ରାଜନୀତିରେ କେମିତି ଜିରୋରୁ ହିରୋ ହେଲେ ନବୀନ, ପଢନ୍ତୁ ପୁରା କାହାଣୀ

Published By : Prameya-News7 Bureau | March 31, 2019 IST

ଭୁବନେଶ୍ୱର ୩୧/୩ : ରାଜନୀତି କେତେବେଳେ କେଉଁଠୁ କୁଆଡେ ଯାଇ ପହଞ୍ଚିଯାଏ ତାହା କେହି ମଧ୍ୟ କହିପାରିବେ ନାହିଁ | ରାଜନୀତିରେ ଜଣେ ହିରୋରୁ ଜିରୋ ହୋଇପାରେ ଏବଂ ଜଣେ ଜିରୋରୁ ହିରୋ ମଧ୍ୟ ହୋଇପାରେ | ଏମିତି ଏକ କାହାଣୀ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ରହିଛି |

{"id":98925,"width":579,"height":353}

୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା | ସେତେବେଳେ ରାଜନୀତି ସହ ନବୀନଙ୍କ କୌଣସି ସମ୍ପର୍କ ନଥିଲା | ନବୀନ ଅଧିକାଂଶ ସମୟରେ ବିଦେଶରେ ରହୁଥିଲେ | ଓଡ଼ିଆ ଭାଷା ଏବଂ ସଂସ୍କୃତି ସହ ତାଙ୍କର ବିଶେଷ ସମ୍ପର୍କ ନଥିଲା | ସେ ଓଡ଼ିଆ ଭାଷା ମଧ୍ୟ ଜାଣିନଥିଲେ | ବିଜୁ ବାବୁଙ୍କ ଦେହାନ୍ତ ପରେ ଦଳ କିଏ ସମ୍ଭାଳିବା ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା |

{"id":98940,"width":574,"height":388}

ସେତେବେଳେ ବିଜୁ ବାବୁଙ୍କ ଦାୟାଦ ହିସାବରେ ବଡ ପୁଅ ପ୍ରେମ ପଟ୍ଟନାୟକ ଏବଂ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏପରିକି ଝିଅ ଗୀତା ମେହେଟ୍ଟାଙ୍କ କଥା ମଧ୍ୟ ଉଠିଥିଲା । କିନ୍ତୁ ପ୍ରେମ ପଟ୍ଟନାୟକ ଏବଂ ଗୀତା ମେହେଟ୍ଟା ଅରାଜି ହେବା ସହ ନବୀନଙ୍କୁ ଦାୟିତ୍ବ ନେବା ପାଇଁ ପରାମର୍ଶ ଦେଇଥିଲେ । ଅନିଚ୍ଛା ସତ୍ବେ ନବୀନ ଦାୟିତ୍ବ ନେଇନେଇଥିଲେ । ନୂଆ ଦଳ ଗଠନ ହୋଇଥିଲା । ତାର ନାଁ ରଖାଯାଇଥିଲା ବିଜୁ ଜନତା ଦଳ ।

{"id":98926}

ସୂଚନାଯୋଗ୍ୟ ଯେ, ବିଜୁ ବାବୁ ୨ଥର ଓଡିଶାର ମୁଖ୍ୟମନ୍ତ୍ରୀ ହେବାସହ ଅନେକଥର ସାଂସଦ ମଧ୍ୟ ଥିଲେ | ୧୯୬୧ ମସିହାରେ ସେ ପ୍ରଥମଥର ପାଇଁ ୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ | ୧୯୯୦ ମସିହାରେ ୨ୟ ଥର ପାଇଁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ | କମ ସମୟ କ୍ଷମତାରେ ରହିଥିଲେ ମଧ୍ୟ ବିଜୁ ବାବୁ ଓଡିଶାର ପ୍ରିୟ ନେତା ଥିଲେ । ତାଙ୍କୁ ଜଣେ ସ୍ବାଭିମାନୀ ଓ ଦୃଢ ନେତା ବାବେ ବିବେଚନା କରାଯାଉଥିଲା ।

