ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ, ଏବେ ଦେଶର ଗର୍ବ, ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ବିଜୟିନୀ ମୀରାବାଈ ଚାନୁଙ୍କ ସଂଘର୍ଷ କାହାଣୀ…

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୭: ଜାପାନ ମାଟିରେ ଜୟ ହୋ । ଟୋକିଓରେ ରୂପେଲୀ ଦିନ । ୨୧ ବର୍ଷର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ଟାଣି ଟୋକିଓ ମାଟିରେ ରୂପେଲୀ ଚଢ଼େଇ ବନିଛନ୍ତି ଇଣ୍ଡିଆର ଷ୍ଟାର ୱେଟ୍‌ଲିଫ୍ଟର ସାଇଖୋମ୍‌ ମୀରାବାଈ ଚାନୁ । ୪୯ କେଜି ୱେଟ୍‌ଲିଫ୍ଟିଙ୍ଗ କ୍ୟାଟେଗୋରୀରେ ରୌପ୍ୟ ପଦକ ହାସଲ କରିଛନ୍ତି ଚାନୁ । ଏଥିସହ ଅଲିମ୍ପିକ୍ସରେ ଭାରତ ଖାତା ଖୋଲିଛି ।

ଅଗଷ୍ଟ ୭,୨୦୧୬ ରିଓ ଅଲିମିକ୍ସ ଏବଂ ଜୁଲାଇ ୨୪, ଟୋକିଓ ଅଲିମ୍ପିକ୍ସ ।  ଉଭୟ ମଧ୍ୟରେ ୧୮୧୨ ଦିନ ଅର୍ଥାତ୍ ୪ ବର୍ଷ ୩୫୨ ଦିନର ବ୍ୟବଧାନ । ଚରିତ୍ର ସମାନ ଥିଲେ ବି ଦୁଇଟି ସ୍ୱପ୍ନ ମଧ୍ୟରେ ଆକାଶ-ପାତାଳ ଫରକ ।  ବିଫଳତା ସଫଳତାରେ, ଲୁହ ହସରେ ଆଉ ଭାଙ୍ଗି ଯାଇଥିବା ସ୍ବପ୍ନ ଏବେ ସତରେ ପରିଣତ ହୋଇଛି । ରିଓ ଅଲିମ୍ପିକ୍ସରେ ଆହତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବା ପରେ ଏବେ ଟୋକିଓରେ ଚମକ ଭରିଛନ୍ତି ଭାରତର ଷ୍ଟାର ୱେଟ୍‌ ଲିଫ୍ଟର ସାଇଖୋମ୍‌ ମୀରାବାଈ ଚାନୁ । ୪୯ କେଜି ୱେଟ୍‌ଲିଫ୍ଟିଙ୍ଗ ବର୍ଗରେ ସିଲଭର୍‌ ମେଡାଲ ଜିତି ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ କରିଛନ୍ତି ଚାନୁ । କ୍ଲିନ୍‌ ଆଣ୍ଡ ଜର୍କରେ ୧୧୫ କେଜି ଓଜନ ଉଠାଇ ମୀରାବାଈ ଚାନୁ ମଧ୍ୟ ଅଲିମ୍ପିକ୍ସରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

