ଘରୁ ୪ ଯୁବକଙ୍କ ସହ ଫେରାର ଯୁବତୀ ବିବାହ ପାଇଁ ହେଲେ କନଫ୍ୟୁଜ୍, ଜାଣନ୍ତୁ କିପରି ସମାଧାନ କଲେ ପଞ୍ଚାୟତ
4/03/2021 at 11:16 PM

ରାମପୁର ୪।୩: ଉତ୍ତର ପ୍ରଦେଶ ରାମପୁର ଟାଣ୍ଡା ଅଞ୍ଚଳର ଜନୈତ ଯୁବତୀ ୪ ଜଣ ଯୁବକଙ୍କ ସହ ଘରୁ ଫେରାର ହୋଇଥିଲେ। ତେବେ ସେ କାହାକୁ ବିବାହ କରିବେ ସେ ନେଇ ନିଜେ କନଫ୍ୟୁଜ ହେବାରୁ ଶେଷରେ ପଞ୍ଚାୟତ ତାଙ୍କ ସମସ୍ୟାର ସମାଧାନ କରିଛନ୍ତି। ଧରମ ଗୁଳା ପକାଇ ଏହାର ସମାଧାନ କରାଯାଇଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମାମଲା ଅଜୀମ ନଗର ଥାନା ଅଞ୍ଚଳର। ଯୁବତୀ ୫ ଦିନ ପୂର୍ବେ ୪ ଜଣ ଯୁବକଙ୍କ ସହ ଘରୁ ଫେରାର ହୋଇଥିଲା। ଯୁବକମାନେ ଯୁବତୀଙ୍କୁ ୩ ଦିନ ଧରି ନିଜନିଜ ସମ୍ପର୍କୀୟଙ୍କ ଘରେ ଲୁଚେଇ ରଖିଥିଲେ। ତେବେ ଚତୁର୍ଥ ଦିନ ଘରଲୋକଙ୍କ ହାତରେ ଧରା ପଡିଯାଇଥିଲେ। ଯୁବତୀଙ୍କ ପରିବାର ଲୋକେ ଯୁବକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ମାମଲା ପଞ୍ଚାୟତକୁ ଚାଲିଯାଇଥିଲା। ପଞ୍ଚାୟତ ଯୁବତୀଙ୍କ ଆଗରେ ତାଙ୍କର ବିବାହ ପ୍ରସ୍ତାବ ରଖି ଦେଇଥିଲେ। ତେବେ ୪ ଜଣଙ୍କ ମଧ୍ୟରୁ ସେ କାହାକୁ ପତି ନିର୍ବାଚନ କରିବେ ଯୁବତୀ ନିଜେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।

ସେପଟେ ଯୁବକମାନେ ମଧ୍ୟ ଯୁବତୀଙ୍କ ପରିବାର ଲୋକଙ୍କ ପୋଲିସ କାର୍ଯ୍ୟାନୁଷ୍ଠାନରେ ଆତଙ୍କିତ ହୋଇପଡିଥିଲେ। ସେମାନେ ମନରୁ ଯୁବତୀଙ୍କୁ ବିବାହ କରିବା କଥା ବାହାର କରିସାରିଥିଲେ। ଏଥିରେ ପଞ୍ଚାୟତର ବିବାହ ଚାପରେ ଯୁବକମାନେ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ତେବେ ଏଥିରେ ପଞ୍ଚାୟତ କାହାକୁ ବାଧ୍ୟବାଧକତା ନାହିଁ ବୋଲି କହି ପ୍ରଥମେ ଆଶ୍ୱସ୍ତ କରିଥିଲେ। ସେମାନଙ୍କୁ ନିଜେ ନିଜର ନିଷ୍ପତ୍ତି ନେବାକୁ ସ୍ୱାଚ୍ଛନ୍ଦ୍ୟ ଦେଇଥିଲେ। ସେମାନେ ୩ ଦିନ ଗୋଟିଏ ଘରେ ରହି ବିବାହ କିଏ କରିବ କିଏ ନାହିଁ ସେ ନେଇ ନିଷ୍ପତ୍ତି କରିଥିଲେ। ହେଲେ ସମସ୍ତ ୪ଜଣ ଯୁବକ ଯୁବତୀଙ୍କ ପିଛା ଛଡାଇବା ବ୍ୟବସ୍ଥାରେ ଥିବା ବେଳେ ଧରମ ଗୁଳା ପକାଇ ଯୁବତୀଙ୍କ ଲାଗି ବର ଚୟନର ନିଷ୍ପତ୍ତି ନେଇଥିଲେ।

ସେମାନଙ୍କ ପ୍ରସ୍ତାବ ପଞ୍ଚାୟତର ମନକୁ ପାଇଥିଲା। ସେହି ଅନୁସାରେ ୪ ଜଣ ଯୁବକଙ୍କ ନାମ ଲେଖି ଧରମ ଗୁଳା ପକାଯାଇଥିଲା। ଏଥିରୁ ଯୁବତୀଙ୍କ ଲାଗି ଏକ ଅବୋଧ ଶିଶୁ ଦ୍ୱାରା କାଗଜ ଗୁଳା ବାହାର କରାଯାଇଥିଲା। ଯାହାର ନାମ ବାହାରିଲା ତାଙ୍କୁ ହିଁ ଯୁବତୀଙ୍କ ବିବାହ ଲାଗି ପଞ୍ଚାୟତ ନିଷ୍ପତ୍ତି ଶୁଣାଇଥିବା ବେଳେ ପରିବାର ଲୋକେ ମଧ୍ୟ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି।