ ମହଣ ସୁନା ରୁପା ଅଳଙ୍କାର ରହିଥିଲା । ତେବେ କେବଳ ସୁନାରୁପା ମୋତି ମାଣିକ୍ୟ ନୁହେଁ । ଏହି ପ୍ରସିଦ୍ଧ ମଠର ଭୂସମ୍ପତି ମଧ୍ୟ ଅମାପ । ଯାହାର ତାଲିକା ରାଜ୍ୟରୁ ସାରା ଦେଶକୁ ବ୍ୟାପିଛି…

ନଅଙ୍କଦୁର୍ଭିକ୍ଷରୁ ଏକ ବିଂଶ ଶତାବ୍ଦି ପର୍ଯ୍ୟନ୍ତ ଲମ୍ବିଛି ଏମାର ମଠର ଗୌରବମୟ ଇତିହାସ । ଅତୀତର ପୃଷ୍ଠାରେ ଅନେକ କିଛି ଲିପିବଦ୍ଧ ଥିଲା କିନ୍ତୁ ୨୦୧୧ରେ ସାମ୍ନାକୁ ଆସିଥିଲା ଏମିତି କିଛି ପ୍ରମାଣ, ଯେଉଁଥିରୁ ପ୍ରମାଣିତ ହୋଇଥିଲା ଏମାର ମଠ କେତେ ଧନୀ । ଯେତେବେଳେ ମଠରୁ ଖଣ୍ଡଖଣ୍ଡ ରୁପା ଇଟା ବାହାରିଥିଲା । ସିଂହଦ୍ବାରା ସମ୍ମୁଖ କାଳିକା ଦେବୀ ସାହି ମୌଜାରେ ପ୍ରାୟ ୪ ଏକର ଜମି ଉପରେ ଅବସ୍ଥିତ ଏମାର ମଠ ।

ଦିମହଲା ବିଶିଷ୍ଟ ମଠରେ ରହିଥିଲା ସମସ୍ତ ବ୍ୟବସ୍ଥା । ମନ୍ଦିର, ରୋଷଶାଳା ଠାରୁ ଆରମ୍ଭ କରି ଶସ୍ୟ ଗଚ୍ଛିତ ରଖିବା ପାଇଁ ରହିଥିଲା ସ୍ବତନ୍ତ୍ର କୋଠି । ଦ୍ବାଦଶ ଶତାବ୍ଦୀରେ ପ୍ରତିଷ୍ଠା ହୋଇଥିଲା ଏହି ମଠ। ଯାହାକୁ ପ୍ରତିଷ୍ଠା କରିଥିଲେ ଶ୍ରୀରାମାନୁଜ।

ମଠର କଳେବର ବଢ଼ିବା ସହ ବଢ଼ିଥିଲା ମଠର ଅମାର ଘର । ଏମିତି କି ୧୯୩୫ ମସିହାରେ ଏହି ମଠର ଆୟ ଥିଲା ଅଢ଼େଇ ଲକ୍ଷ ଟଙ୍କା । ତେବେ କେବଳ ସୁନାରୁପା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିଲା ଏମାର ମଠର ମୋଟ ଏଗାର ହଜାର ଏକର ଭୂସମ୍ପତ୍ତି । ଯାହାକୁ ମଠ ମାର୍ଫତରେ ଦାନ କରିଥିଲେ ଖୋର୍ଦ୍ଧା ରାଜା ଓ ମରହଟ୍ଟା ଶାସକ ।

ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ପର୍ବପର୍ବାଣୀ ପାଇଁ ଧାନଚାଉଳ ମଠ ଯୋଗାଇ ଦେଉଥିଲା । ଏହା ବ୍ୟତୀତ ମଠର ଏକ ବୃହତ ଅଟ୍ଟାଳିକା କୋଲକାତାରେ ରହିଛି । କାଳକ୍ରମେ ଭୂସମ୍ପତି ସବୁ ଦଖଲକାରୀଙ୍କ କବଜାକୁ ଯାଇଥିବା ବେଳେ ସୁନାଗହଣା ଲୁଣ୍ଠିତ ହୋଇଛି । କିନ୍ତୁ ଆଜି ବି ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ବଖାଣୁଛିଏମାର ମଠର ମହାତ୍ମ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.