{"id":98941,"width":571,"height":429}

ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ବେଶ କାଟ୍‌ତୀ ଥିଲା । ତାଙ୍କୁ କିଙ୍ଗ ମେକର ମଧ୍ୟ କୁହାଯାଉଥିଲା । ବାଜପେୟୀ ଏବଂ ଆଡଭାନୀଙ୍କ ଭଳି ବିଜେପିର ତୁଙ୍ଗ ନେତାମାନେ ତାଙ୍କୁ ବେଶ ଭଲ ପାଉଥିଲେ । ସେଥିପାଇଁ ତାଙ୍କ ଦେହାନ୍ତ ପରେ ଏହି ସବୁ ନେତା ଭୁବନେଶ୍ବରରେ ପହଂଚିଥିଲେ । ଏହା ହିଁ ଥିଲା ନୂଆ ଦଳ ଗଠନ ଓ ଓଡିଶାରେ ମେଣ୍ଟ ସରକାରର ମୂଳଦୂଆ .।

{"id":98927}


ମୃତ୍ୟୁ ପୂର୍ବରୁ ବିଜୁ ବାବୁ ଆସ୍କା ଲୋକସଭା ଆସନରୁ ସାଂସଦ ଥିଲେ | ତାଙ୍କ ମୃତ୍ୟୁ ପରେ ନବୀନ ୧୯୯୭ ମସିହାରେ ଆସ୍କା ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ | ନବୀନ ଲଗାତାର ୩ ଥର ଆସ୍କା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ | ୧୯୯୭ ମସିହା ଡିସେମ୍ବର ୨୬ ତାରିଖର ବିଜୁ ଜନତା ଦଳ ଗଠନ ହୋଇଥିଲା | ଦଳ ଗଠନ ପଛରେ ବିଜୟ ମହାପାତ୍ରଙ୍କ ଭଲି ତୁଙ୍ଗ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ବୋଲି କୁହାଯାଏ | ବିଜୟ ମହାପାତ୍ର ବିଜୁ ବାବୁଙ୍କ ଅତି ନିକଟତର ଥିଲେ | ସେ ପାଟକୁରା ବିଧାନସଭା ଆସନରୁ ୨୦ ବର୍ଷ ପର୍ଯ୍ୟନ୍ତ ବିଧାୟକ ଥିଲେ |

{"id":98935}

ବିଜୁ ବାବୁଙ୍କ ମୃତ୍ୟୁ ପରେ ତିଆରି ହୋଇଥିବା ବିଜୁ ଜନତା ଦଳକୁ ନିଜ ଅକ୍ତିଆରରେ ରଖିବା ପାଇଁ କରିଥିଲେ |ଏକଦା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଅଭ୍ୟୁଦୋୟ ହୋଇଥିଲା । ସେ ନବୀନଙ୍କ ପରାମର୍ଶଦାତା ହୋଇଯାଇଥିଲେ । ପକାଜନୀତିର ଦାଓ ପେଞ୍ଚ ଭିତରେ ପ୍ୟାରୀଙ୍କ ପରାମର୍ଶ କ୍ରମେ ବିଜୟ ମହାପାତ୍ରଙ୍କୁ ଦଳରୁ ଦୀରେଇ ରଖିବାର ନକ୍ସା ପ୍ରସ୍ତୁତ ହୋଇଥାଲା ।

{"id":98928,"width":564,"height":404}


୨୦୦୦ ମସିହାରେ ଓଡିଶାରେ ବିଧାନସଭା ନିର୍ବାଚନବେଳେ ନବୀନ ଏବଂ ବିଜୟ ମହାପାତ୍ରଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଯାଇଥିଲା | ନବୀନ ଓଡିଶା ରାଜନୀତି ସମ୍ପର୍କରେ ବିଶେଷ କିଛି ଜାଣିନଥିଲେ | ଅପରପକ୍ଷରେ ବିଜୟ ମହାପାତ୍ର ଓଡିଶା ରାଜନୀତି ସମ୍ପର୍କରେ ସବୁ ଜାଣିଥିଲେ | ସେତେବେଳେ ସେ ପଲିଟିକାଲ ଆଫେୟାର କମିଟିର ଚେୟାରମ୍ୟାନ ଥିଲେ |

{"id":98942,"width":573,"height":378}

ସମସ୍ତେ ଜାଣିଥିଲେ ଯେ, ଯଦି ବିଜୁ ଜନତା ଦଳକୁ ଜନାଦେଶ ମିଳେ ତାହେଲେ ମୁଖ୍ୟମନ୍ତ୍ରୀ ବିଜୟ ମହାପାତ୍ର ହେବେ | ସେତେବେଳେ ଓଡିଶାରେ କଂଗ୍ରେସ ଶାସନ ଚାଲିଥିଲା | କିନ୍ତୁ ଓଡ଼ିଶାବାସୀ କଂଗ୍ରେସ ଶାସନରେ ସନ୍ତୁଷ୍ଟ ନଥିଲେ | ୧୯୯୫ ମସିହାରେ ଓଡିଶାରେ କଂଗ୍ରେସ ସରକାର ଗଠନ କରିଥିଲେ | ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ କଂଗ୍ରେସ ୩ଥର ମୁଖ୍ୟମନ୍ତ୍ରୀ ବଦଳାଇଥିଲା |

