ଚୀନ୍ ଏବଂ ପାକିସ୍ତାନର ଲଢୁଆ ବିମାନକୁ ଟକ୍କର ଦେବ ତେଜସ୍, ଜାଣନ୍ତୁ ଏହି ବିମାନର ବିଶେଷତ୍ବ

Published By : Prameya-News7 Bureau | September 19, 2019 IST

ବେଙ୍ଗାଲୁରୁ ୧୯|୯: ଭାରତୀୟ ବାୟୁସେନାର ଲଢୁଆ ବିମାନ ତେଜସ୍ ରେ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବେଙ୍ଗାଲୁରୁସ୍ଥିତ ‘ହାଲ୍ ’ ବିମାନ ବନ୍ଦରରୁ ହାଲୁକା ଲଢୁଆ ବିମାନ ତେଜସରେ ଅଧ ଘଣ୍ଟା ଉଡାଣ ଭରିଛନ୍ତି ରାଜନାଥ । ଦୁଇ ଆସନବିଶିଷ୍ଟ ତେଜସ୍ ଉଡାଇଥିଲେ ଏୟାର୍  ଭାଇସ୍  ମାର୍ସାଲ୍  ନର୍ମଦେଶ୍ୱର ତିୱାରି ।

ଦେଖିବାକୁ ଛୋଟ, ହେଲେ କ୍ଷତ କରିବ ବେଶ ବଡ । ଛୋଟ ଲଢୁଆ ବିମାନ ତେଜସ, ହେଲେ ଶତ୍ରୁ ଉପରେ ଭାରି ପଡିବ । ଚୀନ ଏବଂ ପାକିସ୍ତାନର ଲଢୁଆ ବିମାନକୁ ଟକ୍କର ଦେବ ତେଜସ୍ । ହାଲୁକା କିନ୍ତୁ ମଜବୁତ । ଆକାଶ ମାର୍ଗରୁ ହମଲା କରିବାରେ ବେଶ ନିପୁଣ ତେଜସ୍ । ଶତ୍ରୁର ବୁଦ୍ଧି ହଜାଇଦେବାର କ୍ଷମତା ରଖୁଥିବା ଏହି ବିମାନରେ ଉଡାଣ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେଜସ ଉଡାଇବାରେ ରାଜନାଥ ଦେଶର ପ୍ରଥମ ରକ୍ଷାମନ୍ତ୍ରୀ ।

ଯୁଦ୍ଧ ସମୟରେ ଏପରି ହାଲୁକା ବିମାନ ହିଁ ସବୁଠୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ହାଲୁକା ଲଢୁଆ ବିମାନ କ୍ୟାଟୋଗୋରୀରେ ସ୍ବଦେଶୀ କୌଶଳରେ ତିଆରି ତେଜସ୍, ପାକିସ୍ତାନ ଏବଂ ଚୀନଠାରୁ ବେଶ ଦମଦାର । ତେଜସ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହାକୁ DRDOର ଏରୋନଟିକାଲସ ଡିଭଲପମେଣ୍ଟ ଏଜେନ୍ସି ଡିଜାଇନ୍ କରିଛି ।  ଏୟାର ଚିଫ ମାର୍ଶାଲ ବିଏସ୍ ଧନୋଆଙ୍କ ଅନୁଯାୟୀ, ତେଜସ୍ କେବଳ ଲଗାତର ହମଲା କରିବାରେ ସକ୍ଷମ ନୁହେଁ, ଏହା ଟାର୍ଗେଟରେ ଅସ୍ତ୍ରଶସ୍ତ୍ର ମାଡ କରିବାରେ ବେଶ ପ୍ରଭାବଶାଳୀ ।

ତେଜସ ହାଲୁକା ହେବାର କାରଣ ଏହାର ବଡି କାର୍ବନ ଫାଇବରରେ ତିଆରି । ଧାତୁରେ ତିଆରି ହୋଇନଥିଲେ ମଧ୍ୟ ଅନ୍ୟ ବିମାନ ତୁଳନାରେ ଏହା ବେଶ ମଜବୁତ । ଏହାର ଓଜନ ୬୫୬୦କିଲୋଗ୍ରାମ । ଏହା ୫୦ହଜାର ଫୁଟ ଉଚ୍ଚରେ ଉଡିପାରିବ । ତେଜସର ଲମ୍ବା ୧୩.୨ ମିଟର ଏବଂ ଉଚ୍ଚତା ୪.୪ ମିଟର ।

ହାଲୁକା ହେବା ଯୋଗୁ ତେଜସ୍ ଛୋଟ ଜାଗାରୁ ଉଡାଣ ଭରି ପାରିବ, ଛୋଟ ଜାଗାରେ ଓହ୍ଲାଇପାରିବ । ଯୁଦ୍ଧପୋତ ଉପରେ ମଧ୍ୟ ଅବତରଣ କରିପାରିବ ତେଜସ । ସବୁଠୁ ବଡ କଥା ତେଜସର ରକ୍ଷଣାବେକ୍ଷଣ ମଧ୍ୟ ଖୁବ ସହଜ ଏବଂ ଶସ୍ତା । ଭବିଷ୍ୟତରେ ତେଜସକୁ ଆହୁରି ଶକ୍ତିଶାଳୀ କରିବା ଲାଗି ଅପଗ୍ରେଡ୍ କରାଯିବାର ଲକ୍ଷ୍ୟ ରହିଛି । ଭାରତୀୟ ବାୟୁସେନାରେ ସାମିଲ ମିଗ୍-୨୧ର ବିକଳ୍ପ ଭାବରେ ଉପଲବ୍ଧ ହେବ ତେଜସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.