ରାଜ୍ୟ ମାନ୍ୟତା ହରାଇ ଜମ୍ମୁ-କାଶ୍ମୀର ହେଲା କେନ୍ଦ୍ର ଶାସିତ ଅଞ୍ଚଳ: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଫରକ୍ କଣ ଜାଣନ୍ତୁ…

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ୬|୮: ବିଶ୍ବରେ ଥିବା ବୃହତ୍ତମ ଦେଶଗୁଡ଼ିକ ମଧ୍ୟରୁ ଭାରତ ହେଉଛି ଅନ୍ୟତମ। ଭାରତୀୟ ସମ୍ବିଧାନ ଅନୁସାରେ ଭାରତ ହେଉଛି ୟୁନିଅନ ଅଫ୍‌ ଷ୍ଟେଟ୍ସ ବା ବିଭିନ୍ନ ପ୍ରଦେଶର ମିଶ୍ରଣରେ ଏକ ସଂଘ ।ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ ଶାସନ ଗତିଶୀଳ ।  ସଂଘୀୟ ପ୍ରଶାସନିକ ବ୍ୟବସ୍ଥାର ଅର୍ଥ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ବୟ । ସମ୍ବିଧାନ ପ୍ରଦତ୍ତ ପାରସ୍ପରିକ ଅଧିକାର ଓ କ୍ଷମତା ପ୍ରତି ସମ୍ମାନ । ଭାରତୀୟ ସାର୍ବଭୌମତ୍ବ ପ୍ରତି ରାଜ୍ୟର ଆନୁଗତ୍ୟ ।

ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କିଛି ଅଂଚଳକୁ ରାଜ୍ୟ ମାନ୍ୟତା ପ୍ରାପ୍ତି ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ କେନ୍ଦ୍ର ଶାସିତ ଅଂଚଳ ବା ୟୁନିଅନ ଟେରିଟୋରୀର ମାନ୍ୟତା ମିଳିଥାଏ ।ଏବେ ଜମ୍ମୁ - କାଶ୍ମୀର ଓ ଲଦାଖକୁ ସରକାର  ବିଭାଜନ କରିଛନ୍ତି । କାଶ୍ମୀରର ରାଜ୍ୟ ମାନ୍ୟତା ବିଲୋପ କରି  ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା ସହ ଲଦାଖକୁ ମଧ୍ୟ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି । ଫଳରେ ଦେଶର ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇଥିବା ବେଳେ କେନ୍ଦ୍ର ଶାସିତ ଅଂଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

ତେବେ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟ ଏ ଦୁଇଟି ମାନ୍ୟତା ଭିତରେ କଣ ଫରକ ରିଛି ତାକୁ ନେଇ ସର୍ବଦା ମନ ଭିତରେ ସଂସୟ ସୃଷ୍ଟି ହୋଇଥାଏ । ଏହି ସଂସୟ ଦୂର ପାଇଁ ନିମ୍ନରେ ଦିଆଯାଇଥିବା କେତୋଟି ବିନ୍ଦୁ ଉପରେ ଧ୍ୟାନ ଦେବା ଆବଶ୍ୟକ ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ବାବଦରେ ଯଦି ଆଲୋଚନା କରାଯାଏ। ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କେନ୍ଦ୍ର ସରକାର ରାଜ୍ୟକୁ ଏକ ପ୍ରଶାସନିକ ୟୁନିଟ ବୋଲି ବିବେଚନା କରୁଥିବାବେଳେ କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ଏକ ପ୍ରଶାସନିକ ୟୁନିଟ ବାବେ ବିବେଚନା କରିଥାନ୍ତି। ତେବେ ରାଜ୍ୟ ଉପରେ କେନ୍ଦ୍ର ସରକାରଙ୍କ ସିମୀତ କର୍ତ୍ତୃତ୍ବ ରହୁଥିବାବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ କେନ୍ଦ୍ର ସରକାରଙ୍କ ସିଧାସଳଖ ଓ ସମ୍ପୂର୍ଣ୍ଣ ଅଧିକାର ଓ କର୍ତ୍ତୃତ୍ବ ରହିଥାଏ । ଅନ୍ୟ ଅର୍ଥରେ କହିଲେ କେନ୍ଦ୍ର ଶାସିତ ଅଞ୍ଚଳ ସିଧାସଳଖ କେନ୍ଦ୍ର ସରକାରଙ୍କ ଶାସନାଧୀନ ହୋଇଥାଏ ।