ଭାରତ୍ତୋଳକ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ତାଙ୍କ ପୂର୍ବରୁ ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ବରୀ ପ୍ରଥମ ମହିଳା ଭାବେ ଭାରୋତ୍ତୋଳନରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ହେଲେ ଅଲିମ୍ପିକ୍ସ ପୋଡ଼ିୟମରେ ପହଞ୍ଚିବା ପାଇଁ ତାଙ୍କୁ ଢେର ସଂଘର୍ଷ କରିବାକୁ ପଡ଼ିଛି । ଅଗଷ୍ଟ ୮, ୧୯୯୪ରେ ଚାନୁଙ୍କ ଜନ୍ମ ମଣିପୁର ନୋଙ୍ଗପେକ୍‌ର କାକଚିଙ୍ଗ ଗାଁରେ ହୋଇଥିଲା । ପିଲାଦିନୁ ସଂଘର୍ଷ ମଧ୍ୟରେ ପାହାଡ଼ରୁ ରୋଷେଇ ପାଇଁ ଜାଳେଣି ଭାର ଆଣୁଥିବା ଚାନୁ ଜଣେ ତୀରନ୍ଦାଜ ହେବାର ଇଚ୍ଛା ରଖିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀ ବହିରେ ଇଣ୍ଡିଆର ସବୁଠାରୁ ଡେକୋରେଟେଡ୍‌ ୱେଟ୍‌ଲିଫ୍ଟର କୁଞ୍ଜାରାନୀ ଦେବୀଙ୍କ କାହାଣୀ ପଢ଼ିବା ପରେ ତାଙ୍କ ଲକ୍ଷ୍ୟ ବଦଳି ଯାଇଥିଲା । ରାଜଧାନୀ ଇମ୍ଫାଲରୁ ଆରମ୍ଭ ହୋଇଥିଲା ୱେଟ୍‌ ଲିଫଟିଙ୍ଗ ଟ୍ରେନିଂ ।

୨୦୧୪ ଗ୍ଲାସଗୋ କମନୱେଲ୍‌ଥ ଗେମ୍ସରେ ସିଲଭର୍‌ ମେଡାଲ ଜିତିବା ସହ ଲଗାତାର ଭଲ ପ୍ରଦର୍ଶନ ତାଙ୍କୁ ରିଓ ଅଲିମ୍ପିକ୍ସ ଟିକେଟ୍‌ ଦେଇଥିଲା । ମାତ୍ର ଆହତ  ସମସ୍ୟା ଯୋଗୁ ରିଓରେ କ୍ଲିନ୍‌ ଆଣ୍ଡ ଜର୍କ ରାଉଣ୍ଡରେ ତିନିଟି ଯାକ ଆଟେମ୍ପରେ ଫେଲ୍‌ ମାରିଥିଲେ ଚାନୁ । ପରେ ଜବରଦସ୍ତ କମ୍‌ବ୍ୟାକ୍‌ କରିବା ସହ ୨୦୧୭ରେ ୱାର୍ଲଡ୍‌ ୱେଟଲିଫଟିଙ୍ଗ ଚାମ୍ପିଅନ, ୨୦୧୮ରେ କମନୱେଲଥ୍‌ ଗୋଲ୍ଡ ମେଡାଲ ଓ ଏସିଆନ୍‌ ଚାମ୍ପିଅନସିପ୍‌ରେ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୯ କିଲୋଗ୍ରାମ ଉଠାଇ ବିଶ୍ବ ରେକର୍ଡ କାୟମ କରିଛନ୍ତି ଚାନୁ । ଆଉ ଆଜି ଅଲିମ୍ପିକ୍ସରେ ଚାନୁଙ୍କୁ ପରଫର୍ମ କରୁଥିବାର ଦେଖି ପରିବାର ଲୋକ ବି ବେଶ ଆନନ୍ଦିତ । ବିଶେଷ କରି ମେଡାଲ୍‌ କନଫର୍ମ ହେବା ପରେ ପରିବାରରେ ତାଙ୍କର ଖୁସିର ଲହରୀ ।

ଚାନୁଙ୍କ ପ୍ରଦର୍ଶନରେ ପୂରା ଦେଶ ଗର୍ବିତ । ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସଫଳତା ଆଗାମୀ ପୀଢ଼ିକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି । କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଚାନୁଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଛନ୍ତି । ଏଥିସହ ଟୋକିଓ ଅଲିମ୍ପିକ୍ସରେ ପଦକ ଅଭିଯାନ ଆରମ୍ଭ କରିଛି ଭାରତ । ଆଗକୁ ଜାପାନରେ ଆହୁରି ମଧ୍ୟ ଜୟ ହୋର ନାରା ଶୁଭିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.