ଜାଣନ୍ତୁ କିଏ ଏହି ଓକିଲ ହରିସ ସାଲଭେ, ଯିଏ ଆଇସିଜେରେ ଲଢୁଥିଲେ କୁଲଭୂଷଣ ଯାଦବଙ୍କ ମାମଲା
18/07/2019 at 5:11 PM

ଭାରତର ପ୍ରଶିଦ୍ଧ ଆଇନଜୀବିଙ୍କ ମଧ୍ୟରେ ହରିସ ସାଲଭେ ଅନ୍ୟତମ, ଯିଏ ନିକଟରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ପାକିସ୍ତାନରେ ବନ୍ଦୀଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ କେଶ ଲଢିଛନ୍ତି। ସାଲଭେଙ୍କ ଯୋଗୁ ଆଇସିଜେରେ ଭାରତ ୧୫-୧ରେ ପାକିସ୍ତାନୀ ବିଚାର ବ୍ୟବସ୍ଥାକୁ ଚାଲେଞ୍ଜ କରିବା ସହ କୂଲଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ରୋକ ଲଗାଇପାରିଛି। ଏହା ସହ କୁଲଭୂଷଣଙ୍କୁ କନସୁଲାର ସହାୟତା ଉପଲବ୍ଧ କରାଇବା ସହ ତାଙ୍କ ଦଣ୍ଡାଦେଶର ପୁନର୍ବିଚାର ନିମନ୍ତେ ପାକିସ୍ତାନ ଉପରେ ଚାପ ପକାଇବାକୁ ଆଇସିଜେଙ୍କୁ ବାଧ୍ୟ କରାଇଛନ୍ତି।

ଦେଶର ସବୁଠୁ ମହଙ୍ଗା ଆଇନଜୀବି କହିଲେ ଆଜିର ସମୟରେ କେବଳ ହରିସ ସାଲଭେଙ୍କୁ ହିଁ ଜାଣନ୍ତି ଲୋକେ । ତେବେ କୁଲଭୂଷଣଙ୍କ ମାମଲାକୁ ସାଲଭେ ମାତ୍ର ୧ଟଙ୍କା ଫିସ୍ ରେ ଲଢିଛନ୍ତି। କେବଳ କୁଲଭୂଷଣ ନୁହଁନ୍ତି ଅତୀତରେ ସାଲଭେ ସଲମାନ ଖାନ, ଭୋପାଲ ଗ୍ୟାସ୍ ଦୁର୍ଘଟଣା, ଭୋଡାଫୋନ ଓ ରିଲାଏନ୍ସ ଗ୍ୟାସ୍ ବିବାଦରେ ପକ୍ଷମାନଙ୍କୁ ଜିତାଇବାରେ ସଫଳତମ ଓକିଲ ଭାବେ ସାଲଭେ ବେଶ ଜଣାଶୁଣା। ଚାର୍ଟାଡ ଆକାଉଣ୍ଟାଣ୍ଟ ହେବା ପାଇଁ ପାଠ ପଢିଥିବା ସାଲଭେ ଦିଲ୍ଲୀରେ ଓକିଲାତି ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ କଠିନ ମାମଲାରେ ସାଲଭେ ତାଙ୍କ ପ୍ରତିଭା ପ୍ରମାଣିତ କରିଥିବା ବେଳେ ଆଇସିଜେରେ କୁଲଭୂଷଣଙ୍କ ମାମଲା ଏହାର ସଦ୍ୟତମ ଉଦାହରଣ।

ହରିଶ ସାଲଭେ ମହାରାଷ୍ଟ୍ରର ନାଗପୁରର ବାସିନ୍ଦା। ତାଙ୍କ ପିତା ଏନ.ପି.କେ. ସାଲଭେ ଜଣେ ପ୍ରତିଷ୍ଠିତ ଚାର୍ଟାଡ ଆକାଉଣ୍ଟାଣ୍ଟ ଥିଲେ। ତେବେ ହରିଶଙ୍କ ଜେଜେ ପି.କେ. ସାଲଭେ ଜଣେ ଓକିଲ ଥିଲେ। ଏଣୁ ଜେଜେଙ୍କ ରାସ୍ତାରେ ଚାଲି ହରିଶ ନିଜକୁ ଜଣେ ସଫଳ ଓକିଲ ଭାବେ ପ୍ରତିଷ୍ଠିତ କରାଇପାରିଥିବା ବେଳେ ଦେଶର ଅନେକ ହାଇପ୍ରୋଫାଇଲ ମାମଲାରେ ପକ୍ଷଙ୍କୁ ଦୋଷମୁକ୍ତ କରାଇବାରେ ସଫଳ ହୋଇଛନ୍ତି।