ରାଜ୍ୟଗୁଡିକର ସ୍ବତନ୍ତ୍ର ବିଧାନସଭା ଏବଂ ସ୍ଥଳ ବିଶେଷରେ ବିଧାନସଭା ସହ ବିଧାନ ପରିଷଦ  ମଧ୍ୟ ରହିଥାଏ । ଏହି ବିଧାନସଭା ଓ ବିଧାନ ପରିଷଦ ଜନ ପ୍ରତିନିଧିମାନଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଜନ ପ୍ରତିନିଧିମାନେ ସେମାନଙ୍କ ମୁଖ୍ୟମନ୍ତ୍ରୀ ଚୟନ କରିଥାନ୍ତି । ଅପରପକ୍ଷରେ ଦେଶର ରାଷ୍ଟ୍ରପତିଙ୍କ ପ୍ରତିନିଧି ବାବେ ରାଜ୍ୟପାଳ ନିଯୁକ୍ତ ହୋଇଥାନ୍ତି । ବିଧାନସବା ରାଜ୍ୟ ପାଇଁ ଆଇନ ପ୍ରଣୟନ କରିବା ପାଇଁ କ୍ଷମତା ପ୍ରାପ୍ତ ହୋଇଥାଏ । କେନ୍ଦ୍ର-ରାଜ୍ୟ ସମ୍ପର୍କର ବିଧି ଅନୁସାରେ କେତେକ ବିଷୟରେ ରାଜ୍ୟ ସଂପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରୁଥିବାବେଳେ କେତେକ ପ୍ରସଂଗରେ କେନ୍ଦ୍ର ହସ୍ତକ୍ଷେପ କରିବା କ୍ଷମତା ରଖିଥାଏ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିଭଳି ଭାଗବଣ୍ଟରା ହେବ କ୍ଷମତା ସେ ସମ୍ପର୍କରେ ସମ୍ବିଧାନରେ ସମସ୍ତ ବିଷୟ ସ୍ପଷ୍ଟ ଉଲ୍ଲେଖ ରହିଛି । ଯାହାକୁ ସେଣ୍ଟର ଲିଷ୍ଟ, ଷ୍ଟେଟ ଲିଷ୍ଟ ଓ କନ୍‌କରେଣ୍ଟ ଲିଷ୍ଟ ଆଦି ତିନିଭାଗରେ ବିଭକ୍ତ କରାଯାଇ କ୍ଷମତା ପ୍ରଦାନ କରାଯାଇଛି ।

ଅପରପକ୍ଷରେ  କେନ୍ଦ୍ର ଶାସିତ ଅଂଚଳର ସିମୀତ କ୍ଷମତା ରହିଥାଏ ।ଏହା ସିଧାସଳଖ କେନ୍ଦ୍ର ସରକାରଙ୍କ ଦ୍ବାରା ଶାସିତ ହେଉଥିବାରୁ ନିଜସ୍ବ ନିୟମ ପ୍ରଣୟନର ସୁଯୋଗ ନଥାଏ । ପରିବର୍ତ୍ତିତ ପରିସ୍ଥିତିରେ ସମ୍ବିଧାନ ସଂଶୋଧନ ବଳରେ କେତେକ କେନ୍ଦ୍ର ଶାସିତ ଅଂଚଳରେ ମଧ୍ୟ ସେମାନଙ୍କ ନିଜସ୍ବ ବିଧାନସଭା ରହିଛି । କିନ୍ତୁ ଏଠାରେ ବିଧାନସଭାର କ୍ଷମତା ମଧ୍ୟ ସଂକୁଚିତ । ରାଜ୍ୟର ବିଧାନସଭା ଭଲି କ୍ଷମତା କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାକୁ ପ୍ରଦାନ କରାଯାଇ ନାହିଁ । କେନ୍ଦ୍ରର ପ୍ରତିନିଧି ହିସାବରେ କେନ୍ଦ୍ର ଶାସିତ ଅଂଚଳ ଦାୟିତ୍ବରେ କେନ୍ଦ୍ରୀୟ ପ୍ରତିନିଧି ହିସାବରେ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥାଏ । ସେ ହିଁ ଶାସନ ମୁଖ୍ୟ ହୋଇଥାନ୍ତି ।

