ସୁପ୍ରିମକୋର୍ଟରେ ବାବରୀ ମସଜିଦ୍ ଆକ୍ସନ କମିଟିର ନୂଆ ଦାବି, ୫ ଏକର ଜମି ସାଙ୍ଗକୁ ଏବେ ଦରକାର ..
26/12/2019 at 10:57 PM

ନୂଆଦିଲ୍ଲୀ ୨୬।୧୨: ବାବରୀ ମସ୍ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସି ସାରିଛି। ବିବାଦୀୟ ଜମିକୁ କୋର୍ଟ ରାମ ଲାଲାଙ୍କୁ ଦେଇଛନ୍ତି। ଏ ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ଆବେଦନ ସବୁ ଅଗ୍ରାହ୍ୟ ହୋଇ ସାରିଥିବା ବେଳେ ବାବରୀ ମସଜିଦ୍ ଆକ୍ସନ କମିଟି ପ୍ରସଙ୍ଗରେ ନୂଆ ଦାବି ଉଠାଇଛି।

ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମଲାଲାଙ୍କୁ ଦେଇଥିବା ବେଳେ ମୁସଲମାନ ପକ୍ଷଧରଙ୍କୁ ୫ ଏକର ଜମି ପ୍ରଦାନ ଲାଗି ରାୟ ଦେଇଥିଲେ। ତେବେ ସମ୍ବିଧାନ ପୀଠଙ୍କ ରାୟର ରିଭ୍ୟୁ ପିଟିସନ ବେଳେ ଏ ନେଇ ମୁସଲମାନ ପକ୍ଷଧରମାନେ କଛି ଉଲ୍ଲେଖ କରିନଥିବା ବେଳେ କୋର୍ଟ ସମସ୍ତ ପୁନର୍ବିଚାର ଆବେଦନ ଅଗ୍ରାହ୍ୟ କରିଦେଇଥିଲେ। ଏବେ ରିଭ୍ୟୁପିଟିସନ କୋର୍ଟରେ ଖାରଜ ହେବା ପରେ ୫ ଏକର ଜମି ଲାଗି ବାବରୀ ଆକ୍ସନ କମିଟି କୋର୍ଟଙ୍କୁ ନିବେଦନ କରିଛି।

ଏହି ନିବେଦନରେ କମିଟି ବାବରୀ ମସଜିଦ୍ ଅବଶେଷ ପ୍ରଦାନ ନିମନ୍ତେ ମଧ୍ୟ କୋର୍ଟରେ ଦାବି କରିଥିବା ଜଣାପଡିଛି। ଏବେ ମସଜିଦ୍ ସ୍ଥାନରେ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ହୋଇସାରିଥିବା ବେଳେ ମସଜିଦ୍ର ଅବଶେଷ ସେଠାରୁ ହଟିବ। ତେବେ ଏହି ଅବଶେଷକୁ ନଷ୍ଟ ନ କରି ଆକ୍ସନ କମିଟିକୁ ପ୍ରଦାନ କରିବା ନିମନ୍ତେ ନିବେଦନ କରାଯାଇଛି। ତେବେ ଅବଶେଷ ନେଇ ଆକ୍ସନ କମିଟି କରିବ କଣ ସେ ନେଇ କୋର୍ଟଙ୍କୁ କିଛି ଜଣାଇ ନଥିବାରୁ ଆବେଦନକୁ ନେଇ ସନ୍ଦେହ ଦାନା ବାନ୍ଧୁଛି।