କପର-ଟି ଲଗାଇ ଭୁଲିଯାଇଥିଲେ ମହିଳା, ଜାଣନ୍ତୁ କିପରି ଜୀବନ ବଞ୍ଚାଇଲେ ଡାକ୍ତର
23/09/2019 at 7:03 PM

ପ୍ରୟାଗରାଜ ଏସଆରଏନ୍ ହସ୍ପିଟାଲରେ ଡାକ୍ତରମାନେ ନିକଟରେ ଜନୈକା ମହିଳାଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଏଥିରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି। ହେଲେ ଡାକ୍ତରମାନେ ଷ୍ଟୋନ ଭାବି ଯେଉଁ ଅସ୍ତ୍ରୋପଚାର କରିଥିଲେ ତାହା ବାସ୍ତବରେ ଏକ କପର-ଟି ଥିଲା। ଏହା ଜାଣିବା ପରେ ଡାକ୍ତର ତାଜ୍ଜୁବ ହୋଇଛନ୍ତି। ତେବେ କଣ ଥିଲା ପୁରା ଘଟଣା ଆସନ୍ତୁ ଜାଣିବା।
ୟୁପି ବଲିଆ ଜିଲ୍ଲା ଅନ୍ତର୍ଗତ ସରାୟଭାରତୀ ଗାଁର ହୀରାମଣୀ ଦେବୀ ପ୍ରାୟ ୧୫ ବର୍ଷ ପୂର୍ବେ କପର-ଟି ଲଗାଇଥିଲେ। ତେବେ ସମୟ କ୍ରମେ ଏହାକୁ ଭୁଲିଯାଇଥିଲେ। ଏଣୁ ପରବର୍ତ୍ତି ସମୟରେ ଏହାକୁ ଶରୀରରୁ ବାହାର ନ କରିବାରୁ ଲଗାଯାଇଥିବା ସ୍ଥାନରୁ ଖସି ମୂତ୍ରାଶୟ ଆଡକୁ ବଢିବାକୁ ଲାଗିଥିଲା। ଏଥିଯୋଗୁ ୟନ୍ତ୍ରଣା ହେବାରୁ ମହିଳା ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ନାନା ପରୀକ୍ଷା ନିରିକ୍ଷା ପରେ ଏହାକୁ ଏକ କିଡନୀ ଷ୍ଟୋନ ବୋଲି ଭାବି ଡାକ୍ତର ଚିକିତ୍ସା କରିଥିଲେ। ହେଲେ ଔଷଧ କାମ ନ କରିବାରୁ ଅପରେସନ ଜରୁରି ହୋଇପଡିଥିଲା। ଡାକ୍ତର ଷ୍ଟୋନ ଅପରେସନ ଲାଗି ପ୍ରସ୍ତୁତି କରିଥିଲେ ଓ ଷ୍ଟୋନ ଭାବି ଅପରେସନ ବି କରିଥିଲେ।
ତେବେ ପରେ ଏହା ଏକ କପର-ଟି ବୋଲି ଜଣାପଡିବା ଡାକ୍ତରଙ୍କୁ ଚକିତ କରିଛି। ଏହି ଅପରେସନର ଭିଡିଓ ଏବେ ସାରା ଦେଶର ଡାକ୍ତରଙ୍କୁ ଦେଖାଯିବ। ହେଲେ ଅପରେଶନ ସଫଳ ହୋଇଥିବାରୁ ଡାକ୍ତର ଆଶ୍ୱସ୍ତ ହୋଇଛନ୍ତି। ମହିଳା ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସାମାନ୍ୟ ଅସାବଧାନତା ହୁଏତ ଏ କ୍ଷେତ୍ରରେ ମହିଳାଙ୍କ ଲାଗି ପ୍ରାଣ ଘାତକ ହୋଇଥାନ୍ତା। ହେଲେ ସମୟୋଚିତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ତାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି।