ବଲିଉଡ୍ କୁ ଆସିବା ପୂର୍ବରୁ ଏପରି କଟୁଥିଲା ଜନି ୱାକରଙ୍କ ଜୀବନ, ନିଜ ପସନ୍ଦର ମଦ ନାମରେ ତାଙ୍କର ଏପରି ନାମକରଣ କରିଥିଲେ ଗୁରୁ ଦତ୍ତ
10/11/2019 at 6:40 PM

ଏକ ସମୟ ଥିଲା ଯେତେବେଳେ ଲେଖକଙ୍କୁ କହି ଫିଲ୍ମ ନିର୍ମାତା କାହାଣୀରେ ଜନି ୱାକରଙ୍କ ଲାଗି ସ୍ୱତନ୍ତ୍ର ଭୂମିକା ପ୍ରସ୍ତୁତ କରୁଥିଲେ। ୫୦ରୁ ୭୦ ଦଶକ ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମରେ ଜନି ୱାକରଙ୍କ ନାଁ କାଷ୍ଟିଂ ହୋଇଛି ମାନେ ଫିଲ୍ମ ନିଶ୍ଚିତ ହିଟ୍ ବୋଲି ବୁଝା ଯାଉଥିଲା। ହେଲେ ଏହି ପ୍ରସିଦ୍ଧ ଫିଲ୍ମ ହାସ୍ୟାଭିନେତାଙ୍କ ଜୀବନ ଥିଲା ବେଶ ସଂଘର୍ଷପୂର୍ଣ୍ଣ । ବଦରୁଦ୍ଦିନ ଜମାଲୁଦ୍ଦିନ କାଜି ଓରଫ ଜନି ୱାକର ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଏକ କାରଖାନା କାମ କରୁଥିବା ବେଳେ ତାହା ବନ୍ଦ ହୋଇଯାଇଥିଲା। ଫଳରେ ପରିବାରର ବୋଝ ଜମାଲୁଦ୍ଦିନଙ୍କ କାନ୍ଧରେ ପଡିଥିଲା।

ପରିବାର ଚଳାଇବା ଲାଗି ଜମାଲୁଦ୍ଦିନ ମୁମ୍ବାଇ ଚାଲିଆସିଥିଲେ। ପ୍ରାରମ୍ଭିକ ଦିନମାନଙ୍କରେ ବସ୍ ରେ କଣ୍ଡକ୍ଟରୀ ବି କରୁଥିଲେ ଜମାଲୁଦ୍ଦିନ। ମାସିକ ମିଳୁଥିଲା ୨୬ଟଙ୍କା ଦରମା। ହେଲେ ଫିଲ୍ମ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ। ପ୍ରଥମରୁ କଳାପ୍ରତି ଆକର୍ଶିତ ଥିବା ଜମାଲୁଦ୍ଦିନ ଲୋକଙ୍କର ନକଲ କରିବାରେ ଧୁରନ୍ଧର ଥିଲେ । ଯାହା ପରେ ପର୍ଦ୍ଦାରେ ଲୋକଙ୍କୁ ହସାଇବା କାମରେ ଆସିଥିଲା। ତେବେ ଜମାଲୁଦ୍ଦିନ କାଜୀଙ୍କୁ ଗୁରୁ ଦତ୍ତ ହିଁ ଜନି ୱାକର କରିଥିଲେ। ଗୁରୁ ଦତ୍ତଙ୍କ ଅନେକ ଫିଲ୍ମରେ ଜନି ୱାକର ଅଭିନୟ କରିଥିଲେ। ତେବେ ଜନି ୱାକର ନାମକରଣର ବି ଏକ ଖାସ କାରଣ ରହିଛି।

ଗୁରୁ ଦତ୍ତଙ୍କ ପସନ୍ଦର ମଦ ନାମ ଥିଲା ଜନି ୱାକର। ସେହି ଅନୁସାରେ ଜମାଲୁଦ୍ଦିନଙ୍କର ସେ ନାମକରଣ କରିଥିଲେ, ଯାହା ତାଙ୍କର ପର୍ଦ୍ଦା ନାମ ହୋଇଯାଇଥିଲା। ଜନି ୱାକର ଗୁରୁ ଦତ୍ତଙ୍କ ସହ ‘ଆର ପାର’, ‘ପ୍ୟାସା’, ‘ଚୌଦହବୀ କା ଚାନ୍ଦ’, ‘କାଗଜ କେଫୁଲ’. ଓ ‘ମିଷ୍ଟର ଏଣ୍ଡ ମିସେସ୍ ୫୫’ ଭଳି ଅନେକ ସୁପରଡୁପର ହିଟ୍ ଫିଲ୍ମରେ କାମ କରିଛନ୍ତି। ଅଭିନୟରେ କାହାକୁ କନ୍ଦେଇବାରେ ଅସୁବିଧା ନାହିଁ ହେଲେ ହସୁନଥିବା ଲୋକକୁ ହସାଇବା ଏତେ ସହଜ କଥା ନୁହେଁ। ହେଲେ ଜନି ୱାକରଙ୍କର ଅଭିନୟ ଯିଏ ଦେଖିଛି ସେ ଜାଣିଛି ଅଭିନୟ କ’ଣ। ଜୀବନରେ ସେ ମଦ ପିଇବା ଦୂରର କଥା ହେଲେ ପ୍ରାୟ ଫିଲ୍ମରେ ତାଙ୍କୁ ମଦ୍ୟପ ଭାବେ ଚିତ୍ରିତ କରାଯାଇଥାଏ। ସେ ମଦ ନ ପିଇ ମଧ୍ୟ ଠିକ ଏକ ମଦ୍ୟପ ଭଳି ବେଶ ଅଭିନୟ କରିପାରୁଥିଲେ।