{"id":98929}


ବିଜୟ ମହାପାତ୍ର ପାଟକୁରା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ | ସେ ଭୁବନେଶ୍ୱରର ଏକ ହୋଟେଲରେ ବୈଠକ ଡାକିଥିଲେ | ବୈଠକରେ ପଲିଟିକାଲ ଆଫେୟାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ | କିନ୍ତୁ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇନଥିଲେ |

{"id":98944}

ସେତେବେଳେ ନବୀନ ଦଳର ଅଧ୍ୟକ୍ଷ ଥିଲେ | ବିଜୟ ମହାପାତ୍ର ନେତାମାନଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଥିଲେ | ସେଥିପାଇଁ ନିଜ ନିକଟତର ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ | ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ନବୀନ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ | ହିଞ୍ଜିଳି ଆସ୍କା ଲୋକସଭା ଅନ୍ତର୍ଗତ |

{"id":98934,"width":575,"height":412}

ନାମାଙ୍କନର କିଛି ଘଣ୍ଟା ପୂର୍ବରୁ ବିଜୟ ମହାପାତ୍ରଙ୍କ ପାଖକୁ ଏକ ଫୋନ ଆସିଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ, ନବୀନ ପଟ୍ଟନାୟକ ପାଟକୁରା ବିଧାନସଭା ଆସନ ପ୍ରାର୍ଥୀ ପାଇଁ ବିଜୟ ମହାପାତ୍ରଙ୍କ ନାମାଙ୍କନକୁ ରଦ୍ଦ କରିଦେଇଛନ୍ତି | ବିଜୟଙ୍କ ବଦଳରେ ଅତନୁ ସବ୍ୟସାଚୀଙ୍କୁ ପାଟକୁରା ଆସନ ଦିଆଯାଇଛି | ବିଜୟ ମହାପାତ୍ରଙ୍କ ମୁଣ୍ଡ ଉପରେ ଯେମିତି ଚଡକ ପଡିଗଲା |

{"id":98936,"width":576,"height":415}

ନିର୍ଦଳୀୟ ଭାବେ ନାମାଙ୍କନ ଦାଖଲ କରିବା ପାଇଁ ମଧ୍ୟ ବିଜୟଙ୍କ ପାଖରେ ସମୟ ନଥିଲା | କାରଣ ଭୁବନେଶ୍ୱରରୁ ପାଟକୁରା ପାଖାପାଖି ୯୨ କି:ମି: ଦୂର ଏବଂ ସେଠାରେ ପହଂଚିବା ପାଇଁ ପ୍ରାୟ ଅଢେଇ ଘଣ୍ଟା ସମୟ ଲାଗିଥାଏ | କିନ୍ତୁ ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ଘଣ୍ଟାଟିଏ ବଂଚିଥିଲା | ନିରାଶ ହୋଇଗଲେ ବିଜୟ | ତାଙ୍କ ପାଖରେ ଆଉ କିଛି ରାସ୍ତା ନଥିଲା | ନବୀନ ନିଜ ପ୍ଲାନରେ ସଫଳ ହୋଇଗଲେ |

{"id":98930}


ଏହାପରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ନାମରେ ନିଜର ଏକ ଦଳ ଗଠନ କଲେ | କିନ୍ତୁ ପାଟକୁରାରୁ ନିର୍ବାଚନ ଜିତି ପାରିଲେନାହିଁ | ୨୦୦୯ ମସିହାରେ ବିଜୟ ବିଜେପିରେ ସାମିଲ ହେଲେ | ଅନ୍ୟ ପକ୍ଷରେ ନଳିନୀ ମହାନ୍ତି, ରାମ କୃଷ୍ଣ ପଟ୍ଟନାୟକଙ୍କ ଭଳି ବହୁ ଟାଣୁଆ ନେତାଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନବୀନ ପକ୍ଷଛେଦନ କରି ବେଳୁ ବେଳ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିଥିଲେ ।