ପ୍ରତ୍ୟେକ ଶାସନଗତ ନିଷ୍ପତ୍ତି ପାଇଁ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ଉପରେ ନିର୍ଭର କରିବାକୁ ପଡେ । ବର୍ତ୍ତମାନ ଦେଶରେ ରହିଥିବା ୯ଟି କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ କେବଳ ଦିଲ୍ଲୀ, ପୁଡୁଚେରୀ ଏବଂ ନବଗଠିତ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ-କାଶ୍ମୀରରେ ବିଧାନସଭା ବ୍ୟବସ୍ଥା ରହିଛି । ଅନ୍ୟ ୬ଟି କେନ୍ଦ୍ର ଶାସିତ ଅଂଚଳରେ ବିଧାନସବା ନାହିଁ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇନ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ବିଷୟରେ ରାଜ୍ୟର ନିଜସ୍ବ ନିୟମ , ପ୍ରଶାସନ ଓ ବ୍ୟବସ୍ଥା ରହିଥିବାବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ କେବଳ କେନ୍ଦ୍ରୀୟ ନିୟମ କାର୍ଯ୍ୟକାରୀ ହୋଇଥାଏ ।   

ଦେଶ ସ୍ବାଧୀନ ହେବା ପୂର୍ବରୁ ଭାରତରେ ଦୁଇ ପ୍ରକାର ରାଜ୍ୟ ଥିଲା। ଗୋଟେ ହେଉଛି ପ୍ରଦେଶ ଓ ଅନ୍ୟଟି ଗଡଜାତ ରାଜ୍ୟ ।ବ୍ରିଟିଶ ସରକାରଙ୍କ ଅଧୀନରେ ପ୍ରଦେଶଗୁଡିକ ରହିଥିବାବେଳେ ଗଡଜାତ ଗୁଡିକ ରାଜାମାନଙ୍କ ଦ୍ବାରା ଶାସିତ ହେଉଥିଲା ।କିନ୍ତୁ ସ୍ବାଧୀନୋତ୍ତର ଭାରତରେ ଦୁଇ ପ୍ରକାରର ପ୍ରଶାସନିକ ୟୁନିଟ ରହିଛି । ଗୋଟିଟେ ରାଜ୍ୟ ହୋଇଥିବାବେଳେ ଅନ୍ୟଟି କେନ୍ଦ୍ର ଶାସିତ ଅଞ୍ଚଳ ।

କେନ୍ଦ୍ର ଶାସିତ ଅଞ୍ଚଳ ଇତିହାସ

କେନ୍ଦ୍ର ଶାସିତ ଅଞ୍ଚଳର ଚୟନ ପ୍ରକ୍ରିୟା ୧୯୫୬ ମସିହାରୁ ଆରମ୍ଭ ହୋଇଥିଲା। ଭାରତୀୟ ହାଇ କମିଶନଙ୍କ ଦ୍ବାରା  ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିର୍ଦ୍ଦିଷ୍ଟ ଅଞ୍ଚଳର ଦୁର୍ବଳ ଆର୍ଥିକ ସ୍ଥିତି, ଅସନ୍ତୁଳନ ଅର୍ଥ ବ୍ୟବସ୍ଥାକୁ ଲକ୍ଷ୍ୟକରି କେନ୍ଦ୍ର ସରକାରର ଏହି ନିୟମ ଲାଗୁ କରିଥିଲେ। ଆଣ୍ଡାମାନ - ନିକୋବର ହେଉଛି ଭାରତର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ।ଏଥିସହ ପଞ୍ଚାବ ଓ ହରିୟାନ ଉଭୟ ରାଜ୍ୟର ଚଣ୍ଡିଗଡ଼ ହେଉଛି ରାଜଧାନୀ।ଏହାକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଦିଲ୍ଲୀ ଓ ପୁଡ଼ୁଚେରୀ ହେଉଛି ଅନ୍ୟତମ।ପୁଡ଼ୁଚେରୀ, ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରେ ନିଜସ୍ବ ସରକାର ଗଠନ କରିବା ପାଇଁ ବିଧାନସଭାର ବ୍ୟବସ୍ଥା ରହିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଦ୍ବାରା ମୁଖ୍ୟମନ୍ତ୍ରୀ ଚୟନ କରାଇଥାଏ।ଜମ୍ମୁ-କାଶ୍ମୀରକୁ ମିଶାଇ ଦେଶରେ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି।

ସେଗୁଡିକ ହେଲା-

ଆଣ୍ଡାମାନ- ନିକୋବର, ଦାଦ୍ରା - ନାଗର ହାଭେଲି, ଚଣ୍ଡିଗଡ଼, ପୁଡ଼ୁଚେରୀ , ଦିଲ୍ଲୀ, ଲଦାଖ, ଜାମ୍ମୁ-କାଶ୍ମୀର ଓ ଲାକ୍ଷାଦ୍ବୀପ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.