{"id":98946,"width":571,"height":380}

ବିଜୟଙ୍କଠୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦାମୋଦର ରାଉତଙ୍କ ପର୍ଯ୍ୟନ୍ତ ନବୀନ ବହୁ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବା ଦଳ ଛାଡିବା ପାଇଁ ବାଧ୍ୟ କରିଦେଇଛନ୍ତି । ଏହା ତାଙ୍କ ରାଜନୈତିକ ପଟୁତାର ପରିଚୟ ଥିଲା ନାଁ ଅସୁରକ୍ଷିତ ଭାବର ପରିଣାମ ଥିଲା ତାହା ଭିନ୍ନ କଥା, କିନ୍ତୁ ତାଙ୍କୁ ରାଜନୀତିରେ ବେଳୁବେଳ ଶକ୍ତିଶାଳୀ କରିଥିଲା ଏହା ନିଃସନ୍ଦେହ ।

{"id":98931}


୨୦୦୦ ମସିହାରେ ପ୍ରଥମଥର ପାଇଁ ଓଡିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା | ୧୪୭ ଆସନରୁ ବିଜେଡି ୬୮ ଆସନ ଜିତିଥିଲେ ଏବଂ ନବୀନ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ | ୨୦୦୪ ମସିହାରେ ମଧ୍ୟ ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହୋଇଥିଲା | ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ | ଏହି ନିର୍ବାଚନରେ ବିଜେଡିକୁ ୬୧ ଆସନ ମିଳିଥିବାବେଳେ ବିଜେପିକୁ ୩୨ ଆସନ ମିଳିଥିଲା | ଲୋକସଭା ନିର୍ବାଚନ ବେଳେ ୨୧ ଆସନ ମଧ୍ୟରୁ ବିଜେଡି ୧୧ଟି ଆସନରେ କବଜା କରିଥିବାବେଳେ ବିଜେପିକୁ ମାତ୍ର ୭ଟି ଆସନ ମିଳିଥିଲା |

{"id":98932}


୨୦୦୯ ନିର୍ବାଚନ ବେଳେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଲାନାହିଁ | ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ |ମେଣ୍ଟ ଭାଙ୍ଗିବା ପଛରେ କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ଓ ତା ପରବର୍ତ୍ତୀ ହିଂସାକୁ ଦାୟି କରାଯାଉଥିଲେ ମଧ୍ୟ ପ୍ୟାରୀ ମହାପାତ୍ରଙ୍କ ଚାଲ ହିଁ ମୁଖ୍ୟ କାରଣ ଥିଲା । ଏହି ନିର୍ବାଚନରେ ମଧ୍ୟ ବିଜେଡି ଜୋରଦାର ବିଜୟ ହାସଲ କରିଥିଲା | ୧୪୭ ଆସନରୁ ୧୦୩ ଆସନରେ ବିଜୟ ହାସଲ କରିଥିଲା ବିଜେଡି |

{"id":98947,"width":579,"height":323}

ଅପରପକ୍ଷରେ ବିଜେପି କେବଳ ୬ଟି ଆସନରେ ଜିତିଥିଲେ | ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡିକୁ ୧୪ ଆସନ ମିଳିଥିବାବେଳେ ବିଜେପିକୁ ଗୋଟିଏ ହେଲେ ଆସନ ମିଳିନଥିଲା | ଅପରପକ୍ଷରେ କଂଗ୍ରେସ ୬ଟି ଆସନରେ ଜିତିଥିଲେ | ୨୦୧୪ ମସିହାରେ ବିଜେଡି ସର୍ବାଧିକ ୧୧୭ ଆସନରେ ବିଜୟୀ ହୋଇଥିଲା । ସେହିଭଳି ଲୋକସଭାରେ ମଧ୍ୟ ୨୦ଟି ାସନରେ ବିଜୟୀ ହୋଇଥିଲା ।

{"id":98933,"width":569,"height":379}


ଅର୍ଥାତ ପ୍ରତ୍ୟେକଥର ନିର୍ବାଚନରେ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକ ଶକ୍ତିଶାଳୀ ଓ ଦୃଢ ହୋଇଥିଲା | ୧୯୯୭ ମସିହାରେ ନବୀନ ଯେତେବେଳେ ଓଡିଶା ରାଜନୀତିରେ ପାଦ ଦେଇଥିଲେ, ସେତେବେଳେ ଲୋକେ ଭାବିଥିଲେ ଯେ, ନବୀନ ବିଜୁ ବାବୁଙ୍କ ରଣକ୍ଷେତ୍ରକୁ ଆଗକୁ ନେଇପାରିବେ ନାହିଁ | ସେ ରାଜନୀତିରେ ଜଣେ ସଫଳ ନେତା ହୋଇପାରିବେ ନାହିଁ | କିନ୍ତୁ ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଦେଲେ ନବୀନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.